ପୁରାଣ ଯୁଗରେ ହୃୟଗ୍ରୀବ ନାମକ ଜଣେ ଦୈତ୍ୟ ଥିଲା। ସେ ସରସ୍ୱତୀ ନଦୀ କୂଳରେ ଭଗବତୀ ମହାମାୟାଙ୍କ ପ୍ରସନ୍ନତା ଲାଭ କରିବାପାଇଁ କଠୋର ତପସ୍ୟା କରିଲା। ସେ ଅନେକ ଦିନ ଧରି ଅଖିଆ ଅପିଆ ଭଗବତୀଙ୍କ ମାୟାବୀଜ ଏକ ଅକ୍ଷର ମହା ମହାମନ୍ତ୍ର ଜପ କରିବାରେ ଲାଗିଲା। ତା’ର ଇନ୍ଦ୍ରିୟମାନେ ତା’ ନିଜର ବଶୀଭୂତ ହୋଇଗଲେ। ସେ ସମସ୍ତ ପ୍ରକାରର ଭୋଗରୁ ନିବୃତ୍ତ ହେଲା।ତା’ର କଠିନ ତପସ୍ୟାରେ ପ୍ରସନ୍ନ ହୋଇ ଭଗବତୀ ତାକୁ ତାମସିକ ଶକ୍ତି ରୂପେ ଦର୍ଶନ ଦେଲେ। ଭଗବତୀ ମହାମୟା ତାଙ୍କୁ କହିଲେ,‘ମହାଭାଗ! ମୁଁ ତୁମର ତପସ୍ୟାରେ ପ୍ରସନ୍ନ । ତୁମର ତପସ୍ୟା ସଫଳ ହୋଇଛି। ତୁମର ଇଚ୍ଛା ପୂରଣ କରିବା ପାଇଁ ମୁଁ ପ୍ରସ୍ତୁତ ! ବତ୍ସ! ମୋତେ ବର ମାଗ।’
ଭଗବତୀଙ୍କ ଦୟା ଓ ପ୍ରେମରେ ଓତଃପ୍ରୋତ ବାଣୀ ଶୁଣି ହୃୟଗ୍ରୀବର ଆନନ୍ଦର ଠିକଣା ରହିଲା ନାହିଁ। ତା’ର ନୟନରୁ ଆନନ୍ଦାଶ୍ରୁ ଝରିବାରେ ଲାଗିଲା।ସେ ଭଗବତୀଙ୍କ ସ୍ତୁତି କରି କହିଲା,‘ ହେ କଲ୍ୟାଣମୟୀ ଦେବୀ! ମୁଁ ଆପଣଙ୍କ ପ୍ରମାଣ କରୁଛି। ଆପଣ ମହାମୟୀ ଅଟନ୍ତି। ସୃଷ୍ଟି,ସ୍ଥିତି ଓ ସଂହାର କରିବା ଆପଣଙ୍କ ସ୍ୱାଭାବିକ ଗୁଣ ଅଟେ। ଆପଣଙ୍କ କୃପାରୁ କିଛି ବି ଅସମ୍ଭବ ନୁହେଁ। ଯଦି ଆପଣ ପ୍ରକୃତରେ ମୋ’ ଉପରେ ପ୍ରସନ୍ନ ,ତେବେ ମୋତେ ଅମର ହେବାର ବରଦାନ ଦେବାରେ କୃପା କରନ୍ତୁ’।