‘ଲାନ୍ସେଟ୍ ଗ୍ଲୋବାଲ୍ ହେଲ୍ଥ’ର ଏକ ସଦ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ଆମ ଦେଶର ବୟସ୍କଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ନିର୍ଦ୍ଧାରିତ ପର୍ଯ୍ୟାପ୍ତ ଶାରୀରିକ ପରିଶ୍ରମ କରୁନାହାନ୍ତି ବୋଲି ଜଣାଯାଇଛି। ଅର୍ଥାତ୍ ପରୋକ୍ଷରେ ସେମାନେ ଶାରୀରିକ ଭାବେ ‘ଅନ୍ଫିଟ୍’ ବା ଅନୁପଯୁକ୍ତ ବୋଲି କୁହାଯାଉଛି।
ଏହି ରିପୋର୍ଟ ଅନୁଯାୟୀ, ଦେଶର ବୟସ୍କଙ୍କ ମଧ୍ୟରେ ଶାରୀରିକ ଅନୁପଯୋଗିତା ୨୦୦୦ ମସିହାରେ ୨୨.୩ ପ୍ରତିଶତ ଥିଲା ବେଳେ ୨୦୨୨ରେ ଏହା ୪୯.୪ ପ୍ରତିଶତକୁ ବୃଦ୍ଧି ପାଇଛି। ପୁଣି ସେମାନଙ୍କ ଭିତରେ ୫୭ ପ୍ରତିଶତ ମହିଳା ଥିବା ବେଳେ ୪୨ ପ୍ରତିଶତ ହେଉଛନ୍ତି ପୁରୁଷ। ୧୯୫ଟି ଦେଶର ନାଗରିକଙ୍କୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣରେ ଶାରୀରିକ ଅନୁପଯୋଗୀ ତାଲିକାର ଦ୍ବାଦଶ ସ୍ଥାନରେ ରହିଛି ଭାରତ। ବିଶ୍ବସ୍ତରରେ ୩୧ ପ୍ରତିଶତ ବା ପ୍ରାୟ ୧୮୦ କୋଟି ଲୋକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ନିର୍ଦ୍ଧାରିତ ଶାରୀରିକ ଦକ୍ଷତା ମାନଦଣ୍ଡ ଛୁଇଁବାରେ ବିଫଳ ହୋଇଛନ୍ତି। ସେମାନଙ୍କ ଭିତରେ ଉଚ୍ଚ ରୋଜଗାରକ୍ଷମ ଏସୀୟ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସର୍ବାଧିକ ୪୮ ପ୍ରତିଶତ ବ୍ୟକ୍ତି ରହିଥିବା ବେଳେ ଦକ୍ଷିଣ ଏସିଆରେ ଏହି ହାର ୪୫ ପ୍ରତିଶତ ରହିଛି। ବିଶେଷ କରି ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନ ପରି ଦେଶର ଅନୁପଯୁକ୍ତ ବୟସ୍କ ମହିଳାଙ୍କ ହାର ପୁରୁଷଙ୍କ ତୁଳନାରେ ୧୪ରୁ ୨୦ ପ୍ରତିଶତ ଅଧିକ ରହୁଥିବାରୁ ତାହା ଚିନ୍ତାର କାରଣ ହୋଇଛି। ଅପରପକ୍ଷେ, ବାଂଲାଦେଶ, ଭୁଟାନ୍ ଓ ନେପାଳ ଆଦି ପଡ଼ୋଶୀ ଦେଶର ବୟସ୍କ ମହିଳାମାନେ ଅପେକ୍ଷାକୃତ ଅଧିକ ସକ୍ରିୟ ଅଛନ୍ତି। ସେହିପରି ଉଚ୍ଚ ଆୟବର୍ଗ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଏହି ହାର ୨୮ ପ୍ରତିଶତ ଥିବା ବେଳେ ଓସିନିଆରେ ଏହା ସର୍ବନିମ୍ନ ୧୪ ପ୍ରତିଶତ ରହିଛି।
ଯଦି ଏହି ଧାରାରେ ସକାରାତ୍ମକ ପରିବର୍ତ୍ତନ ନ ଘଟେ, ତେବେ ୨୦୩୦ ବେଳକୁ ଭାରତର ପ୍ରାୟ ୬୦ ପ୍ରତିଶତ ବୟସ୍କ ଶାରୀରିକ ଭାବେ ଅନୁପଯୁକ୍ତ ହୋଇଯିବେ। ଉଲ୍ଲେଖଯୋଗ୍ୟ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କ ପାଇଁ ସପ୍ତାହକୁ ୧୫୦ରୁ ୩୦୦ ମିନିଟର ବ୍ୟାୟାମ ବା ସମତୁଲ ଶାରୀରିକ ପରିଶ୍ରମ କରିବାକୁ ପରାମର୍ଶ କରାଯାଇଛି। ଆବଶ୍ୟକ ଶାରୀରିକ ପରିଶ୍ରମ ଅଭାବରୁ ବିଭିନ୍ନ ପ୍ରକାର ହୃଦରୋଗ ସମେତ ମଧୁମେହ, ସ୍ତନ କର୍କଟ, ଅନ୍ତ୍ରାଶୟ କର୍କଟ ଓ ଡିମେନ୍ସିଆ ପରି ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି।