ହରେକୃଷ୍ଣ ମହତାବ ନବ ଉତ୍କଳର ନିର୍ମାତା ତଥା ଓଡ଼ିଶା ସାହିତ୍ୟ ଓ ସଂସ୍କୃତିର ଜଣେ ଅବିସ୍ମରଣୀୟ କର୍ଣ୍ଣଧାର। ସେ ସ୍ବାଧୀନତା ସଂଗ୍ରାମୀ, ରାଜନେତା, କବି, ଔପନ୍ୟାସିକ, ନାଟ୍ୟକାର, ଲେଖକ, ପ୍ରାବନ୍ଧିକ ଓ ସମ୍ପାଦକ ଭଳି ଅନେକ ପରିଚୟର ଅଧିକାରୀ। ରାଜନେତା ଭାବେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, କଂଗ୍ରେସ ସଭାପତି ଆଦି ବିଭିନ୍ନ ପଦରେ ରହି ସେ ଜଣେ ଦୂରଦ୍ରଷ୍ଟା ରାଷ୍ଟ୍ରନାୟକର ପରିଚୟ ପ୍ରଦାନ କରିଥିଲେ। ୧୮୯୯ ନଭେମ୍ବର ୨୧ରେ ଭଦ୍ରକ ଅନ୍ତର୍ଗତ ଅଗରପଡ଼ା ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ବି.ଏ. ପଢ଼ିବା ସମୟରେ ସେ ପାଠପଢ଼ା ଛାଡ଼ି ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନରେ ଝାସ ଦେଇ ଏକ ବର୍ଷ କାରାଦଣ୍ଡ ଭୋଗିଥିଲେ। ଏହା ପରେ ଲବଣ ସତ୍ୟାଗ୍ରହ ଏବଂ ୧୯୪୦ରୁ ୧୯୪୫ ମଧ୍ୟରେ ବିଭିନ୍ନ ସମୟରେ ସେ ଜେଲ୍ ଯାଇଥିଲେ। ୧୯୪୬ ମସିହାରେ ସେ ଓଡ଼ିଶାର ଶାସନ ଭାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ହୋଇଥିଲେ।
ସ୍ବାଧୀନତା ହାସଲ ପରେ ସେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଶାସନ କାଳରେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ସ୍ଥାପିତ ହୋଇଥିଲା। ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତର କରିବା ତାଙ୍କର ଯୋଜନା ଥିଲା। ହୀରାକୁଦ ବନ୍ଧ ଓ କଟକରେ ହାଇକୋର୍ଟ ପ୍ରତିଷ୍ଠା ମଧୢ ତାଙ୍କର ଅବଦାନ। ସାମ୍ବାଦିକତା ତାଙ୍କ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ଥିଲା। ସେ ‘ପ୍ରଜାତନ୍ତ୍ର’, ‘ଝଙ୍କାର’, ‘ଇଷ୍ଟର୍ଣ୍ଣ ଟାଇମ୍ସ’ ଆଦିର ପ୍ରତିଷ୍ଠାତା। ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ସେ ଗିରଫ ହୋଇଥିଲେ। ‘ଅଜବ ଦୁନିଆ’, ‘ପ୍ରତିଭା’, ‘ଅବ୍ୟାପାର’, ‘ଟାଉଟର’, ‘ସ୍ବର୍ଗରେ ଇମର୍ଜେନ୍ସି’ ଆଦି ତାଙ୍କର କେତେକ ଲୋକାଦୃତ ପୁସ୍ତକ। ତାଙ୍କର ପ୍ରସିଦ୍ଧ ଆତ୍ମଜୀବନୀର ନାମ ‘ସାଧନାର ପଥେ’। ‘ଗଁା ମଜଲିସ’ ତାଙ୍କର ଏକ ଅତ୍ୟନ୍ତ ଲୋକପ୍ରିୟ ସ୍ତମ୍ଭ। ଏଥିରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ଲାଗି ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ୧୯୮୭ ଜାନୁଆରି ଆଜି ଦିନରେ ‘ଉତ୍କଳକେଶରୀ’ ହରେକୃଷ୍ଣଙ୍କର ତିରୋଧାନ ଘଟିଥିଲା।