ଗୁଜରାଟ ଅନ୍ତର୍ଗତ ଫତେହପୁରାର ଜଣେ ଗୁପ୍ଚୁପ୍ ବିକାଳିଙ୍କ ଝିଅ ହେଉଛନ୍ତି ପୁନମ କୁଶଵାହ। ଏ ବର୍ଷର ଗୁଜରାଟ ବୋର୍ଡ ପରୀକ୍ଷାରେ ସେ ୯୬% ନମ୍ବର ତଥା ୯୯.୭୨ ପର୍ସେଣ୍ଟାଇଲ୍ ରଖି ଅନ୍ୟମାନଙ୍କ ପାଇଁ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଥିଲେ ଓ ପରିଶ୍ରମ କଲେ ଜୀବନର କୌଣସି ବାଧା ଯେ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରିବ ନାହିଁ, ତାହା ପୁନମ ଦେଖାଇଦେଇଛନ୍ତି।
ଏ ସଫଳତା ପାଇବା ପାଇଁ ପୁନମଙ୍କୁ କମ୍ ସଂଘର୍ଷ କରିବାକୁ ପଡ଼ିନାହିଁ। ପିତା ପ୍ରକାଶ କୁଶଵାହ ଗତ ୨୫ ବର୍ଷ ହେଲା ଗୁପ୍ଚୁପ୍ ବିକି ପରିବାର ଚଳାଇଆସୁଛନ୍ତି। ତେଣୁ ପୁନମ ପିତାଙ୍କୁ ବ୍ୟବସାୟ କାମରେ ସହଯୋଗ କରିଥାନ୍ତି। ଦଶମ ପରୀକ୍ଷା ପାଇଁ ପଢ଼ିବା ସମୟରେ ବି ସେ ଗୁପ୍ଚୁପ୍ ପ୍ରସ୍ତୁତିରେ ପିତାଙ୍କୁ ସାହାଯ୍ୟ କରିବା ସହିତ ନିଜ ପାଠପଢ଼ା ଜାରି ରଖିଥିଲେ। ସେ ପ୍ରତିଦିନ ସକାଳ ୫.୩୦ରେ ନିଦରୁ ଉଠିବା ପରେ ପ୍ରଥମେ ପିତାଙ୍କୁ ସାହାଯ୍ୟ କରୁଥିଲେ। ଏହା ପରେ ସେ ସ୍କୁଲ୍ ବାହାରି ଯାଉଥିଲେ। ପୁଣି ୨.୩୦ରେ ସ୍କୁଲ୍ରୁ ଫେରିବା ପରେ ମାଆଙ୍କୁ ଘର କାମରେ ସାହାଯ୍ୟ କରୁଥିଲେ। ସବୁ କାମ ସରିବା ପରେ ସେ ପଢ଼ିବାକୁ ବସୁଥିଲେ। ଦିନକୁ ମାତ୍ର ୩ ଘଣ୍ଟା ପାଠ ପଢ଼ି ସେ ଏହି ସଫଳତା ପାଇଥିବା କଥା ପ୍ରକାଶ କରିଛନ୍ତି। ପୁନମ କରେଲିବାଗର ଶ୍ରୀ ନାରାୟଣ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସେ ଆଗକୁ ଡାକ୍ତରୀ ପାଠ ପଢ଼ିବାକୁ ଚାହାନ୍ତି। ତେଣୁ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଲା ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରି ଦ୍ବାଦଶ ପରୀକ୍ଷାରେ ଭଲ ନମ୍ବର ରଖିବା। ଉଲ୍ଲେଖନୀୟ ଯେ, ଏ ବର୍ଷ ଗୁଜରାଟ ବୋର୍ଡ ପରୀକ୍ଷାରେ ପାସ୍ ହାର ୮୨.୫୬% ରହିଥିବା ବେଳେ ଝିଅମାନଙ୍କ ପାସ୍ ହାର (୮୬.୬୯%) ପୁଅମାନଙ୍କ (୭୯.୧୨%) ଠାରୁ ଅଧିକ ରହିଛି।