ପିଲାଠୁ ବୁଢ଼ା, ଚକୋଲେଟ୍ର ଆଦର ସବୁ ବର୍ଗରେ ଅଛି। କେତେବେଳେ ପିଲାଟିଏ କାନ୍ଦୁଥିଲା ବେଳେ ତା’କୁ ତୁନି କରିବା ପାଇଁ ଚକୋଲେଟ୍ ଦିଆଯାଏ ତ କେତେବେଳେ ଶ୍ରଦ୍ଧାରେ ପ୍ରେମୀ ତା’ର ପ୍ରେମିକାକୁ, ସ୍ବାମୀ ସ୍ତ୍ରୀକୁ, ଭଉଣୀ ଭାଇକୁ ଚକୋଲେଟ୍ ଦେଇଥାଏ। କିନ୍ତୁ ଡାକ୍ତର କହନ୍ତି, ବେଶୀ ଖାଇଲେ ଚକୋଲେଟ୍ ଦାନ୍ତ ଖରାପ କରେ, କୃମି ବଢ଼ାଏ । ଏଭଳି ନୁହେଁ କି ଚକୋଲେଟ୍ରେ କୌଣସି ପୋଷକତତ୍ତ୍ୱ ନଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ୍ ସହିତ ମ୍ୟାଗ୍ନେସିୟମ୍, ଫସ୍ଫରସ୍ ଓ ଫ୍ଲାଭୋନଏଡ୍ ଭଳି ପୋଷକ ତତ୍ତ୍ୱ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଚକୋଲେଟ୍ ଖାଇବା ଦ୍ୱାରା ମନ ମଧ୍ୟ ଭଲ ରହିଥାଏ କାରଣ ଏହା ମନକୁ ନିୟନ୍ତ୍ରଣ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ନ୍ୟୁରୋଟ୍ରାନ୍ସମିଟର୍ ସେରୋଟୋନିନ୍ର ଉତ୍ପାଦନକୁ ବଢ଼ାଇଥାଏ। ଏହା ଶରୀରରେ ଶର୍କରା ସ୍ତର ବଢ଼ାଇବା ସହ ମେଦବହୁଳତାର କାରଣ ବି ହୋଇପାରେ। ଏବେ ସମୟ ସହିତ ସମସ୍ତେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ଲାଗିଲେଣି। ସେଥିପାଇଁ ସ୍ବାସ୍ଥ୍ୟପ୍ରଦ ଘର ତିଆରି ଚକୋଲେଟ୍ ପ୍ରସ୍ତୁତି ଓ ବିକ୍ରି କ୍ରମଶଃ ବୃଦ୍ଧି ପାଉଛି। ଆସନ୍ତୁ ଘରେ ତିଆରି ହେଉଥିବା ଚକୋଲେଟ୍ କେମିତି ପ୍ରସ୍ତୁତ ହୁଏ ଜାଣିବା ଓ ଚକୋଲେଟ୍ ପ୍ରସ୍ତୁତ କରି ଉଦ୍ୟୋଗୀ ପାଲଟିଥିବା ଦୁଇ ଜଣ ମହିଳାଙ୍କ ବିଷୟରେ ଜାଣିବା।
ସଙ୍ଗୀତାଙ୍କ ‘ଗୋଲୁସ୍ ଚକ୍କି’
ପିଲାରୁ ବୟସ୍କଯାଏଁ ସମସ୍ତଙ୍କର ଚକୋଲେଟ୍ ପାଇଁ ଥାଏ ଦୁର୍ବଳତା। ବଜାରରେ ମଧ୍ୟ ଚକୋଲେଟ୍ର ଚାହିଦା ବେଶ୍ ରହିଛି। ସେଥିଲାଗି ଏହାକୁ ରୋଜଗାରର ମାଧ୍ୟମ କରିବାକୁ ମନ ବଳାଇଲେ ସଙ୍ଗୀତା ସାହୁ। ସଙ୍ଗୀତା ପାପଡ଼ାହାଣ୍ଡିସ୍ଥିତ ଏକ ଘରୋଇ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ଅଧ୍ୟାପିକା। କଲେଜ କାମ ପରେ ସେ ଚକୋଲେଟ୍ ତିଆରି ଲାଗି ସମୟ ଦେଇଥାନ୍ତି। ଏବେ ସେ ଚକୋଲେଟ୍ ମେକର୍ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା।
ହାଇଦ୍ରାବାଦର ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲୋଜିକାଲ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ (ସିଏଫ୍ଟିଆର୍ଆଇ)ରେ ନବରଙ୍ଗପୁର ଜିଲ୍ଲାର ୨୪ ମହିଳାଙ୍କୁ ତାଲିମ ଦିଆଯାଇଥିଲା। ସଙ୍ଗୀତା ସେଠାରୁ ପ୍ରଶିକ୍ଷଣ ନେଇ ଆସିବା ପରେ ଘରେ ବିଭିନ୍ନ ଫ୍ଲେବର୍ର ଚକୋଲେଟ୍ ତିଆରି କରିଥିଲେ। ତାଙ୍କ ହାତ ତିଆରି ଚକୋଲେଟ୍ର ନାମ ‘ଗୋଲୁସ୍ ଚକ୍କି’ ରଖିଛନ୍ତି ସଙ୍ଗୀତା। ସେ କହନ୍ତି, ‘‘ଚକୋଲେଟ୍ ତିଆରିରେ ଶାଶୂ ଓ ସ୍ବାମୀ ସହଯୋଗ କରୁଛନ୍ତି। ପାପଡ଼ାହାଣ୍ଡି ବଜାରରେ ଏହାର ବେଶ୍ ଚାହିଦା ରହିଛି। ପ୍ରତ୍ୟେକ ଚକୋଲେଟ୍ର ଦାମ ମାତ୍ର ୫ଟଙ୍କା। ଜନ୍ମଦିନ ଓ ଅନ୍ୟାନ୍ୟ ଉତ୍ସବ ଅବସରରେ ଲୋକେ ଅର୍ଡର ଦେଇ ଚକୋଲେଟ୍ ନେଉଛନ୍ତି। ଏଥିରେ କୌଣସି କେମିକାଲ୍ ବ୍ୟବହାର କରାଯାଉନାହିଁ। ୨କିଲୋ ଚକୋଲେଟ୍ ତିଆରି ପାଇଁ ୩ ଘଣ୍ଟା ଲାଗୁଛି। ମେସିନ୍ ସାହାଯ୍ୟରେ କଲେ ଉକ୍ତ ୨ କିଲୋକୁ ୭ ମିନିଟ ଲାଗିଥାଏ। କୋକୋ ପାଉଡର୍ରେ ଚକୋଲେଟ୍ ତିଆରି କରାଯାଉଥିବାରୁ ଏହା ସ୍ବାସ୍ଥ୍ୟକର।’’ ଏଥିରୁ ମାସିକ ୧୦ରୁ ୨୦ହଜାର ଟଙ୍କା ରୋଜଗାର ହେଉଛି ବୋଲି କହିଛନ୍ତି ସଙ୍ଗୀତା।
ପ୍ରସ୍ତୁତି ପ୍ରଣାଳୀ
ହନି ଲେମନ୍ ଚକୋଲେଟ୍
ଗୋଟେ କଡ଼େଇରେ କିଛି ପାଣି ନେବା।
ଅଳ୍ପ ଚିନି ମିଶାଇ ଭଲ ଭାବେ ଘାଣ୍ଟିବା।
ଏହା ପରେ ସେଥିରେ କିଛି ମହୁ, ଲେମ୍ବୁ ରସ ଓ ତାହାର ଦାନା ପକାଇ ଭଲ ଭାବେ ସିରା ଭଳି କରିବା।
ଏହାକୁ କଡ଼େଇରୁ କାଢ଼ି ଥଣ୍ଡା ହେବା ପୂର୍ବରୁ ବିଭିନ୍ନ ପ୍ରକାର ଡିଜାଇନ୍ର ଛୋଟ ଛୋଟ ପାତ୍ରରେ ଢାଳିବା।
ଥଣ୍ଡା ହେବା ପରେ ସେ ପାତ୍ରରୁ କାଢ଼ି ଆମେ ଖାଇ ପାରିବା।
ଘରେ ଚକୋଲେଟ୍ ତିଆରି କରିବା ଯେତିକି ସହଜ ଛୁଆଙ୍କ ଖାଇବା ପାଇଁ ସେତିକି ସ୍ବାଦିଷ୍ଠ।
ଆପଣ ବି ଥରେ ତିଆରି କରନ୍ତୁ ନା!
ମୌସୁମୀଙ୍କ ‘ଚିଲ୍ଲି ଫ୍ଲେକ୍ସ୍’ରୁ ‘ହନି ଲେମନ୍’
ବିବାହ ପରେ ୱେଷ୍ଟ୍ଇଣ୍ଡିଜ୍ର ଜାମାଇକାରେ ରହୁଥିବା ଜଣେ ଘରୋଇ କମ୍ପାନିର ଉପାଧ୍ୟକ୍ଷଙ୍କ ପତ୍ନୀ ଭାବରେ ବିଳାସମୟ ଜୀବନ ବିତାଉଥିଲେ ମୌସୁମୀ ସଂଜୟ ପଟ୍ଟନାୟକ। ୨୦୧୫ ମସିହାରେ ସେ ସ୍ବାମୀଙ୍କୁ ହରାଇବା ପରେ ସବୁ ଓଲଟପାଲଟ ହୋଇଯାଇଥିଲା। ସେ ସ୍ବାବଲମ୍ବୀ ହେବାପାଇଁ ଉଦ୍ୟମ ଆରମ୍ଭ କଲେ। ସ୍ବାମୀଙ୍କ ଇଚ୍ଛା ଥିଲା ପୃଥିବୀର କୌଣସି ଏକ ସ୍ଥାନରେ ଏକ ସୁନ୍ଦର ରେସ୍ତୋରାଁ ଖୋଲିବା। ସେହି ସ୍ବପ୍ନ ମୌସୁମୀ ମଧ୍ୟ ଦେଖିଥିଲେ। ଏଣୁ ୨୦୧୭ରେ ସେ ଖୋଲିଲେ ‘ଚକୋ ଗ୍ୟାଲେରିଆ’। ନିଜ ଅଭିଜ୍ଞତା ବଖାଣି ମୌସୁମୀ କହନ୍ତି, ‘‘ମୁଁ କୋକୋ ମଞ୍ଜିରୁ ଚକୋଲେଟ୍ ପ୍ରସ୍ତୁତ କରେ। କୋକୋ ଆଣି ସେଥିରୁ ମଞ୍ଜି ବାହାର କରି, ଶୁଖାଇ ତାକୁ ଫର୍ମେଣ୍ଟ୍ କରି ସେଥିରୁ ତରଳ ଚକୋ ବାହାର କରାଯାଏ। ଏହାକୁ ନେଇ ସମ୍ପୂର୍ଣ୍ଣ ଭାବେ ନିଜ ରେସିପିରେ ଚକୋଲେଟ୍ ତିଆରି କରେ।’’ ସ୍ବାଦ ଓ ଗୁଣରେ ଭଲ ହୋଇଥିବାରୁ ମୌସୁମୀଙ୍କ ଚକୋଲେଟ୍ ଧୀରେ ଧୀରେ ଲୋକପ୍ରିୟ ହେଲା। କେବଳ କୋକୋ ନୁହେଁ, ମହୁ, ଗୁଡ଼, କମଳା, ଲଙ୍କାମଞ୍ଜି, ପାନ, କାଜୁ ଓ ବାଦାମ୍ ଆଦିକୁ ନେଇ ବିଭିନ୍ନ ପ୍ରକାର ଚକୋଲେଟ୍ ତିଆରି କରୁଛନ୍ତି ସେ। ରୋଷ୍ଟେଡ୍ କାଜୁ, ଆରବିୟାନ୍ ଡେଟ୍ ଆଣ୍ଡ୍ ନଟ୍, ରମ୍ ଆଣ୍ଡ୍ ରିଜିମ୍, ଚିଲ୍ଲି ଫ୍ଲେକ୍ସ୍, ହନି ଆଣ୍ଡ୍ ଲେମନ୍, ଅରେଞ୍ଜ୍ ପିଲ୍ ଚକୋଲେଟ୍ ଆଦି ତାଙ୍କ ହାତ ତିଆରି ଚକୋଲେଟ୍ ଖୁବ୍ ସ୍ବାଦିଷ୍ଠ। ଏସବୁର ଦାମ୍ ୧୦ରୁ ୨୦ ଟଙ୍କା ରହିଥିବା ବେଳେ କିଛି ଚକୋଲେଟ୍ର ଦାମ୍ ୫୦ରୁ ୬୦ ଟଙ୍କା ରହିଛି। ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ ଏବଂ ଏହା ପିଲାଙ୍କ ପାଇଁ ମଧ୍ୟ ଉପାଦେୟ।