୮୦ଟଙ୍କା ମଜୁରୀରୁ କୋଟିପତି ହେବାର ଯାତ୍ରା; ଜାଣନ୍ତୁ ଗାଈ ଚରାଉଥିବା ରମେଶଭାଇଙ୍କ କାହାଣୀ

ଗାଈ ଚରାଳିରୁ କୋଟିପତି । ଦିନେ ଋଣ ଶୁଝିବାକୁ ସମସ୍ତ ଜମିବାଡ଼ି ବିକିବାକୁ ପଡିଥିଲା । ମାସକୁ ମାତ୍ର ୮୦ ଟଙ୍କା ମଜୁରିରେ ଗାଈ ଚରାଉଥିଲେ । ହେଲେ ଆଜି ସେ କୋଟିପତି। ମାସକୁ ହଜାରେ କି ୨ହଜାର ନୁହେଁ ରୋଜଗାର କରୁଛନ୍ତି ୩୫ ଲକ୍ଷ ଟଙ୍କା । କେବଳ ଘିଅ ବିକ୍ରିରୁ ବର୍ଷକୁ ଆୟ କରୁଛନ୍ତି ୩ କୋଟି । ୧୨୩ ଦେଶକୁ ରପ୍ତାନୀ କରୁଛନ୍ତି ଶୁଦ୍ଧ ଦେଶୀ ଘିଅ ।

ଏ ହେଉଛନ୍ତି ଗୁଜରାଟ ରାଜକୋଟର ରମେଶ ଭାଇ ରୁପାରେଲିୟା । ଶ୍ରୀଗିରି ଗୋ କୃଷି ଜତନ ସଂସ୍ଥା ନାମରେ ଏକ ଗୋଶାଳା ଚଳାଉଛନ୍ତି ରମେଶ । ୪୩ ବର୍ଷୀୟ ରମେଶଭାଇଙ୍କ ପରିବାରର ସମସ୍ତ ସଦସ୍ୟ ନିରକ୍ଷର । ୨୦୦୨ ମସିହାରେ ପରିବାରର ଅବସ୍ଥା ଏତେ ଶୋଚନୀୟ ହୋଇଥିଲା ଯେ, ଋଣ ଟଙ୍କା ଶୁଝିବାକୁ ସମସ୍ତ ୧୦ ଏକର ଜମି ବିକ୍ରି କରିବାକୁ ପଡିଥିଲା । ଏହାପରେ ସେ ମାସକୁ ମାତ୍ର ୮୦ ଟଙ୍କା ମଜୁରୀରେ ଗାଈ ଚରାଇଥିଲେ । ଏତିକିରେ ପରିବାର ଚଳାଇବା କଷ୍ଟକର ହୋଇଯିବାରୁ ସେ ଗାଁ ଛାଡି ରାଜକୋଟକୁ ଚାଲିଆସିଲେ । ରାଜକୋଟ ଆସିବା ପରେ ସେ ଏକ ଜୈନ ପରିବାରରେ ରହିବା ଆରମ୍ଭ କଲେ, ଯାହାଙ୍କର ୧୦ ଏକର ପଡିଆ ଜମିଥିଲା । କିଛି ଦିନ ରାଜକୋଟରେ ରହିବା ପରେ ସେ ପ୍ରଥମେ ୨ଟି ଗାଈ ଏବଂ ୨ଟି ବଳଦ ପାଳିବା ଆରମ୍ଭ କଲେ । ଏହା ସହ ୧୦ ଏକର ପଡିଆ ଜମିରେ ପିଆଜ ଚାଷ କଲେ । ଗାଈ ଗୋବର ଏବଂ ଗୋମୂତ୍ର ବ୍ୟବହାର ଦ୍ୱାରା ପ୍ରଚୁର ପିଆଜ ହେବା ସହ ପ୍ରଥମ ବର୍ଷ ପିଆଜ ବିକି ସେ ୩୫ ଲକ୍ଷ ଟଙ୍କା ରୋଜଗାର କଲେ । ଏହାପରେ ଆଉ ପଛକୁ ଫେରିନଥିଲେ ରମେଶଭାଇ । ଧୀରେଧୀରେ ସେ ଗାଈ ସଂଖ୍ୟା ବଢାଇବା ସହ ପଡିଆ ଜମିରେ ଘାସ ଚାଷ ସମେତ ବିଭିନ୍ନ ଫସଲ କରିବା ଏବଂ କ୍ଷୀର, ଦହି ଓ ଘିଅ ବ୍ୟବସାୟ ଆରମ୍ଭ କଲେ।

 ଦିନକୁ ଦିନ ଆର୍ଥିକ ସ୍ଥିତି ସୁଧୁରିବା ପରେ ବର୍ତ୍ତମାନ ୪ ଏକର ଜମିରେ ବିରାଟ ଗୋଶାଳା କରିଛନ୍ତି ରମେଶଭାଇ । କେବଳ ବ୍ୟବସାୟ ପାଇଁ ସେ ଗାଈ ପାଳନ କରୁନାହାନ୍ତି, ବୁଢୀ ଗାଈମାନଙ୍କର ସେ ସେବା ମଧ୍ୟ କରିଥାନ୍ତି । ଗାଈ ବାଛୁରିମାନଙ୍କୁ ସେ ନିଜର ସନ୍ତାନ ଭଳି ପାଳନ କରିଥାନ୍ତି । ଯେଉଁ ଗାଈ ଗୋରୁକୁ ଲୋକେ ଛାଡି ଦେଉଛନ୍ତି, ସେମାନଙ୍କୁ ଆପଣେଇଥାନ୍ତି ରମେଶଭାଇ ।

ରମେଶଭାଇଙ୍କ ଘିଅର ଆଦର ଦେଶ ବିଦେଶରେ ରହିଛି । ୧ କେଜି ଘିଅର ଦାମ ରହିଛି ୩ ହଜାର ୫୦୦ ଟଙ୍କା । ବର୍ତ୍ତମାନ ସେ ୧୨୩ଟି ଦେଶକୁ ଏହି ଶୁଦ୍ଧ ଦେଶୀ ଘିଅ ରପ୍ତାନୀ କରୁଛନ୍ତି । ବିଶେଷ କରି ଆମେରିକା, ୟୁକେ, ଅଷ୍ଟ୍ରେଲିଆ, କାନାଡା ଏବଂ ସାଉଦୀ ଆରବରେ ଏହି ଘିଅର ଚାହିଦା ଅଧିକ । କେବଳ ଘିଅ ବ୍ୟବସାୟରୁ ରମେଶଭାଇ ମାସକୁ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଗାଈ ବ୍ୟବସାୟ ପ୍ରତି ଯୁବକ ଯୁବତୀମାନଙ୍କୁ ଆକୃଷ୍ଟ କରିବା ପାଇଁ ରମେଶଭାଇ ଏକ ଟ୍ରେନିଂ ସେଣ୍ଟର ମଧ୍ୟ ଖୋଲିଛନ୍ତି । ଯେଉଁଠି ସେ ଭଲ ବ୍ୟବସାୟ କିପରି କରିବାକୁ ହୁଏ ସେନେଇ ତାଲିମ ଦେଉଛନ୍ତି ।

ସମ୍ବନ୍ଧିତ ଖବର