ଗୁରୁବାର: ଲକ୍ଷ୍ମୀବାର

ଲକ୍ଷ୍ମୀପୁରାଣ କଥା-୨

ସପ୍ତାହକ ସାତବାର। ‘ସପ୍ତାହ’ ଶବ୍ଦଟି ମଧ୍ୟ ସେଇକଥା କହେ। ଦୁଇଟି ଶବ୍ଦ ମିଶି ଏହା ଗଠିତ ହୋଇଛି। ଗୋଟିଏ- ସପ୍ତନ୍‌, ଯାହାର ଅର୍ଥ ସାତ; ଏବଂ ଅନ୍ୟଟି- ଅହନ୍‌, ଯାହାର ଅର୍ଥ ଦିନ। ଅର୍ଥାତ୍‌, ସାତଦିନକୁ ନେଇ ଗୋଟିଏ ସପ୍ତାହ। ଏହି ସାତଦିନ ବା ସାତବାରର ନାଆଁ- ରବି, ସୋମ, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର ଓ ଶନି। ବିଜ୍ଞାନ ଅନୁସାରେ ଏସବୁ ଗୋଟିଏ ଗୋଟିଏ ମହାଜାଗତିକ ପିଣ୍ଡ। ଏଥିରୁ ରବି ବା ସୂର୍ଯ୍ୟ ମୁଖ୍ୟ ଏବଂ ଅନ୍ୟମାନେ ତାଙ୍କ ପରିବାରର ଅଙ୍ଗ। ବିଜ୍ଞାନ ସୂର୍ଯ୍ୟଙ୍କୁ ନକ୍ଷତ୍ର, ଚନ୍ଦ୍ରଙ୍କୁ ଉପଗ୍ରହ ଏବଂ ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର ଓ ଶନିଙ୍କୁ ଗ୍ରହ ବୋଲି କହିଛି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମାନେ ସମସ୍ତେ ଗ୍ରହ। ବିଜ୍ଞାନ ଅନୁସାରେ, ଆମ ପୃଥିବୀ ମଧ୍ୟ ଗୋଟିଏ ଗ୍ରହ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅନ୍ୟମାନେ ଗ୍ରହ ଏବଂ ସେମାନଙ୍କର କେନ୍ଦ୍ର ହେଉଛି ପୃଥିବୀ।
ବିଜ୍ଞାନରେ ସୌର ପରିବାରର ଯେଉଁ ନଅଟି ଗ୍ରହ କଥା କୁହାଯାଇଛି, ଆମ ପୃଥିବୀକୁ ଛାଡ଼ି ସେଥିମଧ୍ୟରୁ ପାଞ୍ଚଟି ବାରର ନାମ ପାଞ୍ଚଟି ଗ୍ରହଙ୍କ ନାମ ଅନୁସାରେ ହୋଇଛି। ଶାସ୍ତ୍ର ବା ପୁରାଣରେ ବାକି ତିନିଗ୍ରହ ହୋଇଛନ୍ତି ଦେବତା। ସେମାନେ ହେଲେ- ଇନ୍ଦ୍ର, ବରୁଣ ଓ ଯମ। ଇନ୍ଦ୍ର ଦେବରାଜ, ବରୁଣ ସାଗର ଦେବତା ଓ ଯମ ମୃତ୍ୟୁ ଦେବତା। ବିଜ୍ଞାନରେ ଏମାନେ ଯଥାକ୍ରମେ ୟୁରାନସ୍‌, ନେପଚ୍ୟୁନ୍ ଓ ପ୍ଲୁଟୋ। ବିଜ୍ଞାନ ଏ ତିନି ଗ୍ରହଙ୍କୁ ଯଥାକ୍ରମେ ଆବିଷ୍କାର କଲା ୧୭୮୧, ୧୮୪୬ ଓ ୧୯୩୦ ଖ୍ରୀଷ୍ଟାବ୍ଦରେ। କିନ୍ତୁ ବୈଦିକ କାଳରୁ ଆମ ଭାରତରେ ଏମାନେ ଦେବତା ରୂପେ ସ୍ୱୀକୃତ ହୋଇ ଆସିଛନ୍ତି। ଏହା ବିଶ୍ୱବିଜ୍ଞାନ ଅପେକ୍ଷା ଆମ ଭାରତବର୍ଷର ପାରମ୍ପରିକ ଜ୍ଞାନ ବା ମନୀଷାର ମହତ୍ତ୍ୱ ସୂଚାଏ।

ସପ୍ତାହର ପଞ୍ଚମ ବାର ଗୁରୁବାର। ଏହାର ନାମକରଣ ହୋଇଛି ବୃହସ୍ପତିଙ୍କ ଅନୁସାରେ। କାରଣ, ବୃହସ୍ପତି ସୁରାଚାର୍ଯ୍ୟ ବା ଦେବତାଙ୍କର ଗୁରୁ। ଏଣୁ ଗୁରୁବାରର ଅନ୍ୟନାମ ବୃହସ୍ପତିବାର। ସୂର୍ଯ୍ୟଙ୍କଠାରୁ ଦୂରତା କ୍ରମରେ ଏବଂ ଜ୍ୟୋତିଷ ଗଣନାରେ ମଧ୍ୟ ବୃହସ୍ପତି ପଞ୍ଚମ ଗ୍ରହ। ଏହା ବୃହତ୍ତମ ଗ୍ରହ ଏବଂ ମହାଗ୍ରହ ବା ଗ୍ରହରାଜ ଭାବରେ ସ୍ୱୀକୃତ। ତାଙ୍କର ବର୍ଣ୍ଣ ସୁବର୍ଣ୍ଣ ଓ ଲୋହିତ। ସେ ଅଭୀଷ୍ଟବର୍ଷୀ; ଅର୍ଥାତ୍‌, ଦେବତାମାନଙ୍କୁ ସେ ଅଭୀଷ୍ଟଫଳ ପ୍ରଦାନ କରନ୍ତି। ସେ ମଧ୍ୟ ସୁବର୍ଣ୍ଣ ପ୍ରଦାନ କରନ୍ତି; ଅର୍ଥାତ୍‌- ସେ ଧନଦାତା। ରାଶିଚକ୍ରର ବିଭିନ୍ନ ସ୍ଥାନରେ ଅବସ୍ଥାନ କରି ବୃହସ୍ପତି ଭିନ୍ନ ଭିନ୍ନ ଫଳ ପ୍ରଦାନ କରିଥାଆନ୍ତି। ସେ ପଞ୍ଚମରେ ଅବସ୍ଥାନ କଲେ ସର୍ବଶୁଭ ହୁଏ ଏବଂ ଏକାଦଶରେ ଅବସ୍ଥାନ କଲେ ଧନଲାଭ ହୁଏ।

ବୃହସ୍ପତିଙ୍କ ପରି, ଦେବୀ ଲକ୍ଷ୍ମୀ ମଧ୍ୟ ଧନଦାତ୍ରୀ ଦେବୀ। ସେ ମଧ୍ୟ ସୁବର୍ଣ୍ଣବର୍ଣ୍ଣା। ସେଥିପାଇଁ ତାଙ୍କୁ କୁହାଯାଇଛି- ହିରଣ୍ମୟୀ ଦେବୀ। ସେ ସୁମୁଖୀ ହେଲେ ସୁବର୍ଣ୍ଣ, ଗୋ, ଅଶ୍ୱ ଓ ଲୋକବଳ ପ୍ରଦାନ କରନ୍ତି ବୋଲି ‘ଋକ୍‌ବେଦ’ର ‘ଶ୍ରୀସୂକ୍ତ’ରେ କୁହାଯାଇଛି। ସେ ଶ୍ରୀ ଓ ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି। ବୃହସ୍ପତିଙ୍କ ପରି ସେ ମଧ୍ୟ ବରଦାୟିନୀ। ବୃହସ୍ପତି ଯେପରି ପ୍ରତିକୂଳ ସ୍ଥାନରେ ଅବସ୍ଥାନ କଲେ ଅଶୁଭ ଫଳ ଦେଇଥାଆନ୍ତି, ସେହିପରି ଲକ୍ଷ୍ମୀ ମଧ୍ୟ ପ୍ରତିକୂଳ ହେଲେ ଅନ୍ନ, ବସ୍ତ୍ର, ବାସଗୃହ ଆଦି ମିଳି ନଥାଏ। ଲୋକେ ହତଲକ୍ଷ୍ମା ବା ଲକ୍ଷ୍ମୀଛଡ଼ା ଭାବରେ ପରିଗଣିତ ହୁଅନ୍ତି।

ସମ୍ଭବତଃ ଏହିସବୁ ଦୃଷ୍ଟିରୁ, ଆମର ପୁରାଣ ପରମ୍ପରାରେ ଗୁରୁବାରଟି ଦେବଗୁରୁ ବୃହସ୍ପତି ଓ ଦେବୀ ଲକ୍ଷ୍ମୀଙ୍କ ସହ ସଂପର୍କିତ। ଏହା ‘ଲକ୍ଷ୍ମୀବାର’ ନାମରେ ମଧ୍ୟ ଓଡ଼ିଶାର ଘରେ ଘରେ ସ୍ୱୀକୃତ। କାରଣ, ଏହିଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କଲେ ସେ ସନ୍ତୁଷ୍ଟ ହୁଅନ୍ତି। ଶ୍ରୀ ଓ ଐଶ୍ୱର୍ଯ୍ୟର ଏହି ଦେବୀ ଆମକୁ ଶ୍ରୀ ଓ ଐଶ୍ୱର୍ଯ୍ୟ ପ୍ରଦାନ କରନ୍ତି।
-ଅସିତ ମହାନ୍ତି

ସମ୍ବନ୍ଧିତ ଖବର