ହିତକାରୀ ହବିଷ ଡାଲମା: ଯେତିକି ସ୍ବାଦିଷ୍ଟ, ସେତିକି ସ୍ବାସ୍ଥ୍ୟପ୍ରଦ

ବିନା ହଳଦୀରେ ପ୍ରସ୍ତୁତ ‘ଅଣବଘରା’ ହବିଷ ଡାଲମା ଏକ ବିଶେଷ ବ୍ୟଞ୍ଜନ, ଯାହାକି ଭଜାମୁଗଡାଲି (ସ୍ଥଳବିଶେଷରେ କଞ୍ଚାମୁଗଡ଼ାଲି), କଞ୍ଚାକଦଳୀ, ସାରୁ, ଓଉ ଓ ନଡ଼ିଆରେ ପ୍ରସ୍ତୁତ ହୋଇଥାଏ। ସ୍ଥାନ ବିଶେଷରେ ଏଥିରେ ପାଳୁଅ ଓ କନ୍ଦମୂଳ ଆଦି ପଡ଼ିଥାଏ।

ମୁଗଡାଲି ସମସ୍ତ ଡାଲି ମଧ୍ୟରେ ଶ୍ରେଷ୍ଠ। ଏହା ମଧୁର ରସ, ଶୀତବୀର୍ଯ୍ୟ, କଟୁ ବିପାକଯୁକ୍ତ, କଫପିତ୍ତହର ଏବଂ ସହଜରେ ହଜମ ହୋଇଥାଏ। ଏହା ମଧ୍ୟ ଶରୀରକୁ ବଳ ଓ ପୁଷ୍ଟି ପ୍ରଦାନ କରିବା ସହିତ ନେତ୍ର ପାଇଁ ହିତକାରୀ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ପୁଷ୍ଟିସାର ଓ ବିବିଧ ଜୀବସାର ଥାଏ।
କଞ୍ଚାକଦଳୀ ତିକ୍ତ କଷାୟ ରସଯୁକ୍ତ। ଏହା ତୃଷ୍ଣା, ରକ୍ତଝାଡ଼ା, ପ୍ରମେହ, ରକ୍ତପିତ୍ତ ଓ ଚକ୍ଷୁ ରୋଗପାଇଁ ହିତକାରୀ। ଏଥିରେ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ବିବିଧ ଜୀବସାର ଓ ଖଣିଜଲବଣମାନ ରହିଥିବାରୁ ଏହା ଏକ ଉତ୍ତମ ଖାଦ୍ୟ।

ସାରୁ ମଧୁର ରସ ଓ ଶୀତବୀର୍ଯ୍ୟଯୁକ୍ତ। ଏହାର ନିୟମିତ ସେବନ କୋଷ୍ଠକାଠିନ୍ୟ ଦୂର କରିବା ସହିତ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିଥାଏ। ଏଥିରେ ଅଧିକ ପରିମାଣରେ ଶ୍ୱେତସାର ଏବଂ ମଧ୍ୟମ ଧରଣର ପୁଷ୍ଟିସାର ଓ ଜୀବସାର ରହିଥାଏ।
ଓଉ କଷାୟ-ଅମ୍ଳଯୁକ୍ତ। ଏହା ‘ହବିଷ୍ୟାନ୍ନ’କୁ ରୁଚିକର କରିଥାଏ।

ନଡ଼ିଆ ମଧୁର ରସ, ମଧୁର ବିପାକ, ଶୀତବୀର୍ଯ୍ୟଯୁକ୍ତ ଓ ବାତପିତ୍ତ ବିନାଶକ। ଏହା ଓଜନ ବୃଦ୍ଧିରେ ସହାୟକ ହୋଇଥାଏ ଏବଂ ଶରୀରକୁ ବଳ ପ୍ରଦାନ କରେ। ଏହା ହୃଦୟ ତଥା ମୂତ୍ରବାହ ସଂସ୍ଥାନ ପାଇଁ ହିତକାରୀ। ଏଥିରେ ଖଣିଜଲବଣମାନ ରହିଛି। ଏହା ସ୍ନେହସାର ଯୁକ୍ତ ହୋଇଥିବାରୁ ‘ଅଣବଘରା’ ହବିଷ ଡାଲମାରେ ପ୍ରାକୃତିକ ତେଲର ଅଭାବକୁ ମଧ୍ୟ ଦୂର କରିଥାଏ।

ହବିଷ ଡାଲମାରେ ଲଙ୍କା ବଦଳରେ ଅଦାର ପ୍ରୟୋଗ କରାଯାଇଥାଏ, ଯାହାକି କଟୁ-ରସଯୁକ୍ତ ଓ କଫନିବାରକ। ଏହା ମଧ୍ୟ ପାଚନ କ୍ରିୟାରେ ସହାୟକ ହୋଇଥାଏ।

ଏଣୁ, ଆୟୁର୍ବେଦ ଦୃଷ୍ଟିରୁ ‘ହବିଷ୍ୟାନ୍ନ’ ଏକ ସଂପୂର୍ଣ୍ଣ ଆହାର। କାରଣ, ଏହା ପ୍ରାୟ ସମସ୍ତ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ, ତ୍ରିଦୋଷ ନିବାରକ ଓ ଷଡ଼୍‌ରସ ଯୁକ୍ତ। ଏଣୁ ଏହାର ଉପଯୁକ୍ତ ପ୍ରସ୍ତୁତି ଓ ପ୍ରୟୋଗ ଆମକୁ ନିରୋଗ ରଖିବା ସହିତ ଆମର ଆଧ୍ୟାତ୍ମିକ ଅଗ୍ରଗତିରେ ସହାୟକ ହୋଇଥାଏ।

-ଡା. କୁମାର ଅରୋଜ୍ୟୋତି

ସମ୍ବନ୍ଧିତ ଖବର