ମାଓ-ସେ-ତୁଙ୍ଗ୍, ଷ୍ଟାଲିନଙ୍କୁ ସ୍ନେହରେ ଥାପୁଡାଇବାକୁ ସଙ୍କୋଚ କରି ନଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍

ସେପ୍ଟେମ୍ବର ୧୯୫୭। ଭାରତର ଉପରାଷ୍ଟ୍ରପତି ତିନି ସପ୍ତାହର ବିଦେଶ ଗସ୍ତରେ ଯାଇ ପହଞ୍ଚିଲେ ଚୀନ୍‌ରେ। ସେତେବେଳେ ପରମ ପ୍ରତାପୀ ସାମ୍ୟବାଦୀ ନେତା ମାଓ-ସେ-ତୁଙ୍ଗ୍ ଚୀନ୍‌ର ଅପ୍ରତିଦ୍ୱନ୍ଦ୍ୱୀ ଶାସକ। କେବଳ ଚୀନ୍ ନୁହେଁ, ସାରା ବିଶ୍ୱ ଥରହର ହେଉଥାଏ ତାଙ୍କର ପ୍ରତିପତ୍ତିରେ। ଭାରତର ଉପରାଷ୍ଟ୍ରପତିଙ୍କ ସହ ମାଓଙ୍କର ପ୍ରଥମ ସାକ୍ଷାତ୍। ହାତ ମିଶାଇଲେ ଦୁଇ ନେତା। ଏହା ପରେ ଯାହା ଘଟିଲା ତାହା ଇତିହାସ। ଚୀନ୍‌ର ସର୍ବୋଚ୍ଚ ଶାସକ ମାଓଙ୍କ ସହ ହାତ ମିଶାଇବା ପରେ, ଭାରତର ଉପରାଷ୍ଟ୍ରପତି ଫିଙ୍ଗିଦେଲେ ସବୁ ଔପଚାରିକ କାଇଦା କଟକଣା। ସ୍ନେହରେ ଥାପୁଡାଇବାକୁ ଲାଗିଲେ ପ୍ରବଳପ୍ରତାପୀ ମାଓଙ୍କ ଡାହାଣ ଗାଲକୁ। ପାଖରେ ଥିବା ଲୋକେ ଭୟରେ ଥରି ଉଠିଲେ। ଯେଉଁ ମାଓଙ୍କ ଆଖି ସହ ଆଖି ମିଶାଇବାକୁ ସମସ୍ତେ ଭୟ କରନ୍ତି, ତାଙ୍କ ଗାଲକୁ ଜଣେ ଥାପୁଡେଇଲା! ଆଗକୁ ରାଗରେ ମାଓ କ’ଣ କରିବେ, ସେହି ଆଶଙ୍କାରେ ସମସ୍ତେ ଝାଳରେ ବୁଡ଼ିଗଲେ। ହେଲେ ଉପରାଷ୍ଟ୍ରପତି ମହୋଦୟ ହସିହସି କହିଲେ, “ମିଷ୍ଟର ଚେୟାରମ୍ୟାନ୍‌, ଚିନ୍ତା କରନ୍ତୁନି! ମୁଁ ଷ୍ଟାଲିନ୍‌ଙ୍କ ସହ ବି ସମାନ କଥା କରିଛି!” ଏହି ପଦକ କଥାରେ ମାଓ ତରଳି ନଇଁଗଲେ ଏହି ଭାରତୀୟ ମହାମନୀଷୀଙ୍କ ପାଖରେ।

ଏହି ଉପରାଷ୍ଟ୍ରପତି ଜଣକ ହେଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍। ସେ ପରବର୍ତ୍ତୀ ସମୟରେ ଭାରତର ରାଷ୍ଟ୍ରପତି ହୋଇଥିଲେ। ଏହି ମହାନ ଭାରତୀୟ ଦାର୍ଶନିକ ଓ ଗୁରୁଙ୍କ ଗରିମା ଆଗରେ ମୁଣ୍ଡ ନୁଆଁଉଥିଲା ସାରା ବିଶ୍ୱ। ୧୯୫୦ରେ ଭାରତର ରାଷ୍ଟ୍ରଦୂତ ଭାବରେ ରୁଷ୍ ରାଷ୍ଟ୍ରପତି ଷ୍ଟାଲିନ୍‌ଙ୍କ ସହ ପ୍ରଥମ ଦେଖା ଓ ଆଲୋଚନା ବେଳେ, ଷ୍ଟାଲିନ୍‌ଙ୍କ ମୁଣ୍ଡକୁ ମଧ୍ୟ ଆଉଁସି ପକାଇଥିଲେ ରାଧାକ୍ରିଷ୍ଣନ୍। କୁହାଯାଏ, ମହାମହିମ ପୋପ୍‌ଙ୍କ ଭାରତ ଆଗମନ ସମୟରେ, ତାଙ୍କୁ ମଧ୍ୟ ସ୍ନେହରେ ଆଉଁସି ପକାଇଥିଲେ ସେ।

ରାଧାକ୍ରିଷ୍ଣନ୍ ଥିଲେ ପ୍ରକୃତ ଗୁରୁ। ତାଙ୍କ ନଜରରେ ବଡ଼ ରାଜନେତା କି ସାଧାରଣ ଛାତ୍ର, ସମସ୍ତେ ଥିଲେ ସମାନ। ସମସ୍ତେ ଥିଲେ ତାଙ୍କ ସ୍ନେହ ଓ ଜ୍ଞାନର ସମାନ ଅଧିକାରୀ। ତାଙ୍କର ଜନ୍ମ ଦିବସ ଗୁରୁଦିବସ ଭାବରେ ପାଳିତ ହୁଏ। ପବିତ୍ର ଗୁରୁଦିବସ ଅବସରରେ ଏହି ମହାନ ଦାର୍ଶନିକ ଓ ଗୁରୁତ୍ୱର ପ୍ରତିମୂର୍ତ୍ତିଙ୍କୁ ଅଶେଷ ଶ୍ରଦ୍ଧାଞ୍ଜଳି ଓ ପ୍ରଣାମ।

ସମ୍ବନ୍ଧିତ ଖବର