ପ୍ରଥମ ଥର ପାଇଁ ରକ୍ତଦାନ କରିବା କଷ୍ଟକର ମନେ ହୋଇପାରେ, କିନ୍ତୁ ଏହା ସମ୍ଭବତଃ ତିନିଟି ଜୀବନ ବଞ୍ଚାଇଦେଇପାରିବ। ତେବେ ସ୍ବଳ୍ପ ପୂର୍ବପ୍ରସ୍ତୁତି ପ୍ରଥମ ରକ୍ତଦାନ ଅଭିଜ୍ଞତାକୁ ସହଜ ଓ ନିରାପଦ କରିବାରେ ସାହାଯ୍ୟ କରିପାରିବ। ରକ୍ତଦାନ ପାଇଁ ବୟସ ସୀମା ୧୭ରୁ ୬୫ ବର୍ଷ ରହିଥିବା ବେଳେ ପ୍ରଥମ ଥର ରକ୍ତଦାତା ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ରକ୍ତଦାନ କରିବା ପୂର୍ବରୁ ଦାତାଙ୍କର ରକ୍ତଚାପ, ଶରୀର ତାପମାତ୍ରା ଓ ହିମୋଗ୍ଲୋବିନ୍ ସ୍ତର (ଅତି କମ୍ରେ ୧୨.୫ ଗ୍ରାମ୍/ଡିଏଲ୍) ଯାଞ୍ଚ କରାଯାଇଥାଏ। ପୁରୁଷମାନେ ପ୍ରତି ତିନି ମାସରେ ରକ୍ତଦାନ କରିପାରୁଥିବା ବେଳେ ମହିଳାମାନେ ପ୍ରତି ଚାରି ମାସରେ ଥରେ ଦାନ କରିପାରିବେ।
ଶକ୍ତିସ୍ତର ବଜାୟ ରଖିବା ଏବଂ ମୁଣ୍ଡବିନ୍ଧାର ବିପଦ ହ୍ରାସ କରିବା ପାଇଁ ରକ୍ତଦାନ ପୂର୍ବରୁ ଉପଯୁକ୍ତ ଖାଦ୍ୟ ଖାଇବା ବାଞ୍ଛନୀୟ। ରକ୍ତଦାତାମାନେ ଫୁସ୍ଫୁସ୍, ଯକୃତ, ବୃକ୍କ, ପାକସ୍ଥଳୀ କିମ୍ବା ଜେନିଟୋରିନାରି ପ୍ରଣାଳୀ ସହ ଜଡ଼ିତ ଦୀର୍ଘକାଳୀନ ଅସୁସ୍ଥତାରୁ ମୁକ୍ତ ଥିବା ଦରକାର। ସେହିପରି ହେପାଟାଇଟିସ୍ ବି କିମ୍ବା ସି, ସ୍କିଜୋଫ୍ରେନିଆ, ସିଫିଲିସ୍ ଓ ଗନୋରିଆ ଭଳି ଯୌନ ସଂକ୍ରମଣ ସମେତ କର୍କଟ ପୀଡ଼ିତମାନେ ରକ୍ତଦାନ କରିପାରିବେ ନାହିଁ। ଅପରପକ୍ଷେ, ଟାଇଫଏଡ୍ ଆକ୍ରାନ୍ତମାନେ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ଯକ୍ଷ୍ମା ପୀଡ଼ିତମାନେ ଚିକିତ୍ସା ପରେ ଦୁଇ ବର୍ଷ ଏବଂ ମ୍ୟାଲେରିଆ ପୀଡ଼ିତମାନେ ସୁସ୍ଥତାର ତିନି ମାସ ପର୍ଯ୍ୟନ୍ତ ରକ୍ତଦାନ କରିବା ଅନୁଚିତ।