publive-image ଅସିତ ମହାନ୍ତି

Advertisment

ପ୍ରତିବର୍ଷ ନଅଦିନର ରଥଯାତ୍ରାରେ ଠାକୁରମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଯିବା ଦିନ ଓ ଆସିବା ଦିନକୁ ବାଦ୍‍ ଦେଲେ, ମଝିରେ ସେମାନେ ସାତଦିନ ସେଠାରେ ରହନ୍ତି। ତେବେ ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ଚାରି ଦାରୁଦେବତା ଓ ତିନି ଉତ୍ସବ ଦେବତା ଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ପୂଜିତ ହେବାବେଳେ, ତିନି ଧ୍ୱଜଦେବତା ତିନି ରଥରେ ହିଁ ରହିଥାଆନ୍ତି। ସେତେବେଳେ ରଥରେ ପ୍ରତିଦିନ ସେମାନଙ୍କୁ ଭୋଗ ଲଗାଯାଇଥାଏ।

କିଂବଦନ୍ତି ଅନୁସାରେ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ଥିଲା ‘ଗୁଣ୍ଡିଚା’। ତାଙ୍କ ଅନୁସାରେ ‘ଗୁଣ୍ଡିଚା ମନ୍ଦିର’ର ନାମକରଣ ହୋଇଛି। କିନ୍ତୁ ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ଅନୁସାରେ, ଏହି ନାମକରଣ ରାଜା ଚୋଡ଼ଗଙ୍ଗ ଦେବଙ୍କ ରାଣୀ ‘ଗୁଣ୍ଡି-ଚୋଡ଼ି’ଙ୍କ ନାମ ଅନୁସାରେ ହୋଇଛି।

ପୁରାଣ ମତରେ, ଇନ୍ଦ୍ରଦ୍ୟୁମ୍ନ ସତ୍ୟଯୁଗର ରାଜା। ଇତିହାସର ତଥ୍ୟ ଅନୁସାରେ ଚୋଡ଼ଗଙ୍ଗ ଦେବ ଏକାଦଶ-ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀ ରାଜା। ଏଣୁ କେଉଁ ରାଣୀଙ୍କ ନାମ ଅନୁସାରେ ଏହି ମନ୍ଦିରର ନାମକରଣ ହୋଇଛି, ସେ ନେଇ ସନ୍ଦେହ ସୃଷ୍ଟି ହୁଏ।

‘ଦେଉଳତୋଳା’ କିଂବଦନ୍ତିକୁ ନେଇ ଯେଉଁସବୁ ପୋଥି ମିଳେ, ସେଥିରେ ‘ଗୁଣ୍ଡିଚା ରାଣୀ’ଙ୍କ କଥା ଅଛି। ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ। ‘ସ୍କନ୍ଦପୁରାଣ’ ଅନୁସାରେ, ଇନ୍ଦ୍ରଦ୍ୟୁମ୍ନ ଅବନ୍ତୀରୁ ଆସି ଓଡ଼୍ରଦେଶରେ ପହଞ୍ଚିବା ପରେ, ଗୁଣ୍ଡିଚାମନ୍ଦିରଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ। ସେହି ଯଜ୍ଞ ଶେଷରେ ଭଗବାନ ବିଷ୍ଣୁ ତାଙ୍କୁ ସ୍ୱପ୍ନରେ ଦେଖାଦେଇ କହିଥିଲେ, ସମୁଦ୍ରରେ ଏକ ଦିବ୍ୟଦାରୁ ଆବିର୍ଭୂତ ହେବେ। ସେଥିରେ ଦାରୁବ୍ରହ୍ମ ନିର୍ମିତ ହେବେ। କିନ୍ତୁ କିଂବଦନ୍ତି ଅନୁସାରେ, ସେଥିରେ ଗୋପନରେ ଦାରୁମୂର୍ତ୍ତି ଗଢ଼ା ହେବା ବେଳେ, ଭିତରୁ କୌଣସି ଶବ୍ଦ ନ ଶୁଭିବାରୁ ରାଣୀ ଗୁଣ୍ଡିଚାଙ୍କ କଥାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଦ୍ୱାର ଫିଟାଇଦେଲେ। ଫଳରେ ବିଗ୍ରହମାନେ ଅଧାଗଢ଼ା ହୋଇ ରହିଗଲେ। ଏହି କିଂବଦନ୍ତି ଅନୁସାରେ, ରାଣୀ ଗୁଣ୍ଡିଚା ହିଁ ରଥଯାତ୍ରାର ଆରମ୍ଭ କରିଥିଲେ। ତେଣୁ ଏହାର ନାମ ‘ଶ୍ରୀଗୁଣ୍ଡିଚା ଯାତ୍ରା’ ହେଲା। ମନ୍ଦିରର ନାମ ମଧ୍ୟ ‘ଗୁଣ୍ଡିଚା ମନ୍ଦିର’ ରଖାଗଲା।

‘ସ୍କନ୍ଦପୁରାଣ’ରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରସଙ୍ଗ ଅଛି। ‘ଗୁଣ୍ଡିଚା’ ଯାତ୍ରା କଥା ମଧ୍ୟ କୁହାଯାଇଛି। ଗୁଣ୍ଡିଚା ମନ୍ଦିରକୁ ସେଥିରେ ‘ଗୁଣ୍ଡିଚାଳୟ’ ଓ ‘ଗୁଣ୍ଡିଚା ମଣ୍ଡପ’ ମଧ୍ୟ କୁହାଯାଇଛି। ଲୋକମୁଖରେ ତାହା ‘ଗୁଣ୍ଡିଚା ଘର’। କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ‘ଗୁଣ୍ଡିଚା’ ଥିଲା ବୋଲି ସେଥିରେ ଉଲ୍ଲେଖ ନାହିଁ।

ବିଶିଷ୍ଟ ଐତିହାସିକ ସତ୍ୟନାରାୟଣ ରାଜଗୁରୁ ଏକଦା ଗୋଟିଏ ଲେଖାରେ କହିଥିଲେ, ଦକ୍ଷିଣ ଭାରତରେ ଥିଲା ‘ଚୋଡ଼’ ରାଜବଂଶ। ସେହି ରାଜବଂଶର ଜଣେ ରାଜକୁମାରୀ ଥିଲେ ‘ଗୁଣ୍ଡି-ଚୋଡ଼ି’। ମହାରାଜା ଚୋଡ଼ଗଙ୍ଗଦେବ ତାଙ୍କୁ ବିବାହ କରିଥିଲେ। ତାଙ୍କ ନାମ ଅନୁସାରେ ‘ଗୁଣ୍ଡିଚା’ ହୋଇଛି। କିନ୍ତୁ ପରେ ସେ ଏ ନେଇ ସଂଶୟ ପ୍ରକାଶ କଲେ। କହିଲେ, ଏ ସଂପର୍କରେ ଅଧିକ ଗବେଷଣା ଦରକାର।

ସାରଳା ଦାସ ଓଡ଼ିଆ ଭାଷାର ଆଦିକବି। ତାଙ୍କ ‘ମହାଭାରତ’ରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାମ ‘ଗୁଣ୍ଡିଚା’ ବୋଲି ଲେଖା ନାହିଁ। ତାଙ୍କ ଅନୁସାରେ, ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ଥିଲା ‘ଗୁଣ୍ଡକେରୀ’। କେତେକ ‘ମହାଭାରତ’ ପୋଥିରେ ତାଙ୍କ ନାଆ ‘ଗୁଣ୍ଡମତୀ’ ବୋଲି ମଧ୍ୟ ଲେଖାଅଛି। କିନ୍ତୁ ‘ଦାଣ୍ଡି ରାମାୟଣ’ର ରଚୟିତା ବଳରାମ ଦାସ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ‘ଗୁଣ୍ଡିଚା’ ବୋଲି ଲେଖିଛନ୍ତି।

ଏସବୁରୁ ଜଣାଯାଏ, ସାରଳା ଦାସ ‘ମହାଭାରତ’ ରଚନା କଲାବେଳକୁ ‘ଗୁଣ୍ଡିଚାରାଣୀ’ କିଂବଦନ୍ତିର ସୃଷ୍ଟି ହୋଇ ନଥିଲା। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାଆଁ ବି ‘ଗୁଣ୍ଡିଚାଯାତ୍ରା’ ନଥିଲା। ଏହି କିଂବଦନ୍ତି ବଳରାମ ଦାସଙ୍କ ସମୟରୁ ସୃଷ୍ଟି ହେଲା। ‘ଦେଉଳତୋଳା’ ପୋଥିମାନ ଏହି ଧାରଣାକୁ ସୁଦୃଢ଼ କଲା।

ତେବେ ‘ମାଦଳା ପାଞ୍ଜି’ରୁ ଏ ସଂପର୍କରେ ଗୋଟିଏ ମୂଲ୍ୟବାନ ସୂଚନା ମିଳେ। ସେଥିରୁ ଜଣାଯାଏ, ଯେ ଗଙ୍ଗବଂଶୀ ରାଜା ନରସିଂହ ଦେବଙ୍କ ବେଳକୁ ‘ଗୁଣ୍ଡିଚାଘର’ଠାରେ ଗୋଟିଏ ‘କାଠମଣ୍ଡପ’ ଥିଲା। ଶ୍ରୀଜଗନ୍ନାଥାଦି ଦେବତା ଯାଇ ସେହି କାଠମଣ୍ଡପରେ ବିଜେ ହେଉଥିଲେ। ଏହି ରାଜା ସେହି କାଠମଣ୍ଡପକୁ ‘ପଥର ମଣ୍ଡପ’ କଲେ।

ବିଶିଷ୍ଟ ଐତିହାସିକ କେଦାରନାଥ ମହାପାତ୍ର ତାଙ୍କ ‘ଖୁରୁଧା ଇତିହାସ’ରେ ଏ ସଂପର୍କରେ ଆଉ ଗୋଟିଏ ସୂଚନା ଦେଇଛନ୍ତି। ସେ କହିଛନ୍ତି- ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗ ଦେବ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଇଥିଲେ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାମ ତାହା ପରେ ‘ଗୁଣ୍ଡିଚା ଯାତ୍ରା’ ହେଲା।

ଏ ସଂପର୍କରେ ଆହୁରି ବହୁ ଦିଗରୁ ମଧ୍ୟ ଆଲୋଚନା ହୋଇଛି। ସେସବୁରୁ ସ୍ପଷ୍ଟ ହୁଏ, ଯେ ଏହି ଯାତ୍ରା ଶ୍ରୀଜଗନ୍ନାଥଙ୍କର ଏକ ପ୍ରାଚୀନ ଯାତ୍ରା। ଏହାର ନାମ ମଧ୍ୟ ‘ଗୁଣ୍ଡିଚା’ ଯାତ୍ରା। କିନ୍ତୁ ‘ଗୁଣ୍ଡିଚା’, ‘ଗୁଣ୍ଡି-ଚୋଡ଼ି’, ‘ଗୁଣ୍ଡକେରୀ’ ବା ‘ଗୁଣ୍ଡମତୀ’- କେଉଁ ରାଣୀଙ୍କ ନାଆଁ ଅନୁସାରେ ଏହି ଯାତ୍ରାର ନାମ ହୋଇଛି, ତାହା ନିର୍ଦ୍ଦିଷ୍ଟ ଭାବରେ କହିହୁଏ ନାହିଁ। କିନ୍ତୁ ‘ଦେଉଳ ତୋଳା’ କିଂବଦନ୍ତି ଏତେ ଲୋକପ୍ରିୟ ହୋଇଛି ଯେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀଙ୍କ ନାଆଁ ‘ଗୁଣ୍ଡିଚା’ ଥିଲା ଏବଂ ସେ ହିଁ ‘ଗୁଣ୍ଡିଚା ମନ୍ଦିର’ ନିର୍ମାଣ କରିଥିଲେ ବୋଲି ଲୋକେ ବିଶ୍ୱାସ କରିଆସିଛନ୍ତି।

ଆଡ଼ପମଣ୍ଡପ:
ଶ୍ରୀଗୁଣ୍ଡିଚା ମନ୍ଦିରର ଗୋଟିଏ ପୁରୁଣା ନାଆଁ ‘ଆଡ଼ପ ମଣ୍ଡପ’। ଏବେ ବି ଏହି ନାଆଁ ଅଛି। ‘ସ୍କନ୍ଦପୁରାଣ’ରେ ଏହାକୁ ‘ଗୁଣ୍ଡିଚା ମଣ୍ଡପ’ କୁହାଯାଇଛି। କିନ୍ତୁ ଏହା କାହିଁକି ‘ଆଡ଼ପ’ ମଣ୍ଡପ, ସେ ନେଇ ଅଛି ଭିନ୍ନ ଭିନ୍ନ ମତ।

ତେବେ ସେ ସବୁକୁ ଯିବା ଆଗରୁ, ଏହାର ପୃଷ୍ଠଭୂମି ସଂପର୍କରେ କିଂଚିତ୍‍ ଆଲୋକପାତ ଆବଶ୍ୟକ।

ଏ ପ୍ରସଙ୍ଗରେ ‘ସ୍କନ୍ଦପୁରାଣ’ ତ୍ରୟତ୍ରିଂଶ (୩୩) ଅଧ୍ୟାୟର ଶେଷ ଦୁଇଟି ଶ୍ଳୋକ (୧୧୪ ଓ ୧୧୫) ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ସେଥିରେ କୁହାଯାଇଛି- ଏହି ମଣ୍ଡପର ଅଭ୍ୟନ୍ତର ଭାଗକୁ ମନୋହର ଚନ୍ଦ୍ରାତପ ଓ ମନୋହର ମାଲ୍ୟରେ ବିଭୂଷିତ କରିବ। ଏହାର ସ୍ତମ୍ଭ ସମୂହ ବିବିଧ ରତ୍ନଦ୍ୱାରା ଖଚିତ ଏବଂ ଅଭ୍ୟନ୍ତର ଭାଗ ସ୍ୱର୍ଣ୍ଣବେଦିକା ଦ୍ୱାରା ସୁଶୋଭିତ ହେବ। ଦେଖିବା ମାତ୍ରେ ବୋଧ ହେବ, ଯେ ଏହି ସ୍ଥାନଟି ତ୍ରୈଲୋକ୍ୟରେ ଆଡ଼ମ୍ବରପୂର୍ଣ୍ଣ ମହାବେଦି, ଯହିଁରେ ଦାରୁମୟ ମହେଶ୍ୱର ଆବିର୍ଭୂତ ହୋଇଛନ୍ତି।

ଏହାର ସୂଚନାରୁ ଅନେକେ ‘ଆଡ଼ପ’ ଶବ୍ଦଟି ‘ଆଟୋପ’ (ଆଡ଼ମ୍ବର)ରୁ ସୃଷ୍ଟି ହୋଇଛି ବୋଲି ମନେ କରନ୍ତି। ‘ନୀଳାଦ୍ରି ମହୋତ୍ସବ’ କାବ୍ୟରେ ସପ୍ତଦଶ ଶତାବ୍ଦୀର କବି ଲୋକନାଥ ବିଦ୍ୟାଧର ମଧ୍ୟ ଏହାକୁ ‘ଆଡ଼ମ୍ବର ମଣ୍ଡପ’ ବୋଲି କହିଛନ୍ତି।

କିନ୍ତୁ ‘ଆଡ଼ପ’ର ଆଉ ଗୋଟିଏ ଅର୍ଥ ଅଛି। ସେହି ଅର୍ଥ ଅନୁସାରେ, ‘ଆଡ଼ପ’ର ଅର୍ଥ ଅନ୍ତରାଳ। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଗୋପୀନାଥ ମହାପାତ୍ରଙ୍କ ଅନୁସାରେ, ‘ଗୁଣ୍ଡିଚା’ ଶବ୍ଦ ‘ଗୁଣ୍ଡିକା’ରୁ ସୃଷ୍ଟି ହୋଇଛି। ଏହା ସଂସ୍କୃତ ପୁରାଣରେ ପ୍ରଚଳିତ ଏକ ଶବ୍ଦ। ଏହା ‘ଯଜ୍ଞବେଦି’ର ଏକ ବିଶେଷଣ। ଏ ଶବ୍ଦର ମୂଳ ଧାତୁ ହେଉଛି ‘ଗୁଣ୍ଡ୍‍’। ‘ଗୁଣ୍ଡ୍‍’ ଧାତୁର ଅର୍ଥ ହେଲା ଲୁଚାଇବା।

ତାଙ୍କ ଅନୁସାରେ, ଗୁଣ୍ଡିଚା ମନ୍ଦିର ମୂଳତଃ ଥିଲା ‘ଯଜ୍ଞବେଦି’। ସେହିଠାରେ ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ। ମହୋଦଧିରେ ଆବିର୍ଭୂତ ହୋଇଥିବା ଦିବ୍ୟଦାରୁରୁ ସେହିଠାରେ ମଧ୍ୟ ଦାରୁବ୍ରହ୍ମଙ୍କର ପ୍ରଥମ ବିଗ୍ରହ ନିର୍ମିତ ହୋଇଥିଲେ। ଏହି ବିଗ୍ରହ ନିର୍ମାଣ ଗୋପନରେ କରାଯାଇଥିଲା। ଏଣୁ ଏହି ବେଦି ହେଉଛି ‘ଗୁଣ୍ଡିକା’ ବା ଗୋପନ ବେଦି। ପରେ ଏହା ‘ଗୁଣ୍ଡିଚା’ ବେଦି ହୋଇଛି। ‘ସ୍କନ୍ଦ ପୁରାଣ’ରେ ମଧ୍ୟ ଏ ସଂପର୍କରେ ବର୍ଣ୍ଣନା ଅଛି। କୁହାଯାଇଛି- ଏହି ଯଜ୍ଞବେଦିରେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କର ଜନ୍ମକାଳରେ ସେମାନଙ୍କୁ ପଟବସ୍ତ୍ରରେ ଆଚ୍ଛାଦିତ କରି ରଖାଯାଇଥିଲା। ଏବେ ବି ନବକଳେବର ନୀତିରେ ଶ୍ରୀବିଗ୍ରହମାନଙ୍କୁ ଗୋପନରେ ନିର୍ମାଣ କରାଯାଇଥାଏ।

‘ଦେଉଳ ତୋଳା’ ପୋଥିଗୁଡ଼ିକ ମଧ୍ୟରେ କୃଷ୍ଣ ଦାସଙ୍କ ପୋଥିଟି ପ୍ରାଚୀନ ଓ ଚର୍ଚ୍ଚିତ। ସେଥିରେ କୁହାଯାଇଛି- ରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିଲେ, ସେହି ଯଜ୍ଞର ପୂର୍ଣ୍ଣାହୁତି ପୂର୍ବରୁ ଭଗବାନ ବିଷ୍ଣୁ ରାଜାଙ୍କୁ ସ୍ୱପ୍ନରେ ଦେଖା ଦେଇଥିଲେ। ସ୍ୱପ୍ନାଦେଶରେ ବିଷ୍ଣୁ କହିଥିଲେ- ମହୋଦଧିରେ ଯେଉଁ ଦିବ୍ୟଦାରୁଙ୍କର ଆବିର୍ଭାବ ହେବ, ସେହି ଦାରୁରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଚିହ୍ନ ଥିବ। ସେଇଥିରେ ମୋର ବିଗ୍ରହ ନିର୍ମାଣ କରାଇବ।

କୃଷ୍ଣ ଦାସଙ୍କ ଦ୍ୱାରା ରଚିତ ‘ଦେଉଳ ତୋଳା’ରେ ବର୍ଣ୍ଣନା ଅଛି, ଯେ ସେହି ସ୍ୱପ୍ନାଦେଶ ପାଇ ରାଜା ସୁନାର ଶଗଡ଼ ଧରି ମହୋଦଧି ତଟକୁ ଗଲେ। ସେଠାକୁ ଯାଇ ସେ ଚକ୍ରତୀର୍ଥଠାରେ ଆବିର୍ଭୂତ ଦିବ୍ୟଦାରୁଙ୍କର ଦର୍ଶନ ପାଇଲେ। ନିଜ ସହିତ ସେ ବସୁ ଶବର (ବିଶ୍ୱାବସୁ)ଙ୍କୁ ମଧ୍ୟ ନେଇଥିଲେ। ସ୍ୱପ୍ନରେ ପ୍ରଭୁ ତାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେପରି ଭାବରେ ସେ ମୁଣ୍ଡରେ ପାଟ ମୁଚୁଳା ବାନ୍ଧିଲେ। ଉଭୟେ ମିଶି ସୁନା ଶଗଡ଼ରେ ସେହି ଦାରୁଙ୍କୁ ଆଡ଼ପମଣ୍ଡପକୁ ଆଣିଲେ। ସେହି ଆଡ଼ପମଣ୍ଡପରେ ଦିବ୍ୟଦାରୁଙ୍କୁ ବିଜେ କରାଇଲେ। ସେହି ଦାରୁରେ, ଅନ୍ୟମାନଙ୍କର ଦୃଷ୍ଟି ଅନ୍ତରାଳରେ ବିଗ୍ରହମାନଙ୍କର ନିର୍ମାଣ ହେଲା। ନିଜେ ଭଗବାନ ବୁଢ଼ା ବଢ଼େଇ ଭାବରେ ଆସି ସେହି ବିଗ୍ରହଙ୍କର ନିର୍ମାଣ କରିଥିଲେ।

ଏହି ଦୃଷ୍ଟିରୁ, ଗୁଣ୍ଡିଚାମନ୍ଦିର ଯେପରି ଯଜ୍ଞବେଦି, ସେହିପରି ମଧ୍ୟ ତାହା ଶ୍ରୀଜଗନ୍ନାଥଙ୍କର ଜନ୍ମବେଦି। ତାହାର ଅନ୍ୟନାମ ‘ମହାବେଦି’ ଓ ‘ଆଡ଼ପ ମଣ୍ଡପ’। ସେଇଥିପାଇଁ ବର୍ଷକେ ଥରେ ଶ୍ରୀଜଗନ୍ନାଥ ଆଡ଼ପମଣ୍ଡପ ଯାତ୍ରା କରି ନିଜର ଜନ୍ମସ୍ଥାନକୁ ଆସିଥାଆନ୍ତି। ଏ ସଂପର୍କରେ ନିଜେ ଜଗନ୍ନାଥ ପୂର୍ବ କାଳରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବର ଦେଇଥିଲେ। ଏହା ହେଉଛି ତାଙ୍କର ‘ମହାବେଦି ମହୋତ୍ସବ’।

‘ସ୍କନ୍ଦ ପୁରାଣ’ରେ ଏ ସଂପର୍କରେ ବର୍ଣ୍ଣନା ଅଛି- “ସ୍ୱୟଂ ତ୍ରିଲୋକେଶ ହରି, ନିଜ ପୂର୍ବ ଆଦେଶର ସମ୍ମାନ ରକ୍ଷା କରିବା ନିମନ୍ତେ, ପ୍ରତିବର୍ଷ ରଥାରୋହଣ ପୂର୍ବକ ଗୁଣ୍ଡିଚା ମଣ୍ଡପକୁ ପରମ କୁତୂହଳରେ ଗମନ କରିଥାଆନ୍ତି।” ‘ସ୍କନ୍ଦପୁରାଣ’ ଅନୁସାରେ, ଗୁଣ୍ଡିଚାମନ୍ଦିର ‘ବିନ୍ଦୁ ତୀର୍ଥ’ ବା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ତୀରରେ ଅବସ୍ଥିତ। ତେଣୁ ସ୍କନ୍ଦପୁରାଣରେ ନିଜେ ଜଗନ୍ନାଥ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, “ହେ ରାଜେନ୍ଦ୍ର! ମୁଁ ପ୍ରତିବର୍ଷ ସେହି ବିନ୍ଦୁତୀର୍ଥର ତୀରଦେଶରେ ସପ୍ତଦିନ ବ୍ୟାପୀ ଅବସ୍ଥାନ କରିବି। ମୋର ଅବସ୍ଥାନ ହେତୁ ସମସ୍ତ ତୀର୍ଥ ସେଠାରେ ଅବସ୍ଥାନ କରିବେ।

ତେଣୁ ଶାସ୍ତ୍ର, ଗ୍ରନ୍ଥ ଆଦିରେ କୁହାଯାଇଛି- ନୀଳାଦ୍ରି ମଣ୍ଡପ (ଶ୍ରୀମନ୍ଦିର)ରେ ଶ୍ରୀଜଗନ୍ନାଥଙ୍କୁ ଦଶବର୍ଷ ଦର୍ଶନ କଲେ ଯେଉଁ ପୁଣ୍ୟ ହୁଏ, ଆଡ଼ପମଣ୍ଡପ (ଶ୍ରୀଗୁଣ୍ଡିଚା ମନ୍ଦିର)ରେ ଦିନଟିଏ ଦର୍ଶନ କଲେ ସେହି ପୁଣ୍ୟ ମିଳେ।

ମୋ: ୯୪୩୭୦ ୩୪୮୦୪