ନୂଆଦିଲ୍ଲୀ: ପବିତ୍ର ହନୁମାନ ଜୟନ୍ତୀ ଉପଲକ୍ଷେ ସବୁଠି ଚଳଚଞ୍ଚଳ ପରିବେଶ । ହନୁମାନମୟ ସାରା ଦେଶ । ମହାବୀରଙ୍କ ପୂଜାର୍ଚ୍ଚନା କରିବା ସହ ହନୁମାନଙ୍କ ଜୟଜୟକାର କରୁଛନ୍ତି ଭକ୍ତ । ଆଉ ଏତିକି ବେଳେ ମହାବୀରଙ୍କୁ ନେଇ ମହାଭାରତର କଥା ସାମ୍ନାକୁ ଆସିଛି । ହନୁମାନଙ୍କ ଭୂମିକା ଖାଲି ରାମାୟଣରେ ନୁହେଁ ବରଂ ମହାଭାରତରେ ବି ରହିଛି ।
ହନୁମାନ ଭାଙ୍ଗିଥିଲେ ଭୀମଙ୍କ ଗର୍ବ
ମହାଭାରତରେ ପଞ୍ଚୁ ପାଣ୍ଡବ ୧୨ ବର୍ଷ ଅଜ୍ଞାତବାସରେ ଥିବା ବେଳେ ଦିନେ ଦ୍ରୌପଦୀ ଭୀମଙ୍କୁ ସୁଗନ୍ଧିତ ଫୁଲ ଆଣିବାକୁ ଜିଦି କରିଥିଲେ ଆଉ ଭୀମ ଦ୍ରୌପଦୀଙ୍କ କଥା ରଖି ଜଙ୍ଗଲ ଭିତରକୁ ଫୁଲର ସନ୍ଧାନରେ ଯାଉଯାଉ ଜଙ୍ଗଲୀ ରାସ୍ତାରେ ଗୋଟେ ବୁଢା ମାଙ୍କଡକୁ ଶୋଇଥିବାର ଦେଖିଥିଲେ । ବୁଢା ମାଙ୍କଡର ଲାଞ୍ଜ ରାସ୍ତାରେ ପଡିଥିବାରୁ ଭୀମଙ୍କୁ ରାସ୍ତା ପାରି ହେବାରେ ସମସ୍ୟା ହୋଇଥିଲା ଆଉ ସେ ବାନରକୁ ନିଜ ଲାଞ୍ଜ ଘୁଞ୍ଚାଇ ନେବାକୁ କହିଥିଲେ । ମାତ୍ର ବୟସ ଅଧିକ ଥିବାରୁ ଲାଞ୍ଜ ଘୁଞ୍ଚାଇବାକୁ ବୁଢା ମାଙ୍କଡ ପକ୍ଷେ ସମ୍ଭବ ନୁହେଁ ବୋଲି କହିବା ପରେ ନିଜେ ଭୀମ ସେ ଲାଞ୍ଜକୁ ଉଠେଇବାକୁ ଚେଷ୍ଟା କରିଥିଲେ । ମାତ୍ର ବଳଶାଳୀ ଭୀମ ସାମାନ୍ୟ ବାନର ଲାଞ୍ଜକୁ ଘୁଞ୍ଚାଇବାରେ ଅସମର୍ଥ ହେବା ପରେ ସେ ବୃଦ୍ଧ ବାନରଙ୍କୁ ନିଜର ଅସଲ ପରିଚୟ ଦେବାକୁ ଅନୁରୋଧ କରିଥିଲେ ଏବଂ ପରେ ହନୁମାନ ନିଜ ଅସଲ ରୂପକୁ ଫେରି ଭୀମଙ୍କୁ ଆଶୀର୍ବାଦ କରିଥିଲେ ।
ଅର୍ଜୁନଙ୍କ ରଥରେ ହନୁମାନ
କୁହାଯାଏ ଦିନେ ଅର୍ଜୁନ କୃଷ୍ଣଙ୍କ ବିନା ଜଙ୍ଗଲ ବୁଲିବାକୁ ବାହାରିଯାଇଥିଲେ ଏବଂ ବୁଲୁବୁଲୁ ଦକ୍ଷିଣରେ ଥିବା ରାମେଶ୍ବରମ ଆଡେ ଚାଲିଯାଇଥିଲେ ଯେଉଁଠି ସେ ପ୍ରଭୁ ରାମଚନ୍ଦ୍ରଙ୍କ ଦ୍ବାରା ନିର୍ମାଣ ହୋଇଥିବା ରାମସେତୁ ଦେଖିଥିଲେ ଏବଂ କହି ଉଠିଲେ- ଏହି ସେତୁ ତିଆରି ପାଇଁ ଶ୍ରୀରାମଙ୍କୁ ବାନରମାନଙ୍କର ସାହାଯ୍ୟ କଣ ପାଇଁ ଦରକାର ହେଲା । ଶ୍ରୀରାମ ତ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ସେ ଚାହିଁଥିଲେ ଦିବ୍ୟ ବାଣରେ ତିଆରି କରିଦେଇ ପାରିଥାନ୍ତେ । ଏହା ଶୁଣି ହଠାତ୍ ହନୁମାନ ଆବିର୍ଭାବ ହୋଇଥିଲେ ଏବଂ ସେ ଅର୍ଜୁନଙ୍କୁ କହିଥିଲେ ତାହାଲେ ତମେ ତୀର ମାଧ୍ୟମରେ ସେତୁ ମୁଁ ସେଥିରେ ପାଦ ପକେଇ ଚାଲିବି ଦେଖିବା ଭାଙ୍ଗୁଛି କି ନାହିଁ । ଅର୍ଜୁନ କହିଥିଲେ ଯଦି ଭାଙ୍ଗିଯାଏ ତେବେ ମୁଁ ଅଗ୍ନିରେ ଝାସ ଦେବି । ତେବେ ପରେ ଅର୍ଜୁନ ନିଜ ବିଦ୍ୟା ବଳରେ ସେତୁ ନିର୍ମାଣ କରିବା ପରେ ହନୁମାନ ବିଶାଳ ରୂପ ଧାରଣ କରି ଶ୍ରୀରାମଙ୍କ ନାମ ନେଇ ସେତୁରେ ଚାଲିବାକୁ ଆରମ୍ଭ କରିବାରୁ ସେତୁ ଭାଙ୍ଗିଯାଇଥିଲା ।
ଆଉ ପରାଜୟ ସ୍ବୀକାର କରି ଅର୍ଜୁନ ଅଗ୍ନି ଝାସ ପାଇଁ ଯିବା ବେଳେ କୃଷ୍ଣ ଆବିର୍ଭାବ ହୋଇ ଶ୍ରୀରାମଙ୍କ ନାମ ନେଇ ସେତୁ ନିର୍ମାଣ କରିବାକୁ ଅର୍ଜୁନଙ୍କୁ ପରାମର୍ଶ ଦେଇଥିଲେ । ବାସ୍ ତାପରେ ଅର୍ଜୁନ ଯେଉଁ ସେତୁ ନିର୍ମାଣ କଲେ ସେଥିରେ ହନୁମାନ ଚାଲିବା ପରେ ତାହା ଭାଙ୍ଗିନଥିଲା । ହନୁମାନ ଖୁସି ହୋଇ ଅର୍ଜୁନଙ୍କୁ କହିଥିଲେ ଯୁଦ୍ଧ ସରିବା ଯାଏଁ ମୁଁ ତୁମର ରକ୍ଷା କରିବି । ସେଥିପାଇଁ ଅର୍ଜୁନଙ୍କ ରଥରେ ହନୁମାନ ବିରାଜମାନ କରିଛନ୍ତି ।