‘ମୁଁ ବିଷ୍ଣୁଙ୍କ କଳ୍‌କୀ ଅବତାର, ଅଫିସରେ ଅଯଥା ସମୟ ନଷ୍ଟ କରିବି ନାହିଁ’

ଅହମ୍ମଦାବାଦ: ମହମ୍ମଦାବାଦର ଜଣେ ଅଧିକ୍ଷଣ ଯନ୍ତ୍ରୀ ନିଜକୁ ଭଗବାନ ବିଷ୍ଣୁଙ୍କ ୧୦ମ ଅବତାର ବୋଲି ଦାବି କରିଛନ୍ତି। ସର୍ଦ୍ଦାର ସରୋବର ପ୍ରକଳ୍ପରେ ଅଧିକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରମେଶଚନ୍ଦ୍ର ଫେଫାରଙ୍କୁ ନିୟମିତଭାବେ କାର୍ଯ୍ୟରେ ଅନୁପସ୍ଥିତ ରହିବା ଯୋଗୁଁ ଯେତେବେଳେ ଉଚ୍ଚ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ ଜାରି କଲେ, ତାର ଉତ୍ତରରେ ଏହି ଯନ୍ତ୍ରୀ ଜଣକ ଲେଖିଲେ ଯେ ସେ ବିଷ୍ଣୁଙ୍କ ଦଶମ ଅବତାର। ବିଶ୍ୱ ଚେତନାର ପରିବର୍ତ୍ତନ ପାଇଁ ସେ ଘରେ ରହି ଧ୍ୟାନ କରୁଥିଲେ। ଏହି ମହତ୍ତର କାର୍ଯ୍ୟ କରୁଥିବାରୁ ସେ ଅଫିସ କାର୍ଯ୍ୟ କରିବାକୁ ସମୟ ପାଇ ପାରି ନ ଥିଲେ। ଫଳରେ ଗତ ୮ ମାସ ମଧ୍ୟରେ ସେ ମାତ୍ର ୧୬ ଦିନ ଅଫିସ କାର୍ଯ୍ୟ କରି ପାରିଛନ୍ତି ବୋଲି ଯନ୍ତ୍ରୀ ଶ୍ରୀ ଫେଫାର ତାଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତରରେ ଉଲ୍ଲେଖ କରିଛନ୍ତି। ଯନ୍ତ୍ରୀଙ୍କ ଏ ପ୍ରକାର ଉତ୍ତର ପାଇ ତାଙ୍କ ଉଚ୍ଚ କର୍ତ୍ତୃପକ୍ଷ ଅଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କେବଳ ସେତିକି ନୁହେଁ, ଶ୍ରୀ ପେଫାର ଲେଖିଛନ୍ତି ଯେ ମୁଁ ଦେଶରୁ ଦୁର୍ଭିକ୍ଷ ଦୂର କରିବା ପାଇଁ ତପସ୍ୟା କରିବ ନାଁ ଅଯଥା ଅଫିସ ଆସି ସମୟ ବରବାଦ କରିବି।


ସର୍ଦ୍ଦାର ସରୋବର ପକଳ୍ପର ଉଚ୍ଚ କର୍ତ୍ତୃପକ୍ଷ ଶ୍ରୀ ଫେଫାରଙ୍କୁ କାରଣ ଦର୍ଶଅ ନୋଟିସ ଦେଇ କହିଥିଲେ ଯେ ତୁମେ କାର୍ଯ୍ୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିବାରୁ ପ୍ରକଳ୍ପ କାର୍ଯ୍ୟ ଓ ପୁର୍ନବାସ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।ତେଣୁ ତୁମ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ନାର୍ହିଁ ତାହା ଜଣାଇବାକୁ ଶ୍ରୀ ଫେଫାରଙ୍କୁ କର୍ତ୍ତୃପକ୍ଷ ନୋଟିସ ଜାରି କରିଥିଲେ। ଏହାର ଉତ୍ତରରେ ଶ୍ରୀ ଫେଫାର ଲେଖିଥିଲେ ଯେ ସେ ହେଉଛନ୍ତି ବିଷ୍ଣୁଙ୍କର ଦଶମ ଅବତାର ବା କଳ୍‌କୀ ଅବତାର। ସେ ବିଶ୍ୱ କଲ୍ୟାଣ ପାଇଁ ଘରେ ଧ୍ୟାନ କରୁଥିଲେ। ଏହି କାର୍ଯ୍ୟ ଅଫିସରେ ହୋଇ ପାରିବ ନାହିଁ। ତେଣୁ ସେ ସଶରୀରେ ଅଫିସରେ ଉପସ୍ଥିତ ହୋଇ ପାରି ନ ଥିଲେ। ସେ ଜଗଦମ୍ବାଙ୍କର ଜଣେ ଅତ୍ୟନ୍ତ ଅନୁଗତ ଭକ୍ତ ହୋଇଥିବାରୁ ତାଙ୍କ ପ୍ରର୍ଥନା ଗୁଜରାଟକୁ ଦୁର୍ଭିକ୍ଷରୁ ରକ୍ଷା କରିଛି ବୋଲି ଶ୍ରୀ ପେଫାର ଦାବି କରିଛନ୍ତି। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଫେଫାରଙ୍କ ଏହି ଉତ୍ତର ସରକାରୀ ମହଲରେ ଭାଇରାଲ ହୋଇଛି। ସର୍ଦାର ସରୋବର ପ୍ରକଳ୍ପର ଉଚ୍ଚ କର୍ତ୍ତୃପକ୍ଷ କହିଛନ୍ତି ଏ ନେଇ ସେ ରାଜ୍ୟ ସରକାରଙ୍କୁ ଅବଗତ କରିବେ।
ସୂଚନାଯୋଗ୍ୟ ଯେ ଗୁଜୁରାଟର ଚିଫ ଇଞ୍ଜିନିୟରଙ୍କ ତଳ ପାହ୍ୟାରେ ଥିବା ୫ ଜଣ ଅଧିକ୍ଷଣ ଯନ୍ତ୍ରୀଙ୍କ ମଧ୍ୟରୁ ଶ୍ରୀ ପେଫାର ଜଣେ। ତେବେ ସେ ତାଙ୍କ ପୁଅ ଓ ସ୍ତ୍ରୀଙ୍କୁ ‘ରାକ୍ଷସ’ ବୋଲି କହି ମାନସିକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତ୍ନୀ ମଧ୍ୟ ରାଜକୋଟ ମହିଳା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର