ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଅମରୋହାରେ ଆୟୋଜିତ ହୋଇଥିବା ରାମଲିଲା ମଞ୍ଚରେ ରାବଣ ଓ ରାମ ଭୂମିକାରେ ଅଭିନୟ କରୁଥିବା ଦୁଇଜଣ କଳାକାରଙ୍କ ମଧ୍ୟରେ ଝଗଡ଼ା ଲାଗିଥିବାର ଦାବି କରାଯାଇ ଏକ ଘଟଣା ସାମ୍ନାକୁ ଆସିଛି। ଏହାର ଏକ ମଜାଳିଆ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏହି ଘଟଣା ଅକ୍ଟୋବର ୧୩ ତାରିଖରେ ଘଟିଥିଲା। ଘଟଣାର ଭିଡିଓ ଭାଇରାଲ ହେବାପରେ ରାବଣ ଭୂମିକାରେ ଅଭିନୟ କରୁଥିବା ଶ୍ରବଣ କୁମାର ପ୍ରତିକ୍ରିୟା ଦେଇ କହିଛନ୍ତି,‘ ଏହା ଏକ ଦୁର୍ଘଟଣା ଥିଲା। ମଞ୍ଚ ଉପରେ ଚଟାଣ ଚିକ୍କଣ ଥିଲା। ଏହି କାରଣରୁ ଅଭିନୟ କରୁଥିବା ବେଳେ ପାଦ ଖସି ଯାଇଥିଲା। ତେଣୁ ରାମ ଭୂମିକାରେ ଅଭିନୟ କରୁଥିବା କଳାକାର ଓ ମୋର ଧନୁ ଫଶୀ ଯାଇଥିଲା। ଯେଉଁ କାରଣରୁ ରାମ ଭୂମିକାରେ ଅଭିନୟ କରୁଥିବା କଳାକାର ମଞ୍ଚରେ ପଡ଼ିଯାଇଥିଲା। ଏହି ଘଟଣାର ଭିଡିଓ କରି ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାକୁ ବିଭିନ୍ନ ପ୍ରକାର ରଙ୍ଗ ଦେଇ ନିଜ ଭ୍ୟୁ ବଢ଼ାଉଛନ୍ତି।
ରାମ ଭୂମିକାର ଅଭିନୟ କରୁଥିବା କଳାକାରଙ୍କ ସହିତ ମୋର କୌଣସି ପ୍ରକାର ବିବାଦ ଲାଗି ନାହିଁ। ଆମେ ଦୁହେଁ ଅନେକ ଦିନରୁ ଏକାଠି କାମ କରି ଆସୁଛି। ଆମ ଭିତରେ ଭଲ ସମ୍ପର୍କ ଅଛି। ଲୋକେ ବି ଆମ ଯୋଡ଼ିକୁ ଖୁବ ପସନ୍ଦ କରନ୍ତି। ମୋର ଲୋକଙ୍କୁ ଅନୁରୋଧ ଯାହା ବାସ୍ତବ ତାହା ସମାଜରେ ସେୟାର କରନ୍ତୁ। ଅଯଥା ଗୁଜବ ପ୍ରଚାର କରନ୍ତୁ ନାହିଁ।’