ଆଜିକାଲି କମ୍ ବୟସରେ କେଶ ଧଳା ହୋଇଯାଉଛି କାହିଁକି?
ଅଳ୍ପ ବୟସରେ କେଶ ଧଳା ହେବାର ଅନେକ କାରଣ ରହିଛି। କିଛି ଜିନ୍ଗତ ସମସ୍ୟା ହେତୁ ଓ କିଛି ଅଟୋଇମ୍ୟୁନୋ ରୋଗ ଯୋଗୁଁ ହୋଇଥାଏ। ମାନସିକ ଚାପ ତଥା ଖାଦ୍ୟରେ କିଛି ଭିଟାମିନ୍ ଓ ମିନେରାଲର ଅଭାବ ଯୋଗୁଁ ମଧ୍ୟ କେଶ ଧଳା ହେଇଥାଏ। ତା’ ସହ ବର୍ତ୍ତମାନ ସମୟରେ ଅତ୍ୟଧିକ ପ୍ରଦୂଷଣ, ସୂର୍ଯ୍ୟ କିରଣରେ ଅତିବାଇଗଣୀ ରଶ୍ମିର ପ୍ରାବଲ୍ୟ ତଥା ଧୂମପାନ ଦ୍ୱାରା ମଧ୍ୟ କେଶ ଧଳା ହୋଇଥାଏ।
କେଶ ଝଡ଼ିବା ଓ ରୁପି ସମସ୍ୟା କିପରି ଦୂରେଇବା?
ପ୍ରଥମେ ଚୁଟି ଝଡ଼ିବା ଓ ରୁପି ହେବାର କାରଣ ଜାଣିଗଲେ ତା’ର ନିରାକରଣ କରିପାରିବା। ମୁଖ୍ୟତଃ ମୁଣ୍ଡର ଚର୍ମ ତେଲିଆ ହେଇଥିଲେ ସେଥିରେ ଗୋଟେ କବକ ସଂକ୍ରମଣ ହୁଏ, ଯାହାଫଳରେ ମୁଣ୍ଡ କୁଣ୍ଡେଇ ହେବା ଓ ରୁପି ସମସ୍ୟା ହୁଏ। ତା’ସହ ମୁଣ୍ଡର ସୋରିଆସିସ୍ ପରି ରୋଗ ଥିଲେ ଅତ୍ୟଧିକ ରୁପି ଭଳି କାତି ଛାଡ଼ିବା ଲକ୍ଷ୍ୟ କରାଯାଏ।
ଆଲୋପେସିଆ କ’ଣ? ଏହାର ନିରାକରଣ କ’ଣ ରହିଛି?
ସାଧାରଣତଃ ଯେକୌଣସି କାରଣ ଯୋଗୁଁ ଚୁଟି ଝଡ଼ିବାକୁ ମେଡିକାଲ୍ ଭାଷାରେ ଆଲୋପେସିଆ କୁହାଯାଏ। ତା’ର ଅନେକ କାରଣ ରହିଛି। ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଚୁଟି ଝଡ଼ିବାର କାରଣ ଅଲଗା ଅଲଗା। ଯେପରିକି ଜିନ୍ ଓ ପୁରୁଷ ହରମୋନ, କୌଣସି ରୋଗ, ଦୁର୍ଘଟଣା, ମାନସିକ ଚାପ ଇତ୍ୟାଦି କାରଣ ଯୋଗୁଁ ମଧ୍ୟ ଚୁଟି ଝଡ଼େ। ସେଥିପାଇଁ ଚୁଟି ଝଡ଼ିବା ସମସ୍ୟା ଦେଖାଗଲେ ଚର୍ମ ଡାକ୍ତରଙ୍କୁ ପରାମର୍ଶ କରି ରୋଗ ଅନୁଯାୟୀ ଚିକିତ୍ସା କରିବା ଉଚିତ।
ଆଜିକାଲି କେଶ ପ୍ରତିରୋପଣ କରାଯାଉଛି। ଏହାର ପ୍ରକ୍ରିୟା କିଭଳି?
କେଶ ପ୍ରତିରୋପଣ ପୂର୍ବରୁ କିଛି କଥାକୁ ଧ୍ୟାନ ଦିଆଯାଇଥାଏ। ପ୍ରଥମତଃ ଚୁଟି ଝଡ଼ିବା କାରଣ ଅନୁଯାୟୀ ଚର୍ମ ବିଶେଷଜ୍ଞଙ୍କ ଦ୍ବାରା ଯାହା ସବୁ ଚିକିତ୍ସା ଉପଲବ୍ଧ ଅଛି ସେସବୁ କରିବା ପରେ ଯଦି ସୁଫଳ ମିଳୁନାହିଁ ତେବେ ପ୍ରତିରୋପଣ କଥା ଚିନ୍ତା କରାଯାଇପାରେ। ତା’ ସହ ରୋଗୀର ବୟସ, ଅନ୍ୟ କିଛି ରୋଗ ଅଛି କି ନାହିଁ ତଥା ଚନ୍ଦାପଣର ଗ୍ରେଡ୍ ଓ ଡୋନୋର ଏରିଆରେ ଆବଶ୍ୟକ କେଶ ଅଛି କି ନାହିଁ ଇତ୍ୟାଦି ବିଚାରକୁ ନିଆଯାଏ। ଗୁରୁତ୍ୱପୂର୍ଣ୍ଣ ହେଲା, କାହା ପାଖରେ ଏ ସର୍ଜରି କରୁଛନ୍ତି ତାକୁ ଭଲ ଭାବରେ ପରଖିବା। କେବଳ ଚର୍ମ ବିଶେଷଜ୍ଞ ଓ ପ୍ଲାଷ୍ଟିକ୍ ସର୍ଜନ ହିଁ କେଶ ପ୍ରତିରୋପଣ କରିପାରିବେ। ତା’ସହ କ୍ଲିନିକ୍ ବା ହସ୍ପିଟାଲର ଓ.ଟି. ତଥା ଏମର୍ଜେନ୍ସି ସୁବିଧାକୁ ମଧ୍ୟ ନଜରରେ ରଖିବା ଉଚିତ।
କେଶର ଭଲ ସ୍ବାସ୍ଥ୍ୟ ପାଇଁ ଘରୋଇ ଉପଚାର କ’ଣ ରହିଛି?
ମୁଣ୍ଡର ଚର୍ମ ଓ କେଶର ଦୈନନ୍ଦିନ ଯତ୍ନ ପାଇଁ ପ୍ରଥମତଃ ସପ୍ତାହକୁ ୨-୩ ଥର ସାମ୍ପୁ କରିବା ଉଚିତ ଏବଂ ନିଜର ସ୍କିନ୍ ଟାଇପ୍ ଅନୁସାରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପ୍ରଡକ୍ଟ ବ୍ୟବହାର କରିବା ଉଚିତ। ସାମ୍ପୁ କଲାପରେ କଣ୍ଡିସନର ବ୍ୟବହାର କରିବାକୁ ଭୁଲିବାନି। ମୁଣ୍ଡର ଚର୍ମ ଯଦି ଅତ୍ୟଧିକ ତେଲିଆ ରହୁଛି ତେବେ ତେଲ ଲଗାଇବା ଅନୁଚିତ। ଡ୍ରାୟର ବ୍ୟବହାର କରି ଚୁଟି ଶୁଖାନ୍ତୁ ନାହିଁ। ମୁଣ୍ଡରେ ଯଦି କୌଣସି ରୋଗ ଅଛି ତେବେ ଘରୋଇ ଉପଚାର କରନ୍ତୁ ନାହିଁ।
ସବୁ ଚିକିତ୍ସା ବିଫଳ ହେଲେ କେଶ ପ୍ରତିରୋପଣ କରାଯାଏ
ଅଳ୍ପ ବୟସରେ କେଶ ଧଳା ହେବାର ଅନେକ କାରଣ ରହିଛି। କିଛି ଜିନ୍ଗତ ସମସ୍ୟା ହେତୁ ଓ କିଛି ଅଟୋଇମ୍ୟୁନୋ ରୋଗ ଯୋଗୁଁ ହୋଇଥାଏ। ମାନସିକ ଚାପ ତଥା ଖାଦ୍ୟରେ କିଛି ଭିଟାମିନ୍ ଓ ମିନେରାଲର ଅଭାବ ଯୋଗୁଁ ମଧ୍ୟ କେଶ ଧଳା ହେଇଥାଏ।
/sambad/media/media_files/2025/09/17/dagdagdgd-2025-09-17-04-06-40.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)