ପ୍ରଭୁ ହନୁମାନ୍‌ଙ୍କ ଗୋଟିଏ କେଶ କାହିଁକି ୧୦୦୦ଟି ଶିବଲିଙ୍ଗ ସହିତ ସମାନ ଜାଣନ୍ତୁ

ପୁରାଣ ଯୁଗର କଥା । ଥରେ ପାଣ୍ଡବଙ୍କ ପାଖକୁ ନାରଦ ମୁନୀ ଆସି ଯୁଧିଷ୍ଠିରଙ୍କୁ କହିଲେ, ସ୍ୱର୍ଗରେ ତୁମ ପିତା ପାଣ୍ଡୁ ଅତି ଦୁଃଖରେ ଅଛନ୍ତି। ଏହାର କାରଣ ପଚାରିବାରୁ ନାରଦ କହିଲେ ପାଣ୍ଡୁ ଜୀବିତ ଥିବା ଅବସ୍ଥାରେ ରାଜସ୍ୱୟ ଯଜ୍ଞ କରିବାକୁ ଚାହୁଁଥିଲେ, ଯାହାକି ସେ କରି ପାରି ନଥିଲେ। ଏବେ ଏହା ତୁମର କର୍ତ୍ତବ୍ୟ, ତୁମେ ଯଜ୍ଞ କରି ତାଙ୍କ ଇଚ୍ଛାକୁ ପୂରଣ କରି ଆତ୍ମକୁ ଶାନ୍ତି ଦିଅ।

ଏହାପରେ ପାଣ୍ଡବ ରାଜସ୍ୱୟ ଯଜ୍ଞର ଆୟୋଜନ କଲେ ଓ ଏହି ଆୟୋଜନରେ ଭଗବାନ ଶିବ ଓ ତାଙ୍କ ପରମ ଭକ୍ତ ଋଷି ପୁରୁଷ ମୃଗାଙ୍କୁ ନିମନ୍ତ୍ରଣ କରିବା ପାଇଁ ସ୍ଥିର କରିଥିଲେ। ଋଷି ପୁରୁଷମୃଗା ଜନ୍ମରୁ ହିଁ ନିଜ ନାମ ଭଳି ଥିଲେ। ତାଙ୍କର ଅଧା ଶରୀର ପୁରୁଷ ଓ ଅଧା ମୃଗ ଭଳି ଥିଲା। ତାଙ୍କୁ ଖୋଜି ଡାକିବାର କାମ ଭୀମଙ୍କୁ ଦିଆଯାଇଥିଲା। ଯେତେବେଳେ ଭୀମ ପୁରୁଷମୃଗାଙ୍କୁ ଖୋଜିବା ପାଇଁ ବାହାରିଥିଲେ ସେତେବେଳେ ଶ୍ରୀକୃଷ୍ଣ ଭୀମଙ୍କୁ ଚେତାବନୀ ଦେଇ କହିଥିଲେ ଯଦି ତୁମେ ପୁରୁଷମୃଗାଙ୍କ ଗତିର ସାମ୍ନା କରି ନ ପାର ତେବେ ସେ ତୁମକୁ ମାରିଦେବେ। ଏଥିପ୍ରତି ସାବଧାନ ରହିବ।

ଏହି କଥା ଶୁଣି ଭୀମ ଭୟଭୀତ ହୋଇପଡ଼ିଥିଲେ। ହେଲେ ବି ମନରେ ସାହସ ବାନ୍ଧି ପୁରୁଷମୃଗାଙ୍କୁ ଖୋଜିବା ପାଇଁ ହିମାଳୟ ଯାଇଥିଲେ। ଜଙ୍ଗଲ ଦେଇ ଯାଉଥିବା ସମୟରେ ପ୍ରଭୁ ହନୁମାନଙ୍କ ସହିତ ଭୀମଙ୍କ ଭେଟ ହୋଇଥିଲା। ହନୁମାନ ଭୀମଙ୍କୁ ଚିନ୍ତାର କାରଣ ପଚାରିଲେ। ସେତେବେଳେ ଭୀମ ସମ୍ପୂର୍ଣ୍ଣ କହାଣୀ ପ୍ରଭୁ ହନୁମାନଙ୍କୁ କହିଥିଲେ। ହନୁମାନ ବି କହିଥିଲେ କି ପୁରୁଷମୃଗାଙ୍କ ଗତି ବହୁତ ପ୍ରଖର । ତାଙ୍କର ସାମ୍ନା କେହି ବି କରି ପାରନ୍ତି ନାହିଁ। ପୁରୁଷମୃଗାଙ୍କ ଗତିକୁ ରୋକିବା ପାଇଁ ଗୋଟିଏ ହିଁ ଉପାୟ ଅଛି। ସେ ଶିବଙ୍କ ପରମ ଭକ୍ତ, ତେଣୁ ସେ ଯାଉଥିବା ରାସ୍ତାରେ ଯଦି ଶିବଲିଙ୍ଗ ବନାଇ ଦିଆଯାଏ ତେବେ ଶିବଙ୍କ ପୂଜା କରିବା ପାଇଁ ପୁରୁଷମୃଗା ଅବଶ୍ୟ ଅଟକି ଯିବେ।

ଏହା କହି ହନୁମାନ ଭୀମଙ୍କୁ ତିନିଟି କେଶ ଦେଇଥିଲେ ଏବଂ କହିଥିଲେ ଯଦି ତୁମକୁ ଲାଗେ କି ପୁରୁଷମୃଗା ତୁମ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି ତେବେ ତୁମେ ଏହି କେଶକୁ ପକାଇ ଦେବ। ଏହି ଗୋଟିଏ କେଶ ୧୦୦୦ଟି ଶିବ ଲିଙ୍ଗ ସହିତ ସାମନ। ପୁରୁଷମୃଗା ନିଜ ସ୍ୱଭାବ ଅନୁଯାୟୀ ପ୍ରତ୍ୟେକ ଶିବଲିଙ୍ଗକୁ ପୂଜା କରିବ ଓ ତୁମେ ଆଗକୁ ବଢ଼ିଯିବ। ହନୁମାନଙ୍କ ଆଜ୍ଞା ନେଇ ଭୀମ କିଛି ଦୂରକୁ ଗଲା ପରେ ପୁରୁଷମୃଗାଙ୍କୁ ପାଇଲେ। ଯିଏକି ଭଗବାନ ମହାଦେବଙ୍କ ସ୍ତୁତି କରୁଥିଲେ। ଭୀମ ତାଙ୍କୁ ପ୍ରଣାମ କଲେ ଓ ଆସିବାର କାରଣ କହିଥିଲେ। ପୁରୁଷମୃଗା ବି ରାଜି ହୋଇଯାଥଲେ। କିନ୍ତୁ ଗୋଟିଏ ସର୍ତ୍ତ ରଖିଥିଲେ।

ସର୍ତ୍ତଟି ଥିଲା ଭୀମଙ୍କୁ ତାଙ୍କ ପୂର୍ବରୁ ହସ୍ତିନାପୁର ପହଞ୍ଚିବାକୁ ପଡ଼ିବ। ଯଦି ଏପରି କରି ନପାରିଲେ ସେ ତାଙ୍କୁ ଖାଇ ଦେବେ ବୋଲି କହିଥିଲେ। ଭୀମ ଭାଇଙ୍କ ଆଜ୍ଞାକୁ ଅନୁଯାୟୀ, ପୁରୁଷମୃଗାଙ୍କ କଥାରେ ରାଜି ହୋଇ ହସ୍ତିନାପୁର ଆଡକୁ ଦୌଡ଼ିବାକୁ ଲାଗିଲେ। କିଛି ବାଟ ଦୌଡ଼ିବା ପରେ ପୁରୁଷମୃଗା ଆସୁଛନ୍ତି କି ନାହିଁ ପଛକୁ ମୋଡି ଦେଖିଲା ବେଳକୁ ସେ ଭୀମଙ୍କୁ ଧରିବାକୁ ହିଁ ଯାଉଥିଲେ। ଏହି ସମୟରେ ଭୀମ ହନୁମାନଙ୍କ କେଶ ଦେଇଥିବା କଥା ମନେ ପଡ଼ିଲା ଓ ସେ ସେଥିରୁ ଗୋଟିଏ କେଶ ତଳେ ପକାଇ ଦେଇଥିଲେ। ତଳେ ପଡିଥିବା କେଶ ହଜାର ଶିବଲିଙ୍ଗରେ ପରିଣତ ହୋଇଗଲା।

ଶିବଙ୍କ ପରମଭକ୍ତ ହେବା କାରଣରୁ ପୁରୁଷମୃଗା ଶିବଲିଙ୍ଗ ପୂଜା କରିବାରେ ଲାଗିଲା ଓ ଭୀମ ଦୌଡ଼ି ଦୌଡ଼ି ହସ୍ତିନାପୁର ଭିତରକୁ ଯିବାକୁ ଥିଲେ ପୁରୁଷମୃଗା ତାଙ୍କୁ ଧରି ନେଇଥିଲେ। ଏହାପରେ ପୁରୁଷମୃଗା ଭୀମଙ୍କୁ ଖାଇବ ବୋଲି କହିଥିଲା। ଏହି ସମୟରେ କୃଷ୍ଣ ଓ ଯୁଧିଷ୍ଠର ପହଞ୍ଚି ଯାଇଥିଲେ। ଦୁହିଁଙ୍କୁ ଦେଖି ଭୀମ ନ୍ୟାୟ କରିବାକୁ କହିଥିଲେ। ଯୁଧିଷ୍ଠିର ନ୍ୟାୟ କରି କହିଲେ ଭୀମ ପହଞ୍ଚି ଯାଇଥିଲେ, କେବଳ ତାଙ୍କ ଗୋଡ ହିଁ ବାହାରେ ଥିଲା। ତେଣୁ ତୁମେ ତାଙ୍କ ଗୋଡକୁ ହିଁ ଖାଇବ। ଯୁଧିଷ୍ଠରଙ୍କ ନ୍ୟାୟରେ ପ୍ରସନ୍ନ ହୋଇ ପୁରୁଷମୃଗା ଭୀମଙ୍କୁ ଛାଡ଼ି ଦେଇଥିଲେ ଓ ଯଜ୍ଞରେ ସାମିଲ ହୋଇ ସମସ୍ତଙ୍କୁ ଆର୍ଶୀବାଦ ଦେଇଥିଲେ।

ସମ୍ବନ୍ଧିତ ଖବର