ରାଜ୍ୟରେ ପୌରାଧ୍ୟକ୍ଷ ପାଇଁ ୧୯୭୯ ଓ ୧୯୯୨ ମସିହାରେ ଦୁଇଥର ପ୍ରତ୍ୟକ୍ଷ ନିର୍ବାଚନ ହୋଇଛି। ୧୯୯୨ ମସିହାରେ ପ୍ରତ୍ୟକ୍ଷ ନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ପରବର୍ତ୍ତୀ ସମୟରେ ରାଜନୀତିରେ ବେଶ୍‌ ସକ୍ରିୟ ଅଂଶଗ୍ରହଣ କରିବା ସହିତ ନିଜକୁ ଏକ ସ୍ବତନ୍ତ୍ର ସ୍ଥାନରେ ରଖିବାକୁ ସକ୍ଷମ ହୋଇପାରିଛନ୍ତି। ସ୍ବାୟତ୍ତ ଶାସନ ଦିବସ ଅବସରରେ ସେହିମାନଙ୍କ ରାଜନୈତିକ ଜୀବନର ପ୍ରାରମ୍ଭକାଳକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା...

Advertisment

୧୯୯୨ ମସିହା ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରଭାତ ମହାପାତ୍ର ଓ ନିହାର ରାୟ ପରବର୍ତ୍ତୀ ସମୟରେ ରାଜନୀତିରେ ସକ୍ରିୟ ଭାବେ ନିଜର ସ୍ଥିତି ଜାହିର୍‌ କରିଥିଲେ। ତେବେ, ବ୍ୟତିକ୍ରମ ହେଉଛି ଶ୍ରୀ ମହାପାତ୍ର ପୌର ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୧୯୯୫ ମସିହା ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ। ଅପରପକ୍ଷେ, ଶ୍ରୀ ରାୟ ପୌରାଧ୍ୟକ୍ଷ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହେଲେ।

ପୂର୍ବରୁ ରାଜ୍ୟରେ ଦୁଇଦୁଇଥର ୧୯୭୯ ଓ ୧୯୯୧ ମସିହାରେ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହିଭଳି ୧୯୯୧-୯୨ରେ ଅନୁଷ୍ଠିତ ରାଉରକେଲା ପୌରପାଳିକା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ନିହାର ରାୟ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ପ୍ରଭାତ ମହାପାତ୍ରଙ୍କୁ ପ୍ରାୟ ୬ ହଜାର ଭୋଟ୍‌ରେ ପରାସ୍ତ କରିଥିଲେ। ଶ୍ରୀ ରାୟ ପ୍ରାୟ ୧୯ ହଜାର ଭୋଟ୍‌ ପାଇଥିବାବେଳେ ଶ୍ରୀ ମହାପାତ୍ର ପାଖାପାଖି ୧୩ ହଜାର ଖଣ୍ଡ ଭୋଟ୍‌ ପାଇଥିଲେ। ଉକ୍ତ ନିର୍ବାଚନରେ ମୋଟ୍‌ ୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

ପ୍ରତ୍ୟକ୍ଷ ନିର୍ବାଚନ ସମ୍ପର୍କରେ ଶ୍ରୀ ରାୟ କହିଛନ୍ତି, ମେୟର/ଅଧ୍ୟକ୍ଷ ପଦବି ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହିଁ ହେବା ଉଚିତ। ଏହି ବ୍ୟବସ୍ଥା ଦ୍ବାରା ଜନସାଧାରଣ ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ବିଜୟୀ କରିପାରିବେ। ପୂର୍ବରୁ ସଂଖ୍ୟା ଗରିଷ୍ଠ ଦଳ ହିଁ ମେୟର/ଅଧ୍ୟକ୍ଷ ମନୋନୀତ କରୁଥିଲା। ଜନସାଧାରଣ ସଂପୃକ୍ତ ମନୋନୀତ ଅଧ୍ୟକ୍ଷଙ୍କୁ ଅନିଚ୍ଛା ସତ୍ତ୍ବେ ମାନୁଥିଲେ।

ଅପରପ‌େକ୍ଷ ଶ୍ରୀ ମହାପାତ୍ର କହିଛନ୍ତି, ‘ଏ ନିଷ୍ପତ୍ତି ଢେର୍‌ ପୂର୍ବରୁ ନିଆଯିବା କଥା। ବିଳମ୍ବ ହେଉ ପଛେ, ସରକାର ଏ ଦିଗରେ ପୁନର୍ବିଚାର କରି ସିଧାସଳଖ ନିର୍ବାଚନ ପାଇଁ ପଦକ୍ଷେପ ନେବା ସ୍ବାଗତଯୋଗ୍ୟ ପଦକ୍ଷେପ। ଏହି ସିଧାସଳଖ ନିର୍ବାଚନ ଦ୍ବାରା ବହୁ ସୁଫଳ ମିଳିବ ଓ ଲୋକ ଉପକୃତ ହେବେ। ’