ନାଏବେ ଆଦୃତି ଲାଭ କରୁଛି ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀ। କେବଳ ବୟସ୍କ ନୁହନ୍ତି, ବର୍ତ୍ତମାନର ଯୁବପିଢ଼ି ବି ଏଥିପ୍ରତି ବେଶ୍ ଆକର୍ଷିତ । ଓଡ଼ିଆ ବୁଣାକାରଙ୍କ ହାତବୁଣା ବସ୍ତ୍ରରୁ ତିଆରି ଆଧୁନିକ ଡିଜାଇନ୍ ପରିଧାନର ଚାହିଦା ଢେର୍ ବଢ଼ିଛି। ବିବାହ ଭୋଜି, ଜନ୍ମଦିନ ପାର୍ଟି, ପିକ୍ନିକ୍ ଓ ଅଫିସ୍, ସବୁ ଅବସର ପାଇଁ ଏବେ ହସ୍ତତନ୍ତ ପୋଷାକର ଆଦର କାହିଁରେ କ’ଣ। ନିଜକୁ ସମ୍ଭ୍ରାନ୍ତ, ଷ୍ଟାଇଲିସ୍ ଓ ଫେସନେବୁଲ୍ ଦେଖାଇବା ପାଇଁ ଏବେ ହସ୍ତତନ୍ତ ପୋଷାକ ଏକ ମାଧ୍ୟମ ପାଲଟିଛି। ମହିଳାମାନେ ସମ୍ବଲପୁରୀ ବସ୍ତ୍ରରୁ ତିଅାରି କୁର୍ତ୍ତୀ-ସାଲ୍ୱାର୍ଠାରୁ ଆରମ୍ଭ କରି ୱାନ୍ ପିସ୍, ଡଙ୍ଗରି, ସ୍କର୍ଟ, ଜମ୍ପ୍ସୁଟ୍ ଓ ଟପ୍ସ୍ ଆଦି ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଏମିତିକି ଲେହେଙ୍ଗା, ଭ୍ୟାନିଟି ବ୍ୟାଗ୍, କ୍ଲିପ୍, କପଡ଼ା ଓ ଅଳଙ୍କାରରେ ମଧ୍ୟ ହସ୍ତତନ୍ତର ଛିଟା ନଜର ଆସୁଛି। ପୁରୁଷମାନେ ମଧ୍ୟ ହସ୍ତତନ୍ତ କପଡ଼ା ତିଆରି କୋଟ୍, କୁର୍ତ୍ତା, ପଗଡ଼ି ପିନ୍ଧିବା ଫ୍ୟାସନ୍ ଟ୍ରେଣ୍ଡ୍ରେ ଅଛି।
ବଜାର ଚାହିଦା ଦେଖି ଏବେ ଅନ୍ଲାଇନ୍ ପ୍ଲାଟ୍ଫର୍ମ ହସ୍ତତନ୍ତ ଉତ୍ପାଦଗୁଡ଼ିକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଉଛନ୍ତି। ପୂର୍ବରୁ ବୁଣାକାରମାନେ ଗ୍ରାହକଙ୍କ ସହ ସିଧାସଳଖ ଯୋଡ଼ି ହେବାକୁ ବିଭିନ୍ନ ମେଳା ଓ ପ୍ରଦର୍ଶନୀକୁ ଅପେକ୍ଷା କରୁଥିଲେ। କିନ୍ତୁ ଏବେ ସେମାନଙ୍କୁ ଅନ୍ଲାଇନ୍ ପ୍ଲାଟଫର୍ମ ଯୋଡୁଛି। ଦୋକାନ ଅପେକ୍ଷା ଅନ୍ଲାଇନ୍ ବ୍ୟବସ୍ଥାରେ ପୋଷାକର ଦାମ୍ କମ୍ ରହୁଥିବାରୁ ଗ୍ରାହକମାନେ ବି ଆଗ୍ରହ କରୁଛନ୍ତି। ଶାଢ଼ି କିମ୍ବା ପୋଷାକର ଭିଡିଓ, ଫଟୋ ଦେଖି ଗ୍ରାହକ ଅର୍ଡର କରୁଛନ୍ତି ଏବଂ ୫-୬ ଦିନ ଭିତରେ ଜିନିଷଟି ମିଳିଯାଉଛି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, କଟକ ଆଦି ଅଞ୍ଚଳର ବୁଣାକାରମାନେ ଏହି ଅନ୍ଲାଇନ୍ ବ୍ୟବସାୟରେ ଯୋଡ଼ି ହେଉଛନ୍ତି।
ଏହା ସହିତ ବିଭିନ୍ନ ଷ୍ଟୋର୍ ନିଜସ୍ବ ୱେବ୍ସାଇଟ୍ ଖୋଲି ମଧ୍ୟ ବିକ୍ରି କରାଉଛନ୍ତି। ‘ଫାବ୍ ଇଣ୍ଡିଆ’ ସହ ‘କୁଭ୍ସ’, ‘ଫ୍ଲିପ୍କାର୍ଟ’, ‘ଆମାଜନ୍’, କ୍ରାଫ୍ଟଲି ଓ ‘ଠୁମ୍ରୀ’ ଭଳି ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ଓଡ଼ିଶା ହସ୍ତତନ୍ତର ଚାହିଦା ରହିଛି। ନୂଆ ନୂଆ ରଙ୍ଗ ଓ ଆକର୍ଷଣୀୟ ଡିଜାଇନ୍ରେ ଉପଲବ୍ଧ ନୂଆପାଟଣା ଶାଢ଼ି, ସମ୍ବଲପୁରୀ ଶାଢ଼ି, ସମ୍ବଲପୁରୀ ସାଲ୍ୱାର ସୁଟ୍, ଇକ୍କତ ଟାଇ ଆଣ୍ଡ୍ ଡାଇ ଶାଢ଼ି, ସମ୍ବଲପୁରୀ ସିଲ୍କ, ବୋମ୍କାଇ ପାଟ ଆଦିକୁ ଏହି ଇ-କମର୍ସ ପ୍ଲାଟ୍ଫର୍ମର ସ୍ବତନ୍ତ୍ର ସେଗ୍ମେଣ୍ଟରେ ସ୍ଥାନିତ କରାଯାଉଛି।
ବର୍ଷକରେ ୨୦୦ କୋଟିର କାରବାର
ଅନ୍ଲାଇନ୍ରେ ଭଲ ବିକ୍ରି ହେଉଛି। ଯେଉଁ ବାନ୍ଧଶିଳ୍ପୀ ଫ୍ୟାସନ୍ ସୋ’ରେ ଆୱାର୍ଡ ପାଉଛନ୍ତି, ସେମାନଙ୍କ ଡିଜାଇନ୍ ଶାଢ଼ିର ଚାହିଦା ଅଧିକ। ନିକଟରେ ଭୁବନେଶ୍ବର ବିମାନବନ୍ଦରରେ ଏକ ଆଉଟ୍ଲେଟ୍ ଖୋଲାଯାଇଛି। ପୂର୍ବରୁ ଦିଲ୍ଲୀ ଓ କଲିକତା ବିମାନବନ୍ଦରରେ ବୟନିକା ସୋ’ ରୁମ୍ ରହିଛି। ଓଡ଼ିଶାରେ ଆହୁରି ୮ରୁ ୧୦ଟି ସୋରୁମ୍ ଖୋଲାଯିବାର ଯୋଜନା ରହିଛି। ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାମିକା ଶାଢ଼ିର ବୁଣା ଚାଲିଛି। ଅନ୍ଲାଇନ୍ରେ ୨୦ ପ୍ରତିଶତ ଛାଡ଼ ରହିଥାଏ। ପର୍ବପର୍ବାଣିରେ ମଧ୍ୟ ରିହାତି ଦିଆଯାଏ। ୨୦୨୩-୨୪ ବର୍ଷରେ ୨୦୦ କୋଟି ବେପାର ହୋଇଛି। ଆଗକୁ ୨୫୦ କୋଟି ଟଙ୍କାର ଟାର୍ଗେଟ୍ କରାଯାଇଛି।
-ପ୍ରକାଶ ଚନ୍ଦ୍ର ମେହେର, ସଭାପତି, ବୟନିକା
ପ୍ରଚାରପ୍ରସାରର ଅଭାବ ରହୁଛି
ଓଡ଼ିଶାର ହସ୍ତତନ୍ତ ଶାଢ଼ି ଓ ପୋଷାକର ଚାହିଦା ବଢ଼ିଛି ସତ କିନ୍ତୁ ଏହାର ପ୍ରଚାରପ୍ରସାରର ଅଭାବ ରହୁଛି, ଯାହାଦ୍ବାରା ଉତ୍ପାଦନ ଅନୁସାରେ ବିକ୍ରି ହୋଇପାରୁନାହିଁ। ଯଦି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆମେ ଏହାର ପ୍ରଚାର କରିବାକୁ ଚାହିଁବା ତେବେ ବଜାରୀକରଣକୁ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ଆଉ ଏହାର ସୁବିଧା ରାସ୍ତା ହେଉଛି ଅନ୍ଲାଇନ୍ ମାର୍କେଟିଂ। ସେଥିପାଇଁ ଏହି ବ୍ୟବସ୍ଥା ପ୍ରତି ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ବାହାର ଦେଶରେ ଯଦି ଜଣେ ଆମ ଓଡ଼ିଶା ବୁଣା ଶାଢ଼ି ପିନ୍ଧିବାକୁ ଇଚ୍ଛା ପ୍ରକାଶ କରୁଛି ତେବେ ସଙ୍ଗେ ସଙ୍ଗେ ଅନ୍ଲାଇନ୍ ପ୍ଲାଟ୍ଫର୍ମକୁ ଯାଇ ଡିଜାଇନ୍ ପସନ୍ଦ କରି ଅର୍ଡର କରିପାରୁଛି। ଫଳରେ ବିକ୍ରି ବଢ଼ିବା ସହିତ ହସ୍ତତନ୍ତ ଉତ୍ପାଦର ମଧ୍ୟ ଚାହିଦା ବୃଦ୍ଧିରେ ସାହାଯ୍ୟ କରୁଛି।
-ପ୍ରୀତି ଧଳ, ସମାଜସେବୀ ଓ ପ୍ରତିଷ୍ଠାତା, ସ୍ନେହାସମ୍ପୂର୍ଣ୍ଣା
ଇ-କମର୍ସରେ ଭଲ ବ୍ୟବସାୟ ହେଉଛି
ଗ୍ରାହକଙ୍କ ବରାଦ ମୁତାବକ ଜିନିଷ ବୁଣି ସେମାନଙ୍କୁ ଦିଆଯାଉଥିବାରୁ ସେମାନେ ଖୁସିରେ ଅନ୍ଲାଇନ୍ ସପିଂ ମୁହାଁ ହେଉଛନ୍ତି। କିନ୍ତୁ ସିଧାସଳଖ ବୁଣାକାର ଅନ୍ଲାଇନ୍ ବା ଇ-କମର୍ସ ଜରିଆରେ ସୁବିଧା ପାଇପାରୁ ନାହାନ୍ତି। ବୁଣାକାରମାନେ ବ୍ୟବସାୟୀମାନଙ୍କ ଜରିଆରେ ସେମାନଙ୍କ ଉତ୍ପାଦ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାଆନ୍ତି। ଅନ୍ଲାଇନ୍ ଜରିଆରେ ବ୍ୟବସାୟୀର ଅଧିକ ଲାଭ ରହୁଛି। ଯଦି ଜଣେ ବୁଣାକାର ସିଧାସଳଖ ଇ-କମର୍ସର ସାହାଯ୍ୟ ନେଇ ବିକ୍ରି କରିପାରନ୍ତା ତେବେ ସେ ଅଧିକ ଉପକୃତ ହେବ। ସେଥିପାଇଁ ଅନ୍ଲାଇନ୍ର ଚାହିଦାକୁ ବଢ଼ାଇବା ଉଚିତ। ଏହି ଜରିଆରେ ବ୍ୟବସାୟ ମଧ୍ୟ ଭଲ ହେଉଛି। ଇ-କମର୍ସ ଯୋଗୁ ଓଡ଼ିଶାର ଜିନିଷ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରୁଛି, ତାହା ଆମ ପାଇଁ ଶୁଭ ସଙ୍କେତ।
-ଶ୍ରୀଧର ବେହେରା, ସଭାପତି, ଓଡ଼ିଶା ବୁଣାକାର ସଂଘ