ସେ ଥିଲେ ଆଧୁନିକ ଓଡ଼ିଶାର ବିଶୁ ମହାରଣା। ତାଙ୍କ ନିହାଣ ମୁନର ପ୍ରତିଟି ସ୍ପର୍ଶରେ ଜୀବନ୍ତ ହୋଇଉଠୁଥିଲା ଅନେକ ପ୍ରସ୍ତର କଳା। ତାଙ୍କ କଳାଭାସ୍କର୍ଯ୍ୟର ସ୍ବାକ୍ଷର କେବଳ ରାଜ୍ୟରେ ନୁହେଁ, ଦେଶବିଦେଶରେ ପ୍ରସ୍ଫୁଟିତ ହେଉଥିଲା। ଖାଲି ସେତିକି ନୁହେଁ, ତାଙ୍କରି ଉଦ୍ୟମରେ ଓଡ଼ିଶାର କଳା, ଐତିହ୍ୟ, ଭାସ୍କର ଓ ପ୍ରସ୍ତରଶିଳ୍ପ ସାରାବିଶ୍ବରେ ଖ୍ୟାତି ଅର୍ଜନ କରିଥିଲା। ତାଙ୍କର ତିରୋଧାନ ସାରା ଶିଳ୍ପଜଗତ ପାଇଁ ଖାଲି ଅପୂରଣୀୟ କ୍ଷତି ନୁହେଁ, ଓଡ଼ିଶାର କଳାପ୍ରାଣରେ ଏକ ବିରାଟ ଶୂନ୍ୟତା। ହେଲେ, ତାଙ୍କର ପ୍ରତିଟି ଶିଳ୍ପକଳା ଭିତରେ ସେ ବଞ୍ଚିରହିବେ କାଳକାଳ।
ସେହି ମହାନ୍ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ‘ସମ୍ବାଦ’ର ସ୍ବତନ୍ତ୍ର ପ୍ରତିବେଦନ…।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ପ୍ରାୟ ୮ ବର୍ଷ ତଳେ ରଘୁନାଥ ମହାପାତ୍ର ଦ୍ବିତୀୟ କୋଣାର୍କ ଗଢ଼ିବେ ବୋଲି କହିଥିଲେ। ଏହା ତାଙ୍କ ସ୍ବପ୍ନର ପ୍ରକଳ୍ପ ବୋଲି ବିଭିନ୍ନ ସ୍ଥାନରେ କହିଥିଲେ। ୨୦୧୩ ମସିହାରେ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ମଧ୍ୟ ରାଜ୍ୟ ସରକାରଙ୍କୁ ଦେଇଥିଲେ। ତାଙ୍କର ଯୁକ୍ତି ଥିଲା, ଏଇ ମାଟିର ପୂର୍ବ ପୁରୁଷମାନେ କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ଏକ ବିଶ୍ବପ୍ରସିଦ୍ଧ ସ୍ଥାପତ୍ୟ ଗଢ଼ିଥିଲେ। କିନ୍ତୁ ଏବେ ତାହାର କିଛି ଅଂଶ ରହିଛି। ସମ୍ପୂର୍ଣ୍ଣ ମନ୍ଦିରଟି ଥିଲେ ଉତ୍କଳର ଚମତ୍କାର କଳା, ଭାସ୍କର୍ଯ୍ୟକୁ ବିଶ୍ବବାସୀ ଆହୁରି ଭଲ ଭାବେ ଦେଖିପାରିଥା’ନ୍ତେ। ତେଣୁ ସେ ପୂର୍ଣ୍ଣାଙ୍ଗ କୋଣାର୍କ ମନ୍ଦିର ଆଉ ଥରେ ଗଢ଼ି ବିଶ୍ବବାସୀଙ୍କ ଆଗରେ ଓଡ଼ିଶାର ଭାସ୍କର୍ଯ୍ୟକୁ ଆଉ ଥରେ ପ୍ରଦର୍ଶିତ କରିବେ। ସେ ଏହି ପ୍ରସ୍ତାବିତ ମନ୍ଦିରକୁ ଆଦିତ୍ୟ ନାରାୟଣ ମନ୍ଦିର ନାମରେ ନାମିତ କରିଥିଲେ।
ଭୁବନେଶ୍ବର-ପୁରୀ ମଝିରେ ୧୦୦ ଏକର ଜାଗାରେ ସେ ଏହି ମନ୍ଦିରର ନକ୍ସା ଆଙ୍କିଥିଲେ। ଏଥି ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସେ ସହଯୋଗ ଲୋଡ଼ିଥିଲେ। ୨୦୧୮ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହେଲା ପରେ ଏହି ସ୍ବପ୍ନକୁ ସାକାର କରିବା ପାଇଁ ଆହୁରି ଲାଗିପଡ଼ିବେ ବୋଲି କହିଥିଲେ। କିନ୍ତୁ ସେହି ସ୍ବପ୍ନ ତାଙ୍କର ଅଧୁରା ରହିଗଲା। ଓଡ଼ିଶାର ସମୃଦ୍ଧ ଭାସ୍କର୍ଯ୍ୟକୁ ବିଶ୍ବବାସୀ ଆଉଥରେ ଦେଖିବା ଆଗରୁ ଶ୍ରୀ ମହାପାତ୍ର ଆରପାରିକୁ ଚାଲିଗଲେ।
ମାଷ୍ଟରକ୍ୟାଣ୍ଟିନ ଘୋଡ଼ା ରାଜଧାନୀ ପାଇଁ ଥିଲା ଶ୍ରେଷ୍ଠ ଉପହାର
ମାଷ୍ଟରକ୍ୟାଣ୍ଟିନ୍ର ବ୍ୟସ୍ତବହୁଳ ରାସ୍ତାରେ ରାଜଧାନୀ ଭୁବନେଶ୍ବରର ପ୍ରତୀକ ଭାବେ ଦଣ୍ଡାୟମାନ ପ୍ରସ୍ତର ଘୋଡ଼ାକୁ ନିର୍ମାଣ କରିଛନ୍ତି ରଘୁନାଥ ମହାପାତ୍ର। ୧୯୮୦ ମସିହାରେ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ ଏହି ଘୋଡ଼ା ହେଉଛି କୋଣାର୍କରେ ସ୍ଥାପିତ ପ୍ରସ୍ତର ଘୋଡ଼ାର ଅବିକଳ ପ୍ରତିକୃତି। ଘୋଡ଼ାର ଉଚ୍ଚତା ୧୫ ଫୁଟ ହୋଇଥିବା ବେଳେ ଏହାର ଲମ୍ବ ୧୮ ଫୁଟ ରହିଛି। ଏହାର ନିର୍ମାଣ ପାଇଁ ସ୍ବର୍ଗତ ମହାପାତ୍ର ୧ ଲକ୍ଷ ଟଙ୍କାର ପାରିଶ୍ରମିକ ନେଇଥିଲେ। ୧୯୪୮ରେ ଭୁବନେଶ୍ବର ରାଜଧାନୀର ମାନ୍ୟତା ପାଇବା ପରେ ଏହି ପ୍ରସ୍ତର ପ୍ରତିମୂର୍ତି ରାଜଧାନୀ ପାଇଁ ତାଙ୍କର ଉପହାର ବୋଲି ଶ୍ରୀ ମହାପାତ୍ର କହିଥିଲେ।