ନାତିନାତୁଣୀ ସୁଖରୁ ବଞ୍ଚିତ କରାଇଥିବା ପୁଅ-ବୋହୂଙ୍କ ବିରୋଧରେ ମାମଲା; ୫ କୋଟି କ୍ଷତିପୂରଣ ଦାବି କଲେ ବୃଦ୍ଧ ଦମ୍ପତି

ହରିଦ୍ବାର: ସଂପତ୍ତି ପାଇଁ ପିଲାମାନେ ନିଜ ବାପାମାଆଙ୍କୁ ହଇରାଣ କରିବା ବା ସେମାନଙ୍କ ବିରୋଧରେ ମାମ‌ଲା ରୁଜ୍ଜୁ କରିବା ଘଟଣା ଆପଣ ଶୁଣିଥିବେ ନିଶ୍ଚୟ। ମାତ୍ର କେଉଁ ମାଆବାପା ନାତିନାତୁଣୀ ପାଇଁ ପୁଅ-ବୋହୂଙ୍କ ବିରୋଧରେ ମାମଲା ରୁଜୁ କରିବା ପରି ଘଟଣା କେବେ ଦେଖିଛନ୍ତି?

ଉତ୍ତରଖଣ୍ଡର ହରିଦ୍ବାର‌ରେ ଦେଖିବାକୁ ମିଳିଛି ଏପରି ଆଶ୍ଚର୍ଯ୍ୟଜନକ ଘଟଣା। ପୁଅ-ବୋହୂ ସେମାନଙ୍କୁ ନାତିନାତୁଣୀ ନଦେଇ ନାତିନାତୁଣୀ ସୁଖରୁ ବଞ୍ଚିତ କରିଛନ୍ତି ବୋଲି ଅଭିଯୋଗ ଆଣି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଜଣେ ବୟସ୍କ ଦମ୍ପତି। ସେମାନେ ମାମଲା ରୁଜୁ କରି ଅଦାଲତରେ ପୁଅ-ବୋହୂଙ୍କଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି। ଦମ୍ପତିଙ୍କ କହିବା କଥା ହେଲା ସେମାନେ ପୁଅ ଜନ୍ମରୁ ନେଇ ଲାଳନପାଳନ, ଶିକ୍ଷା, ବାହାଘର ଆଦି ସମସ୍ତ କାର୍ଯ୍ୟରେ ପ୍ରାୟ ୫କୋଟିରୁ ଊର୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି। ଯଦି ପୁଅ ସେମାନଙ୍କ ମନ କଥା ନବୁଝିଲା ତେବେ ସେହି ଟଙ୍କା ସେମାନଙ୍କୁ ଏବେ ଫେରସ୍ତ ଦରକ‌ାର। ଯଦି ସେମାନଙ୍କ ପୁଅ-ବୋହୂ ୧ ବର୍ଷ ମଧ୍ୟରେ ନାତି କି ନାତୁଣୀ ଦିଅନ୍ତି ତେବେ ସେମାନେ ଏହି ଅଭିଯୋଗ ଉଠାଇନେବେ ବୋଲି କହିଛନ୍ତି।

ବିବାହର ୬ ବର୍ଷ ପରେ ବି ‌ପୁଅ-ବୋହୂଙ୍କର କୌଣସି ପିଲାପିଲି ନହେବାରୁ ସେମାନେ ପିଲା ଚାହୁଁନାହାନ୍ତି ବୋଲି ଅଭିଯୋଗ ଆଣି ଏପରି ନିଷ୍ପତ୍ତି ନେଇଛନ୍ତି ବାପାମାଆ। ବୃଦ୍ଧ ଜଣକ ହେଉଛନ୍ତି ସଂଜୀବ ରଞ୍ଜନ ପ୍ରଧାନ ଓ ବୃଦ୍ଧା ଜଣକ ହେଉଛନ୍ତି ସାଧନା ପ୍ରଧାନ। ସଞ୍ଜୀବ ରଞ୍ଜନ ବିଏଚ୍‌ଇଏଲ୍‌ର ଜଣେ ଅଧିକାରୀ ହୋଇଥିବା ବେଳେ ଏବେ ଅବସର ଗ୍ରହଣ କରି ସାରିଛନ୍ତି। ତାଙ୍କ କହିବା କଥା ହେଲା ନିଜର ଏକମାତ୍ର ପୁଅକୁ ମଣିଷ କରିବାକୁ ସେ ତାଙ୍କ ଜୀବନର ସମସ୍ତ ପୁଞ୍ଜି ସାରି ଦେଇଛନ୍ତି। ହେଲେ ଶେଷ ସମୟରେ ସାହାର ବନିବାକୁ ତାଙ୍କ ପୁଅ ତାଙ୍କୁ ପିଲାଟିଏ ବି ଦେଉନାହିଁ।

 

ସମ୍ବନ୍ଧିତ ଖବର