ହରିଆଣାର ପର୍ଯ୍ୟଟନରେ ଯାଉଥିଲେ ଭୁଲନ୍ତୁ ନାହିଁ ଏହି ଛୋଟ ସହରକୁ

ହରିଆଣାର ଏକ ଛୋଟ ସହର ‘ପଞ୍ଚକୁଲା’।ଏହାର ପ୍ରାକୃତିକ ପରିବେଶ,ନଦୀ,ପାହାଡ଼ ଓ ଝରଣା ପାଇଁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ।ଏଠାରେ ମୋରନି ପର୍ବତ,ପିଞ୍ଜୋର୍‌ ଗର୍ଡ଼େନ୍‌,ମନ୍‌ସା ଦେବୀମନ୍ଦିର ଓ ନାନା ସାହେବଙ୍କ ଗୁରୁଦ୍ୱାରା ବେଶ୍‌ ପ୍ରସିଦ୍ଧ।ଆସନ୍ତୁ ବୁଲି ଆସିବା ପଞ୍ଚକୁଲା…….

ଯଦି ଆପଣ ହରିଆଣାର ପର୍ଯ୍ୟଟନରେ ଯାଉଥା’ନ୍ତି,ତେବେ ନିଶ୍ଚିତ ଭାବେ ଯାଆନ୍ତୁ ‘ପଞ୍ଚକୁଲା’।ଏହା ଏକ ଛୋଟ ସହର ହେଲେ ବି ଏଠାରେ ରହିଛି ଦେବାଦେବୀଙ୍କ ମନ୍ଦିର,ପାର୍କ ଓ ପାହାଡ଼,ପର୍ବତ,ନଦୀ ଓ ଝରଣା,ଯାହା ଆପଣଙ୍କୁ ପ୍ରଲୁବ୍ଧ କରିପାରିବ।
‘ପଞ୍ଚକୁଲା’କୁ ଆପଣ ଚାହିଁଲେ ଆକାଶ ପଥ,ରେଳ ପଥ ଓ ସଡ଼କ ପଥରେ ଯାଇପାରିବେ। ଚଣ୍ଡିଗଡ଼ ଏହାର ନିକଟତମ ବିମାନ ବନ୍ଦର। ଦିଲ୍ଲୀ,ମୁମ୍ବାଇ,ଜୟପୁରରୁ ଏଠାକୁ ନିୟମିତ ବିମାନ ଚଳାଚଳ କରେ।ଚଣ୍ଡିଗଡ଼ରୁ ଆପଣ ବସ୍‌ରେ ଯାଇ ପାରିବେ ପଞ୍ଚକୁଲା।ପଞ୍ଚକୁଲାରେ ଏକ ରେଳଷ୍ଟେସନ୍‌ ମଧ୍ୟ ରହିଛି।ଏଣୁ ରେଳ ପଥରେ ଆସି ପାରିବେ। ସଡ଼କପଥରେ ଚଣ୍ଡିଗଡ଼,ଲୁଧିଆନା,ଦିଲ୍ଲୀ,ଗୁରଗାଓଁ,ସିମ୍‌ଲା,ପଟିଆଲା ଇତ୍ୟାଦି ବିଭିନ୍ନ ସହରରୁ ଏଠାକୁ ନିୟମିତ ବସ ଚଳାଚଳ କରୁଛି।
‘ପଞ୍ଚକୁଲା’କୁ ଗ୍ରୀଷ୍ମଋତୁ କୁ ବାଦ୍‌ ଦେଲେ ଅନ୍ୟ ଯେକୌଣସି ସମୟରେ ଆସିବା ଭଲ,କାରଣ ଗ୍ରୀଷ୍ମକାଳରେ ଏଠାରେ ତାପମାତ୍ରା ୪୭ରୁ ୫୦ ଡ଼ିଗ୍ରୀ ପର୍ଯ୍ୟନ୍ତ ଥାଏ।

photo-youtube

‘ପଞ୍ଚକୁଲା’ର ଏକ ମୁଖ୍ୟ ଦର୍ଶନୀୟ ସ୍ଥାନ ହେଉଛି ମୋରନି ପର୍ବତ।ଏହା ସମୁଦ୍ରପତ୍ତନ ଠୁଁ ପ୍ରାୟ ୧୨୨୦ ମିଟର ଉଚ୍ଚରେ ଅବସ୍ଥିତ।ପାଇନ୍‌ ଗଛରେ ପରିପୂର୍ଣ୍ଣ ଏହି ପର୍ବତରେ ପର୍ଯ୍ୟଟକଙ୍କ ପାଇଁ ଟ୍ରେକିଂର ସୁବ୍ୟବସ୍ଥା ରହିଛି।ଏହି ପର୍ବତ ଦେଇ ଏକ ନଦୀ ବହିଯାଇଛି,ଯେଉଁଠାରେ ଟ୍ରେକିଂରେ ମଧ୍ୟ ବନ୍ଦୋବସ୍ତ ରହିଛି। ପିକ୍‌ନିକ୍‌ପାଇଁ ଏହା ବେଷ୍ଟ୍‍ ସ୍ପଟ୍‌।
‘ପଞ୍ଚକୁଲା’ର ଆଉ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳ ହେଲା ପିଞ୍ଜୋର୍‌ ଗାର୍ଡ଼େନ୍‌। ଏହା କେବଳ ଏକ ପାର୍କ ନୁହେଁ,ବରଂ ଏଠାରେ ରହିବା ଖାଇବାର ବ୍ୟବସ୍ଥା ବି ଅଛି।ତା’ ସାଙ୍ଗକୁ ଏହି ପରିସରରେ ଏକ ଚିଡ଼ିଆଖାନା ମଧ୍ୟ ଅଛି। ଏହି ଗାର୍ଡ଼େନରେ କୃତ୍ରିମ ଝରଣା ମଧ୍ୟ ରହିିଛି।

photo–trvl-media.com

‘ମନସା ଦେବୀ ମନ୍ଦିର’ରେ ଦେବୀଙ୍କ ଦର୍ଶନ ନ କରି କେହି ଶ୍ରଦ୍ଧାଳୁ ପର୍ଯ୍ୟଟକ ପଞ୍ଚକୁଲାରୁ ଯାଇପାରିବେ ନାହିଁ ।୧୮୧୫ ମସିହାରେ ମହାରାଜାର ଗୋପାଳ ସିଂହଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିରରେ ଦେବୀ ଦୁର୍ଗାଙ୍କ ପ୍ରତିମା ପୂଜା ପାଇଥାଏ।ଠିକ୍‌ ସେହିପରି ଏଠାକାର ନାନାସାହେବଙ୍କ ‘ଗୁରୁଦ୍ୱାରା’ମଧ୍ୟ ଦେଖିବା ଭଳି।ପ୍ରତି ପୂର୍ଣ୍ଣିମାରେ ଏଠାକୁ ହଜାରହଜାର ସଂଖ୍ୟାରେ ଭକ୍ତମାନଙ୍କର ଆଗମନ ହୋଇଥାଏ।

ସମ୍ବନ୍ଧିତ ଖବର