ଷ୍ଟେସନ୍‌ରେ ଛିଡ଼ା ହୋଇଥିବା ସମୟରେ ଟ୍ରେନ୍‌ ଇଞ୍ଜିନ୍‌ର ଚାବି ହଜିଗଲା, ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: କାର୍‌ ଓ ବାଇକ୍‌ର ଚାବି ହଜିଯିବାର ଖବର ଅନେକ ଥର ସାମ୍ନାକୁ ଆସିଛି। ତେବେ ଏହି ସମସ୍ୟାର ସମାଧାନ କିଛି ସମୟ ହୋଇଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି ଟ୍ରେନ୍‌ର ଚାବି ହଜିଯିବା କଥା। ଆଜ୍ଞା ହିଁ, ଷ୍ଟେସନ୍‌ରେ ଛିଡା ହୋଇଥିବା ଏକ ମାଲଗାଡ଼ି ଟ୍ରେନ୍‌ ଇଞ୍ଜିନ୍‌ର ଚାବି ହଜିଯାଇଥିଲା। ଯେଉଁଥିପାଇଁ  ଅନେକ ସମୟ ଧରି ଟ୍ରେନ୍‌କୁ ଷ୍ଟେସନ୍‌ରେ ଛିଡ଼ା କରିବାକୁ ପଡ଼ିଥିଲା। କର୍ମଚାରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସୂଚନାଯୋଗ୍ୟ, ହରିୟାଣାର ବାବଲ ରେଲେଓ୍ଵ ଷ୍ଟେସନ୍‌ରେ ବୁଧବାର ଏମିତି ଏକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଯେଉଁଠାରେ ଏକ କୋଇଲା ଭର୍ତ୍ତି ମାଲଗାଡ଼ି ଷ୍ଟାଫ୍‌ ପରିବର୍ତ୍ତନ ପାଇଁ ବାବଲ ଷ୍ଟେସନ୍‌ରେ ପହଞ୍ଚିଥିଲା। ପୁରୁଣା ଷ୍ଟାଫ୍‌ ଚାଲିଗଲେ ନୂଆ ଷ୍ଟାଫ୍‌ ଟ୍ରେନ୍‌ରେ ଚଢ଼ିଲା ବେଳକୁ ମାଲଗାଡ଼ି ସହିତ ସଂଯୋଗ ଥିବା ଇଞ୍ଜିନ୍‌ର ଚାବି ନ ଥିଲା। ସେମାନେ ଏ ନେଇ ଷ୍ଟେସନ୍‌ ମାଷ୍ଟରଙ୍କୁ ଜଣାଇଥିଲେ। ବହୁ ଖୋଜଖୋଜି ପରେ ବି ଚାବି ମିଳି ନ ଥିଲା। ଏଥିପାଇଁ ଟ୍ରେନ୍‌ଟି ସକାଳୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଷ୍ଟେସନ୍‌ରେ ଛିଡା ହୋଇଥିଲା। ଏହି ମାଲଗାଡ଼ିଟି ମଥୁରାରୁ ରେଓ୍ଵାରି ଅଭିମୁଖେ ଯାଉଥିଲା।

ଷ୍ଟେସନ୍‌ ମାଷ୍ଟର ସି.ପତ ଯାଦବ କହିଛନ୍ତି, ବହୁ ଖୋଜାଖୋଜି ପରେ ବି ଚାବି ନମିଳିବାରୁ ଟ୍ରେନ୍‌କୁ ଷ୍ଟେସନ୍‌ରେ ଅଟକାଇବା ପାଇଁ ପଡ଼ିଥିଲା। ଏହାପରେ ଟ୍ରେନ୍‌ର ଅନ୍ୟ ଚାବି ଜୟପୁରରୁ ମଗା ଯାଇଥିଲା।

ସମ୍ବନ୍ଧିତ ଖବର