ଖରାଦିନ ଆସିଯାଇଛି। ଏବେ ଫଳ ବଜାରରେ ରାଜ୍ କରୁଛି ଫଳର ରାଜା ଆମ୍ବ। ବଜାରରେ ଦେଶୀ, ବାଇଗଣପଲେଇରୁ ନେଇ ଦସେରୀ, ସୁନ୍ଦରୀ, ଆଲ୍ଫନ୍ସୋ ଆଦି ଭିନ୍ନ ଭିନ୍ନ ଜାତିର ଆମ୍ବ ଉପଲବ୍ଧ ହେଲାଣି। ଫଳ ଦୋକାନରେ ସଜା ହୋଇଥିବା ଆମ୍ବ ପସରାରେ ଉଜ୍ଜ୍ବଳ ଓ ତାଜା ଦିଶୁଥିବା ଆମ୍ବ ହିଁ ଗରାଖଙ୍କ ଦୃଷ୍ଟି ଆକର୍ଷଣ କରେ। ଚିକ୍କଣ ହଳଦିଆ ରଂଗର ଆମ୍ବ ଦେଖିଲେ କିଏ ବା ଅଟକି ନଯିବ! ହେଲେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆପଣ କିଣୁଥିବା ଆମ୍ବ ଗଛ ପାଚିଲା ନା ତାକୁ କାର୍ବାଇଡ୍ ଦିଆଯାଇ ପଚାଯାଇଛି, ତାହା ଗ୍ରାହକ ଜାଣିବା ଜରୁରି।
ଭାରତରେ କାର୍ବାଇଡ୍ ବ୍ୟବହାର ବେନିୟମ ହୋଇଥିଲେ ବି ଅଧିକାଂଶ ଫଳ ବେପାରୀ ଏହାକୁ ବେଧଡ଼କ ପ୍ରୟୋଗ କରିଥାନ୍ତି। ହେଲେ ଆଜି ଆମେ ଏପରି ସରଳ ଉପାୟ ବିଷୟରେ ଜଣାଇବୁ, ଯାହା ଦ୍ବାରା ଆପଣ ଆମ୍ବକୁ ବିଷାକ୍ତ କାର୍ବାଇଡ୍ ଦିଆଯାଇ ପଚାଯାଇଛି କି ନାହିଁ ଜାଣିପାରିବେ। ଇନ୍ଷ୍ଟାଗ୍ରାମ୍ରେ ଜୀବନଶୈଳୀ ଗୁରୁ ଲ୍ୟୁକ୍ କାଉଟିନୋ ଏକ ଭିଡିଓ ପୋଷ୍ଟ୍ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ ଆମକୁ କେତେଟି ସରଳ ପରୀକ୍ଷା ବିଷୟରେ କହିଛନ୍ତି, ଯାହା ଦ୍ୱାରା ଆମେ ଘରେ ବସି ଆମ୍ବରେ କ୍ଷତିକାରକ କାର୍ବାଇଡ୍ ବ୍ୟବହାର କରାଯାଇଛି କି ନାହିଁ ତାହା ଯାଞ୍ଚ କରିପାରିବା।
ପ୍ରଥମେ କରିବା ‘ରଙ୍ଗ ପରୀକ୍ଷା’। ଆମ୍ବ ଚୋପାକୁ ଭଲ ଭାବରେ ଦେଖନ୍ତୁ। ଯଦି ଆମ୍ବର ଚାରିପାଖର ରଙ୍ଗ ସମାନ, ତେବେ ଏହା ଏକ ଭଲ ସଙ୍କେତ। କିନ୍ତୁ ଆମ୍ବ ସାରା ଯଦି ଛୋଟ ଛୋଟ କଳା ଦାଗ ରହିଛି, ତେବେ ଆପଣ ସତର୍କ ରହିପାରନ୍ତି। ଏଥିରେ କାର୍ବାଇଡ୍ ବ୍ୟବହାର ହୋଇଥାଇପାରେ। ଦ୍ବିତୀୟରେ ‘ପ୍ରେସର୍ ଟେଷ୍ଟ୍’। ଆମ୍ବକୁ ହାତରେ ଚିପି ଦେଖନ୍ତୁ। ଯଦି ଆମ୍ବଟି ଲତପତ ନହୋଇ ସ୍ବାଭାବିକ ଭାବେ ଯେତିକି ଟାଣ ରହିବା କଥା ରହିଛି, ତେବେ ଏହା ଭଲ ଆମ୍ବ। ମାତ୍ର କାର୍ବାଇଡ୍ ପ୍ରୟୋଗଯୁକ୍ତ ଆମ୍ବକୁ ଚାପିବା ଦ୍ବାରା ତାହା ସ୍ବାଭାବିକ ଠାରୁ ନରମ ଲାଗେ ଏବଂ ଭିନ୍ନ ସ୍ଥାନରେ ଭିନ୍ନ ଅନୁଭବ ହୁଏ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ‘ପାଣି ପରୀକ୍ଷା’। ଆମ୍ବକୁ ପାଣି ଭର୍ତ୍ତି ଏକ ବଡ଼ ପାତ୍ରରେ ପକାଇଦିଅନ୍ତୁ। ଯଦି ଏହା ବୁଡ଼ିଯାଏ, ତେବେ ଏହା ସମ୍ଭବତଃ ଭଲ ଆମ୍ବ। ଯଦି ଏହା ଭାସେ, ତେବେ ଏହା ସୂଚିତ କରୁଛି ଯେ ଏଥିରେ କାର୍ବାଇଡ୍ ପ୍ରୟୋଗ କରଯାଇଛି। ଉପରୋକ୍ତ ସମସ୍ତ ପରୀକ୍ଷା ପରିବାରର ଯେ େକୗଣସି ବୟସର ସଦସ୍ୟଟିଏ କରିପାରିବେ। ହୁଏତ ଏହି ପରୀକ୍ଷା ସବୁ ସମୟରେ ସଂପୂର୍ଣ୍ଣ ନିର୍ଭୁଲ୍ ପ୍ରମାଣିତ ହୋଇ ନପାରେ। କାରଣ ବିଧିବଦ୍ଧ ପରୀକ୍ଷା କରିବା ପାଇଁ ଏକ ଲ୍ୟାବ୍ ଆବଶ୍ୟକ। ତେବେ ଅଧିକାଂଶ ସମୟରେ ଏହି ପରୀକ୍ଷା ଠିକ୍ ହୋଇଥାଏ ବୋଲି ସେ ଦର୍ଶାଇଛନ୍ତି।