ନୂଆଦିଲ୍ଲୀ: ଉତ୍ତର ଭାରତର ବହୁ ଅଞ୍ଚଳରେ ଏବେ ଝାଞ୍ଜି ବହୁଥିବା ବେଳେ ଶାନ୍ତାରାମ ନାମକ ଜଣେ ବ୍ୟକ୍ତି କମ୍ବଳ ଘୋଡ଼ାଇ ହୋଇ ବୁଲୁଛନ୍ତି। ତାଙ୍କୁ କୁଆଡ଼େ ଭାରି ଶୀତ କରୁଛି।
ଶାନ୍ତାରାମଙ୍କ କଥା ଅନେକଙ୍କୁ ଆଚମ୍ବିତ କରିପାରେ, କିନ୍ତୁ ହରିୟାନାର ମହେନ୍ଦ୍ରଗଡ଼ ଅନ୍ତର୍ଗତ ଦେରୋଲି ଗାଁ’ର ସ୍ଥାନୀୟ ବାସିନ୍ଦା ତାଙ୍କୁ ଋତୁ ବିରୋଧୀ ବେଶଭୂଷାରେ ଦେଖିବାରେ ଅଭ୍ୟସ୍ତ ହୋଇ ଯାଇଛନ୍ତି।
ଗ୍ରୀଷ୍ମକାଳରେ ସେ ନିଅାଁ ପୁଅଁନ୍ତି। ସାଲ୍ କି, କମ୍ବଳ ଘୋଡ଼ାଇ ନ ହୋଇ ଘରୁ ପଦାକୁ ବାହାରନ୍ତି ନାହିଁ।
ଶୀତକାଳରେ ତାଙ୍କର ପୋଷାକ ହେଲା ଢିଲା ସୂତା କୁର୍ତ୍ତା। ଶୀତକାଳରେ ସେ ବରଫ ଖାଉଥିବା କଥା କହନ୍ତି।
ଗ୍ରାମବାସୀମାନେ କହନ୍ତି ସେମାନେ ପିଲାଦିନୁଁ ଶାନ୍ତାରାମଙ୍କୁ ଏ ଭଳି ଅବସ୍ଥାରେ ଦେଖି ଆସୁଛନ୍ତି। ଏହାର କାରଣ ସେମାନେ ନ ଜାଣିଲେ ବି, ତାଙ୍କୁ ଆଉ ଏଇଟା ବିଚିତ୍ର ମନେ ହେଉନାହିଁ।
ସାଧାରଣ ଡାକ୍ତରୀ ବିଦ୍ୟାନୁସାରେ, ଶରୀରରେ ସର୍ବଦା ଉତ୍ତାପ ତିଆରି ହୁଏ ଓ ବାହାରି ଯାଏ। ଗ୍ରୀଷ୍ମକାଳରେ ଶରୀରରେ ସୃଷ୍ଟି ହେଉଥିବା
ଉତ୍ତାପ ଶୀଘ୍ର ବାହାରି ଯାଇ ପାରୁ ନ ଥିବାରୁ ଲୋକେ ଗରମ ଅନୁଭବ କରନ୍ତି। ଶୀତକାଳରେ ଏ କଥାଟି ଓଲଟା ହେଉଥିବାରୁ ଲୋକେ ଥରନ୍ତି।
ଥରିବା ଦ୍ୱାରା ମାଂସପେଶୀ ଚଞ୍ଚଳ ଚଞ୍ଚଳ ଟାଣ ହୁଏ ଓ ପୁଣି ଢିଲା ହୋଇଯାଏ। ଏହାଦ୍ୱାରା ଶରୀର ହରାଉଥିବା ଉତ୍ତାପର ପରିମାଣ ଠାରୁ ଅଧିକ ପରିମାଣର ଉତ୍ତାପ ପ୍ରସ୍ତୁତି କରେ।