ସଂପ୍ରତି କୋରାପୁଟ ଜିଲ୍ଲାର ଗୁପ୍ତେଶ୍ବର ଓ ଧୋନ୍ଦ୍ରାଖୋଲ ସଂରକ୍ଷିତ ଜଙ୍ଗଲକୁ ରାଜ୍ୟର ଚତୁର୍ଥ ଜୈବବିବିଧ-ଐତିହ୍ୟସ୍ଥଳ (ବିଏଚ୍ଏସ୍‌) ଭାବେ ଘୋଷଣା କରାଯାଇଛି। ଓଡ଼ିଶା ଜୈବ ବିବିଧତା ପରିଷଦ୍‌ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ, ଏହି ଜଙ୍ଗଲ ବହୁ ବିରଳ ଜୀବଜନ୍ତୁରେ ପରିପୂର୍ଣ୍ଣ ଏବଂ ଜୈବ ବିବିଧତାର ଏକ ସଂରକ୍ଷିତ ପରିସର। ଏହା ୨୮ ପ୍ରଜାତିର ସ୍ତନ୍ୟପାୟୀ, ୧୮ ଉଭୟଚର, ୧୮୮ ପକ୍ଷୀ, ୪୮ ସରୀସୃପ, ୧୪୧ ପ୍ରଜାପତି, ୪୫ ମାଛ, ୪୩ ରାତ୍ରିଚର କୀଟପତଙ୍ଗ, ୪୧ କଙ୍କି, ୩୦ ଛୋଟବଡ଼ ବୁଢ଼ିଆଣୀ, ୨୦ ଅମେରୁଦଣ୍ତୀ ଓ ୬ ପ୍ରଜାତିର କଙ୍କଡ଼ାବିଛାଙ୍କ ବାସସ୍ଥାନ।

Advertisment

ଉଲ୍ଲେଖଯୋଗ୍ୟ, ଗୁପ୍ତେଶ୍ବର ଜଙ୍ଗଲରେ ବିରଳ ପ୍ରଜାତିର ମଗର, କାଙ୍ଗେର ଉପତ୍ୟକାରେ ଦେଖାଯାଉଥିବା ରକ୍ ଗେକୋ (ପାହାଡ଼ୀ ଝିଟିପିଟି ପ୍ରଜାତି), ସନ୍ତସନ୍ତିଆ ବୁଦାରେ ବାସ କରୁଥିବା ବେଙ୍ଗ ମଧ୍ୟ ଦେଖିବାକୁ ମିଳନ୍ତି। ଏଥିସହ ଏହା ଚୂଳିଆ ବାଜ, କଳାବାଜ, କୁମ୍ଭାଟୁଆ, କଳା କାଠହଣା, ପାହାଡ଼ୀ ଶାରୀ, କଷ୍ଟ୍‌ଫେଡ୍‌ ଆଦି ପକ୍ଷୀ ସମୁଦାୟଙ୍କ ଆଶ୍ରୟସ୍ଥଳୀ। ଦକ୍ଷିଣ ଓଡ଼ିଶାରେ ଦେଖାଯାଉଥିବା ମୋଟ ୧୬ ପ୍ରକାରର ବାଦୁଡ଼ି ପ୍ରଜାତି ମଧ୍ୟରୁ ଗୁପ୍ତେଶ୍ବର ଜଙ୍ଗଲରେ ୮ ପ୍ରଜାତିର ବାଦୁଡ଼ି ଦେଖାଯା’ନ୍ତି। ଗୁପ୍ତେଶ୍ବର ଜଙ୍ଗଲରେ ଦୁଇଟି ରାତ୍ରିଚର ପ୍ରଜାତି ସ୍ତନ୍ୟପାୟୀ ହିପୋସାଇଡ୍ରୋସ୍‌ ଗେଲେରିଟସ୍‌ ଓ ରାଇନୋଲୋଫସ୍‌ ରୁକ୍ସି (କଳା, ଧୂସର ଓ ଈଷତ୍‌ ହଳଦିଆ ବାଦୁଡ଼ି ପ୍ରଜାତିର ଛୋଟ ପକ୍ଷୀ) ଦେଖାଯା’ନ୍ତି। ଏହି ୨ ପ୍ରଜାତିର ପକ୍ଷୀ ଇଣ୍ଟରନ୍ୟାସନାଲ୍‌ ୟୁନିଅନ୍‌ ଫର୍ କଞ୍ଜର୍ଭେସନ୍‌ ଅଫ୍ ନେଚର୍‌ (ଆଇୟୁସିଏନ୍‌)ର ଆସନ୍ନ ଲୁପ୍ତପ୍ରାୟ ଶ୍ରେଣୀ ଅନ୍ତର୍ଭୁକ୍ତ ବୋଲି କହନ୍ତି ନେଚର୍‌ ଇନିସିଏଟିଭ୍ ଅନୁଷ୍ଠାନର ଶ୍ରୀକାନ୍ତ ଶେଖର ସାହୁ। ଏଥିସହ ଗୁପ୍ତେଶ୍ବର ଜୈବମଣ୍ତଳରେ ୧୮୨ ପ୍ରଜାତିର ବୃକ୍ଷଲତା, ୧୭୭ ଜଡ଼ିବୁଟି, ୭୬ ଗୁଳ୍ମ, ୧୪ ଅର୍କିଡ୍‌ ଓ ୬୯ ପ୍ରଜାତିର ବିପନ୍ନ ଔଷଧୀୟ ଉଦ୍ଭିଦ ରହିଛି।

ଗୁପ୍ତେଶ୍ବର ଜୈବମଣ୍ତଳରେ ୧୮୨ ପ୍ରଜାତିର ବୃକ୍ଷଲତା, ୧୭୭ ଜଡ଼ିବୁଟି, ୭୬ ଗୁଳ୍ମ, ୧୪ ଅର୍କିଡ୍‌ ଓ ୬୯ ପ୍ରଜାତିର ବିପନ୍ନ ଔଷଧୀୟ ଉଦ୍ଭିଦ ରହିଛି।

ପରିବେଶ ଆଇନ୍‌ ବିଶେଷଜ୍ଞ ଶଙ୍କର ପ୍ରସାଦ ପାଣି କହନ୍ତି, ‘‘୨୦୧୬ରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଗୁପ୍ତେଶ୍ବର ସଂରକ୍ଷିତ ଜଂଗଲ‌େର ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର ନିଷେଧ ଉପରେ ଦେଇଥିବା ନି‌େର୍ଦ୍ଦଶ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ନିଷେଧ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ନ କଲେ ଗୁପ୍ତେଶ୍ବରର ଜୈବବିବିଧତା ଅଚିରେ ବିପଦପ୍ରବଣ ହୋଇପଡ଼ିବ।’’ ସେହିପରି କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଜୈବବିବିଧତା ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ପ୍ରଫେସର ଶରତ କୁମାର ପଳିତା କହନ୍ତି, “ଗୁପ୍ତେଶ୍ବର ଜୈବମଣ୍ତଳ ହେଉଛି ଶୁଷ୍କ ପର୍ଣ୍ଣମୋଚୀ ଓ ଆର୍ଦ୍ର ପର୍ଣ୍ଣମୋଚୀ ଜଙ୍ଗଲ। ଏହି ସଂରକ୍ଷିତ ଜଙ୍ଗଲରେ ଆଦିମ ଦୁରୁଆ ଜନଜାତି ବାସ କରନ୍ତି। ଛତିଶଗଡ଼ରେ ସେମାନଙ୍କୁ ଜନଜାତିର ମାନ୍ୟତା ମିଳିଥିବା ବେଳେ ଏଠାରେ ଏହି ସମ୍ପ୍ରଦାୟଙ୍କୁ ଜନଜାତି ମାନ୍ୟତା ମିଳିନାହିଁ। ସେମାନଙ୍କୁ ଜନଜାତି ମାନ୍ୟତା ଦେଇ ତାଙ୍କର ଜୀବନଜୀବିକା ସୁରକ୍ଷିତ ରଖିପାରିଲେ ଗୁପ୍ତେଶ୍ବର ଜୈବମଣ୍ତଳ ମଧ୍ୟ ସୁରକ୍ଷିତ ରହିବ।”