୪ ବର୍ଷର ଦରମା ଖର୍ଚ୍ଚ କରି ଭଙ୍ଗା ସ୍କୁଲକୁ ଚମକାଇଦେଲେ ପ୍ରଧାନଶିକ୍ଷୟତ୍ରୀ

ନୂଆଦିଲ୍ଲୀ: ନିଜର ଦାବି ପୂରଣ ହେଉ କି ବିଭିନ୍ନ ବାହାନାରେ ସ୍କୁଲ ଯାଉନଥିବା କିଛି ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବାବଦରେ ଅଭିଭାବକ ଅଭିଯୋଗ କରୁଥିବାର ଅନେକ ଖବର ଆପଣ ଦେଖିଥିବେ | କେବେ ପୁଣି ଭାଙ୍ଗିଯାଇଥିବା ସ୍କୁଲରେ ପିଲାମାନେ କିଭଳି ବିପଦସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ତାହା ବି ଦେଖିଥିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ପ୍ରଧାନଶିକ୍ଷୟତ୍ରୀଙ୍କ ବାବଦରେ କହିବୁ ଯିଏ ନିଜ ପ୍ରଚେଷ୍ଟାରେ ଭାଙ୍ଗିଯାଇଥିବା ସ୍କୁଲକୁ ନୂଆ ରଙ୍ଗ ଦେଇଛନ୍ତି | ଆଉ ତାଙ୍କର ଏହି ପ୍ରଚେଷ୍ଟା ଫଳରେ ଦିନେ ୧୮ ଜଣ ପିଲା ସ୍କୁଲକୁ ଆସୁଥିବାବେଳେ ଆଜି ୨୫୦ରୁ ଅଧିକ ପିଲା ଆଗ୍ରହର ସହକାରେ ସ୍କୁଲକୁ ପାଠ ପଢିବାକୁ ଆସୁଛନ୍ତି |

ଉତ୍ତରପ୍ରଦେଶ ନୋଏଡାର ଖାଜପୁର ଅଂଚଳରେ ରହିଛି ଏକ ସରକାରୀ ବିଦ୍ୟାଳୟ | ଏହି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଭାବେ ଚାକିରି କରନ୍ତି ନୀଲମ ଶର୍ମା | ୨୦୧୩ ମସିହାରେ ନୀଲମ ଶର୍ମା ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ଭାଙ୍ଗିଯାଇଥିବା ସ୍କୁଲରେ ପିଲାମାନଙ୍କ ସହିତ ବସିବାକୁ ତାଙ୍କୁ ଭୟ ଲାଗୁଥିଲା | ଶ୍ରେଣୀ କୋଠରୀରେ ଗାଁର ଲୋକମାନେ କୁଣ୍ଡା ବସ୍ତା ରଖୁଥିବାବେଳେ ଏବଂ ଅନ୍ୟ କୋଠରୀଗୁଡିକ ଭାଙ୍ଗିରୁଜି ଯାଇଥିଲା | ଭଙ୍ଗା ଶ୍ରେଣୀଗୃହ ଯୋଗୁଁ ପିଲାମାନଙ୍କର ମଧ୍ୟ ପାଠ ପଢିବା ପାଇଁ କୌଣସି ଆଗ୍ରହ ନଥିଲା | ଯେତେବେଳେ ନୀଲମ ୨୦୧୭ ରେ ପ୍ରଧାନଶିକ୍ଷୟତ୍ରୀ ହୋଇଥିଲେ, ସେତେବେଳେ ସେ ବିଦ୍ୟାଳୟର ରୂପ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ |

photo-AmarUjala

ଆଉ ନୀଲମଙ୍କ ଏହି ସ୍ବପ୍ନ ପୂରଣ କରିବାକୁ ଗାଁର ମୁଖିଆ ଏବଂ ନୀଲମଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ପ୍ରଥମେ ଗାଁ ମୁଖିଆଙ୍କ ସାହାଯ୍ୟରେ ସମସ୍ତ କୋଠରୀକୁ ସଫା କରିଥିଲେ | ଏହା ପରେ ସ୍କୁଲ ମଝିରେ ବିଭିନ୍ନ ଫୁଲ ଗଛ ଲଗାଇ ଛୋଟ ପାର୍କଟିଏ ପ୍ରସ୍ତୁତ କରିଥିଲେ | ସ୍କୁଲରେ ପିଲାମାନଙ୍କ ଖେଳିବା ପାଇଁ ପାର୍କ ହେବା ପରେ ଧୀରେ ଧୀରେ ପିଲାମାନଙ୍କର ଆଗ୍ରହ ପଢିଥିଲା | ଅବଶ୍ୟ ଏଥିପାଇଁ ନୀଲମ ନିଜର ୪ ବର୍ଷର ଦରମା ମଧ୍ୟ ସ୍କୁଲ ପାଇଁ ଖର୍ଚ୍ଚ କରିଥିଲେ | ଏହା ପରେ ନୀଲମ ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଆଧୁନିକ ଲାଇବ୍ରେରୀ ମଧ୍ୟ ପ୍ରସ୍ତୁତ କରିଥିଲେ | ଏଠାରେ ପାଖାପାଖି ୨ ହଜାରରୁ ଅଧିକ ଶିକ୍ଷଣୀୟ ପୁସ୍ତକ ରଖିବା ସହ ପାଠର ମହତ୍ତ୍ୱ କେତେ ତାହା ପିଲାମାନଙ୍କୁ ବୁଝାଇଥିଲେ | ଫଳସ୍ୱରୂପ, ୨୦୧୭ ରେ, ୧୮ ଜଣ ପିଲା ପାଠ ପଢୁଥିବାବେଳେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୫୦ ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର