ମଧ୍ୟପ୍ରଦେଶର ପ୍ରସିଦ୍ଧ ଦାତିଆ ଶ୍ରୀପୀତାମ୍ବରାପୀଠରେ ରହିଛି ହରିଦ୍ରା ସରୋବର। ଭାରତର ପ୍ରସିଦ୍ଧ ଶକ୍ତିପୀଠମାନଙ୍କ ମଧ୍ୟରେ ଏହା ଅନ୍ୟତମ। ଏହି ପୀଠର ମୁଖ୍ୟଦେବୀ ହେଉଛନ୍ତି ବଗଲାମୁଖୀ। ଭାରତର ବିଭିନ୍ନ ସ୍ଥାନରେ ବଗଲାମୁଖୀଙ୍କର ମନ୍ଦିର ଦୃଷ୍ଟିଗୋଚର ହେଲେ ମଧ୍ୟ ଏଠାରେ ଥିବା ହରିଦ୍ରା ସରୋବର ନିମିତ୍ତ ଦାତିଆ ବିଶେଷ ପ୍ରସିଦ୍ଧ। କଥିତ ଅଛି, ଏକଦା ପୃଥିବୀକୁ ଏକ ପ୍ରଳୟଙ୍କରୀ ବାତ୍ୟା ବିନଷ୍ଟ କରିବାକୁ ଲାଗିଲା। ଦେବତାମାନଙ୍କର ଶତଚେଷ୍ଟା ସତ୍ତ୍ୱେ ଏହି ବାତ୍ୟା ପ୍ରଶମିତ ନ ହେବାରୁ ସ୍ୱୟଂ ବିଷ୍ଣୁ ଆସି ହରିଦ୍ରା ସରୋବରରେ ବସି ଦେବୀ ପାର୍ବତୀଙ୍କୁ ତପସ୍ୟା କଲେ। ବିଷ୍ଣୁଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ପାର୍ବତୀ ସରୋବର ମଧ୍ୟରୁ ବଗଲାମୁଖୀ ଭାବରେ ଆବିର୍ଭୂତା ହୋଇ ପୃଥିବୀକୁ ରକ୍ଷା କଲେ। ଅନ୍ୟ ଏକ କିଂବଦନ୍ତି ଅନୁଯାୟୀ, ଏକଦା ମଦନ ନାମକ ଏକ ରାକ୍ଷସ ବାକ୍ସିଦ୍ଧି ପ୍ରାପ୍ତ ହୋଇ ମନୁଷ୍ୟମାନଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା। ବାକ୍ସିଦ୍ଧି ପ୍ରାପ୍ତି ଫଳରେ ସେ ଯାହା କହୁଥିଲା ତାହା ସତ ହେଉଥିଲା। ଦେବୀ ବଗଲାମୁଖୀ ଆବିର୍ଭୂତା ହୋଇ ତାର ଜିହ୍ୱାକୁ ଟାଣି ଧରି ମୂଷଳରେ ପିଟି ତାର ଶକ୍ତି ହରଣ କଲେ। ମୃତ୍ୟୁକାଳରେ ସେହି ରୂପରେ ପୂଜିତା ହେବାକୁ ସେ ପ୍ରାର୍ଥନା କରିଥିଲା। ତେଣୁ ଦେବୀ ସେହି ରୂପରେ ପୂଜିତା।
ଉତ୍ତର ଭାରତରେ ବଗଲାମୁଖୀ ପୀତାମ୍ବରା ନାମରେ ପୂଜିତା। କେତେକଙ୍କ ମତରେ ‘ବଲଗା’ (ଲଗାମ)ରୁ ‘ବଗଲା’ ଶବ୍ଦ ଉତ୍ପନ୍ନ। ଅନ୍ୟ ମତରେ ଦେବୀ ବକପକ୍ଷୀର ମୁଖ ଧାରଣ କରିଥିବାରୁ ତାଙ୍କ ନାମ ବଗଲାମୁଖୀ। କୁବ୍ଝଟିକା ତନ୍ତ୍ର ଅନୁସାରେ- ‘ବ’ କାରେ ବାରୁଣୀ ଦେବୀ, ‘ଗ’ କାରେ ସିଦ୍ଧିଦାସ୍ମୃତା, ‘ଲ’ କାରେ ପୃଥିବୀ ଚୈବ ଚୈତନ୍ୟ ପ୍ରକୀର୍ତ୍ତିତା। ‘ବ’ ଅର୍ଥ ବାରୁଣୀ ସର୍ବଦା ସମ୍ମୋହିତା, ‘ଗ’ ଦ୍ୱିତୀୟ ଅକ୍ଷର ସମସ୍ତ ସିଦ୍ଧିପ୍ରଦାୟିନୀ। ‘ଲ’ ତୃତୀୟ ଅକ୍ଷର, ଯାହା ସମସ୍ତ ଶକ୍ତିର ମୂଳଭିତ୍ତି ଓ ଚେତନା ପ୍ରଦାୟିନୀ। ଶତ୍ରୁ ନିମିତ୍ତ ସେ ବ୍ରହ୍ମା ସଦୃଶ। ତନ୍ତ୍ର ଶାସ୍ତ୍ର ଅନୁସାରେ ସେ ହରିଦ୍ରାବର୍ଣ୍ଣା। ଦେବୀ ହରିଦ୍ରାସମୁଦ୍ର ମଧ୍ୟରେ ସ୍ୱର୍ଣ୍ଣସିଂହାସନରେ ଆସୀନା। ହରିଦ୍ରାବର୍ଣ୍ଣର ବସ୍ତ୍ର ଓ ହରିଦ୍ରାବର୍ଣ୍ଣର ପୁଷ୍ପରେ ସେ ସୁଶୋଭିତା। ତାଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ସୁଅଙ୍କିତ। କେତେକ ସ୍ଥାନରେ ସେ ତ୍ରିନେତ୍ରା ଓ ଚତୁର୍ଭୁଜା। ତାଙ୍କର ଶରୀର ନାରୀର ଓ ମୁଖ କ୍ରୌଞ୍ଚପକ୍ଷୀର। କେତେକ ସ୍ଥାନରେ ସେ ସଂପୂର୍ଣ୍ଣା ନାରୀ। ହରିଦ୍ରା ସର୍ବଦା ଶୁଭସୂଚକ। ସ୍ୱର୍ଣ୍ଣ, ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ଅଗ୍ନି ଓ ଶସ୍ୟ କନକବର୍ଣ୍ଣା। କନକବର୍ଣ୍ଣା ଦେବୀ ସର୍ବଦା ଭକ୍ତର ମଙ୍ଗଳାକାଂକ୍ଷୀ। ତେଣୁ ତାଙ୍କର ବାସସ୍ଥାନ ହରିଦ୍ରାସରୋବର। ସେ କ୍ରୌଞ୍ଚ ସଦୃଶ ଧ୍ୟାନମଗ୍ନତା ଓ ଧୈର୍ଯ୍ୟର ପ୍ରତୀକ।