ରାଜ୍ୟର ଚିକିତ୍ସା ବ୍ୟବସ୍ଥାରେ ଅନେକ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଛି ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ। ଭବିଷ୍ୟତ ପାଇଁ ବି ଆଧୁନିକ ଚିକିତ୍ସା ବ୍ୟବସ୍ଥା କାର୍ଯ୍ୟକାରୀ କରାଇବାର ନୂଆ ଆଶା ସଞ୍ଚାର କରି ଚାଲିଛି। ଲିଭର୍ ପ୍ରତିରୋପଣ ବ୍ୟବସ୍ଥା ହେଉ, ପୂର୍ବଭାରତର ପ୍ରଥମ ବୋନ୍ ବ୍ୟାଙ୍କ ହେଉ ଅଥବା ସେଣ୍ଟର ଅଫ୍ କମ୍ପିଟେନ୍ସ। ଆଗକୁ ବ୍ୟୟବହୁଳ ହୃତ୍ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ବି କାର୍ଯ୍ୟକାରୀ ହେବାକୁ ଯାଉଛି ଏସ୍ସିବିରେ। ବର୍ଷ ୨୦୨୪ରେ କାଡାଭରିକ୍ ପ୍ରତିରୋପଣରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବେଳେ ଡାକ୍ତରୀ ପାଠ୍ୟକ୍ରମରେ ଅଙ୍ଗଦାନକୁ ସାମିଲ କରିବା ସହ ହେମାଟୋଲୋଜି ବିଭାଗରେ ପିଏଚ୍ଡି ପାଠ୍ୟକ୍ରମ ଆରମ୍ଭ ପାଇଁ ପଦକ୍ଷେପ ନିଆଯାଇଛି। ମୋଟାମୋଟି ଭାବେ ସରକାରୀ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବର୍ଷ ୨୦୨୪ରେ ଏସ୍ସିବି ନୂଆ ଆଶା, ସମ୍ଭାବନା ଓ ସ୍ବୀକୃତିର ବର୍ଷ ହୋଇଛି।
ଏସ୍ସିବିରେ ସଫଳ ହେଲା ଲିଭର୍ ପ୍ରତିରୋପଣ
ଏବର୍ଷ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଇତିହାସ ରଚିଛି ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ୧୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଏସ୍ସିବିରେ ଲିଭର୍ ପ୍ରତିରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ସଂପୂର୍ଣ୍ଣ ମାଗଣାରେ ଦୁଇଟି ସଫଳ ଲିଭର୍ ପ୍ରତିରୋପଣ କରାଯାଇଛି। ଏଆଇଜି ହାଇଦ୍ରାବାଦ୍ ସହ ରାଜ୍ୟ ସରକାରଙ୍କ ଏମ୍ଓୟୁ ଅନୁଯାୟୀ ଏପ୍ରିଲ ୩ତାରିଖରେ କଟକଜିଲ୍ଲା ତିଗିରିଆର ମାନସ ବାରିକଙ୍କଠାରେ ତାଙ୍କ ପତ୍ନୀ ରଶ୍ମିତାଙ୍କ ଲିଭର୍ ପ୍ରତିରୋପଣ କରାଯାଇଥିବା ବେଳେ ସେପ୍ଟେମ୍ବର ୯ତାରିଖରେ ନୟାଗଡ଼ର ମାନସ ମୁଦୁଲିଙ୍କଠାରେ ତାଙ୍କ ପତ୍ନୀ ଛବିଙ୍କ ଲିଭର୍ ପ୍ରତିରୋପଣ କରାଯାଇଥିଲା।
ହୃତ୍ପିଣ୍ଡ ପ୍ରତିରୋପଣ ପାଇଁ ପ୍ରୟାସ
ଏସ୍ସିବିରେ କିଡ୍ନି, ଲିଭର୍ ପରେ ହୃତ୍ପିଣ୍ଡ ପ୍ରତିରୋପଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଓ ଚେନ୍ନାଇସ୍ଥିତ ଏମ୍ଜିଏମ୍ (ମହାତ୍ମା ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲ୍) ସହିତ ଅକ୍ଟୋବର ୨୩ରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ନଭେମ୍ବର୧୬ରେ କାର୍ଡିଓଥୋରାସିକ୍ ବିଭାଗରେ ଏଥିପାଇଁ ଭିତ୍ତିଭୂମି ଅନୁଧ୍ୟାନ କରାଯିବା ସହ ସିଟିଭିଏସ୍ ଓପିଡିର ଉଦ୍ଘାଟନ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ହୃତ୍ପିଣ୍ଡ ପ୍ରତିରୋପଣ ଆରମ୍ଭ ହେବ।
ପୂର୍ବଭାରତର ପ୍ରଥମ ବୋନ୍ ବ୍ୟାଙ୍କ
ପୂର୍ବଭାରତର ପ୍ରଥମ ବୋନ୍ ବ୍ୟାଙ୍କ ପ୍ରତିଷ୍ଠା କରି ନୂଆ ଇତିହାସ ସୃଷ୍ଟି କରିଛି ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଅସ୍ଥିଶଲ୍ୟ ବିଭାଗ(ଅର୍ଥୋପେଡିକ୍)ରେ ଏହି ନୂତନ ବୋନ୍ ବ୍ୟାଙ୍କକୁ ଅକ୍ଟୋବର ୮ରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଥିଲେ। ଏହି ବୋନ୍ ବ୍ୟାଙ୍କରେ ୨୯ପ୍ରକାର ଅସ୍ଥି ସଂରକ୍ଷିତ କରି ରଖାଯାଇଛି। ଏଥିରେ ଅସ୍ଥି ଦାନ କରୁଥିବା ବ୍ୟକ୍ତିଙ୍କ ଅସ୍ଥି ସଂରକ୍ଷିତ ହୋଇ ରହିବ ଏବଂ ଆବଶ୍ୟକ ଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇ ପାରିବ।
ରକ୍ତଶିକୁଳି ରୋଗ ପାଇଁ ସେଣ୍ଟର ଅଫ୍ କମ୍ପିଟେନ୍ସ
ରାଜ୍ୟ ଚିକିତ୍ସା ବିଜ୍ଞାନରେ ପ୍ରଥମ ଥର ପାଇଁ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ(ଓୟୁଏଚ୍ଏସ୍) ପକ୍ଷରୁ ଏସ୍ସିବି ହେମାଟୋଲୋଜି ବିଭାଗରେ ପିଏଚ୍ଡି ପାଠ୍ୟକ୍ରମ ଯୋଡ଼ାଯାଇଛି। ଏସ୍ସିବି ବାୟୋକେମିଷ୍ଟ୍ରି ବିଭାଗକୁ ଓୟୁଏଚ୍ଏସ୍ ପକ୍ଷରୁ ରାଜ୍ୟ ଗବେଷଣା କେନ୍ଦ୍ର ମାନ୍ୟତା ଦିଆଯାଇଛି। ଅନ୍ୟପଟେ ରାଜ୍ୟରେ ଏସ୍ସିବିକୁ ରକ୍ତ ଶିକୁଳି ରୋଗର ଚିକିତ୍ସା ନିମନ୍ତେ ସେଣ୍ଟର ଅଫ୍ କମ୍ପିଟେନ୍ସ ଓ ୱାନ୍ ଷ୍ଟପ୍ ସେଣ୍ଟର ମଧ୍ୟ ଘୋଷଣା କରାଯାଇଛି। ଏଥିପାଇଁ ୟୁନିସେଫ୍ ଟିମ୍ ଏସ୍ସିବି ଆସି ଭିତ୍ତିଭୂମି ଯାଞ୍ଚ କରିଛନ୍ତି।
ହୃତ୍ପିଣ୍ଡରୁ କଢ଼ାଗଲା ଛୁଞ୍ଚି
ଫେବ୍ରୁଆରି ୧୧ ତାରିଖ, ରବିବାର ଛୁଟି ଦିନରେ ଏସ୍ସିବି କାର୍ଡିଓଥୋରାସିସ (ସିଟିଭିଏସ୍) ବିଭାଗରେ ଜଣେ ଯୁବକଙ୍କ ହୃତ୍ପିଣ୍ଡରୁ ସାଢ଼େ ୪ ଇଞ୍ଚର ଛୁଞ୍ଚି କଢ଼ାଯାଇଥିଲା। ସିଟିଭିଏସ୍ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଭୁବନେଶ୍ୱର ଭିଏସ୍ଏସ୍ନଗରର ୩୧ବର୍ଷୀୟ ନିବାସୀ ଶର୍ମା ଘରେ ଶୋଇଥିବା ବେଳେ ତାଙ୍କ ଛାତିରେ ଏକ ଛୁଞ୍ଚି ଫୋଡ଼ି ହୋଇଯାଇଥିଲା। ଛୁଞ୍ଚିଟି ଛାତି ଭିତରେ ହୃତ୍ପିଣ୍ଡର ବାମପାର୍ଶ୍ବ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ପରେ ଭୁବନେଶ୍ବର ଏମ୍ସକୁ ଯାଇଥିବା ବେଳେ ସେଠାରେ ଚିକିତ୍ସା ସେବା ମିଳି ନଥିଲା। ଏଭଳି ସ୍ଥିତିରେ କଟକ ବଡ଼ଡାକ୍ତରଖାନା ସିଟିଭିଏସ୍ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର ମାଧ୍ୟମରେ ହୃତ୍ପିଣ୍ଡର ବାମପାର୍ଶ୍ବରେ ରହିଥିବା ଛୁଞ୍ଚିଟିକୁ କାଢ଼ିଥିଲେ।
ରୋଗୀ ସଂପର୍କୀୟଙ୍କ ପାଇଁ ପାସ୍
ଏସ୍ସିବିରେ ସମ୍ପର୍କୀୟମାନେ ମନଇଚ୍ଛା ରୋଗୀଙ୍କ ସହିତ ୱାର୍ଡରେ ରହିପାରିବେନି କି ତାଙ୍କୁ ଭେଟି ପାରିବେନି। ସମସ୍ତ ରୋଗୀ ସଂପର୍କୀୟଙ୍କ ପାଇଁ ହୋଇଛି ପାସ୍ ବ୍ୟବସ୍ଥା। ରୋଗୀଙ୍କୁ ଭେଟିବା ସମୟ ବି ଧାର୍ଯ୍ୟ କରାଯାଇଛି। ଏସ୍ସିବିରେ ରୋଗୀ ସହାୟକଙ୍କ ପାଇଁ ସକାଳ ସାଢ଼େ ୭ଟାରୁ ୯ଟା, ଦିନ ଗୋଟାଏରୁ ୨ଟା ଓ ରାତି ସାଢ଼େ ୭ଟାରୁ ୯ଟା ପର୍ଯ୍ୟନ୍ତ ସାକ୍ଷାତ ସମୟ ଧାର୍ଯ୍ୟ କରାଯାଇଛି। ଏହି ସମୟରେ ରୋଗୀଙ୍କ ପାଖରେ ୨ଜଣ ସହାୟକ ରହିପାରିବେ। ବାକି ସବୁ ସମୟରେ କେବଳ ଜଣେ ସହାୟକ ରୋଗୀଙ୍କ ପାଖରେ ରହିପାରିବେ। ସେଥିପାଇଁ ରୋଗୀ ୱାର୍ଡରେ ଭର୍ତ୍ତି ହେବା ସମୟରେ ‘ଅଟୋ-ଜେନେରେଟଡ୍ ପାସ୍’ ଅନ୍ଲାଇନ୍ରୁ ବାହାର କରାଯାଉଛି। ସେଥିରେ ରୋଗୀଙ୍କ ନାମ ସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାମ ଉଲ୍ଲେଖ ରହୁଛି।
ରୋଗୀ ଆଟେଣ୍ଡାଣ୍ଟ୍ ପିନ୍ଧି ପାରିବେନି ନୋଳି, ଟାଟୁ
ଏସ୍ସିବିର ବିଭିନ୍ନ ୱାର୍ଡରେ କାର୍ଯ୍ୟରତ ରୋଗୀ ଆଟେଣ୍ଡାଣ୍ଟ୍, ସୁପରଭାଇଜର ଓ କର୍ମଚାରୀଙ୍କ ପାଇଁ ଡ୍ରେସ୍କୋଡ୍ ଓ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁସାରେ ଏସ୍ସିବିରେ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି। ଏପରିକି ଯେଉଁ କର୍ମଚାରୀମାନେ କାନରେ ନୋଳି, ଟାଟୁ କରି ବୁଲୁଛନ୍ତି ସେମାନଙ୍କୁ ତାଗିଦ୍ କରାଯିବା ସହ ସେବାପୂର୍ଣ୍ଣ ମନୋଭାବ ନେଇ ରୋଗୀଙ୍କ ପାଖରେ କାମ କରିବାକୁ କୁଳସଚିବ ମାର୍ଗଦର୍ଶିକା ଜାରି କରିଛନ୍ତି। ଏସ୍ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା ଜୁଲାଇରୁ ଲାଗୁ କରାଯାଇଛି। ଆଉଟ୍ସୋର୍ସିଂ କର୍ମଚାରୀଙ୍କ ପାଇଁ ବି ଫେସିଆଲ ବାୟୋମେଟ୍ରିକ୍ ବ୍ୟବସ୍ଥା ଲାଗୁ କରାଯାଇଛି।
ମାଞ୍ଜା ସୂତାରେ କଟିଯାଇଥିଲା ବେକ
ନୂଆ ଜୀବନ ପାଇଲେ ବାଳକ
ମାଞ୍ଜା ସୂତାରେ କଟିଯାଇଥିଲା ୭ବର୍ଷ ବାଳକ ଅବିନାଶର ବେକ। ବେକର ୫୦ପ୍ରତିଶତ କଟିଯାଇଥିବାବେଳେ ଏସ୍ସିବି ହୃଦ୍ବକ୍ଷଶଲ୍ୟ ବିଭାଗରେ ସଫଳତାର ସହ ଅସ୍ତ୍ରୋପଚାର ପରେ ବାଲେଶ୍ବରର ଅବିନାଶ ପାଇଥିଲେ ନୂଆ ଜୀବନ। ପୁଅକୁ ଧରି ବାଇକ୍ରେ ବାପା ଯାଉଥିବାବେଳେ ହଠାତ୍ ମାଞ୍ଜା ସୂତା ବେକରେ ଗୁଡ଼ାଇ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପ୍ରଥମେ ବାଲେଶ୍ବର ଓ ପରେ କଟକ ବଡ଼ଡାକ୍ତରଖାନାକୁ ତାଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲା।
ସଫଳ ଏକ୍ମୋ ଚିକିତ୍ସା
ଏଚ୍ୱାନ୍ଏନ୍ୱାନ୍(ଏଚ୍୧ଏନ୍୧) ଭୂତାଣୁ ସଂକ୍ରମଣରେ ଗୁରୁତର ହୋଇପଡ଼ିଥିବା ଦିଲ୍ଲୀପ କୁମାର ମହାରଣା(୫୩)ଙ୍କର ସଫଳ ଏକ୍ମୋ ଚିକିତ୍ସା କଟକ ବଡ଼ ଡାକ୍ତରଖାନାରେ କରାଯାଇଛି। ଏସ୍ସିବି ହୃଦ୍ବକ୍ଷଶଲ୍ୟ ବିଭାଗରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଦିଲ୍ଲୀପ ଏଚ୍ୱାନ୍ଏନ୍ୱାନ୍ ଭୂତାଣୁ ସଂକ୍ରମଣରେ ପୀଡ଼ିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କୁ କଟକ ବଡ଼ଡାକ୍ତରଖାନା ଏକ୍ମୋ ୟୁନିଟ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭି-ଭି ଟାଇପ୍ ଫେମୋରୋ ଜୁଗୁଲାର ଏକ୍ମୋ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ୪୮ ଘଣ୍ଟା ମଧ୍ୟରେ ସେ ଗୋଡ଼ହାତ ହଲାଇଥିଲେ। ୯ଦିନର ଏକ୍ମୋ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ଡାକ୍ତରୀ ପାଠ୍ୟକ୍ରମରେ ଯୋଡ଼ିହେଲା ଅଙ୍ଗଦାନ ଓ ପ୍ରତିରୋପଣ
ଏମ୍ବିବିଏସ୍ ପାଠ୍ୟକ୍ରମରେ ଅଙ୍ଗଦାନ ଓ ପ୍ରତିରୋପଣକୁ ସାମିଲ କରାଯାଇଛି। ଏମ୍ବିବିଏସ୍ ଛାତ୍ରଛାତ୍ରୀମାନେ ଏଣିକି ଅଙ୍ଗଦାନ ଓ ଅଙ୍ଗ ପ୍ରତିରୋପଣ ବିଷୟ ପଢ଼ିବେ। ସେପ୍ଟେମ୍ବର ୫ତାରିଖରେ ଜାତୀୟ ଅଙ୍ଗଦାନ ଦିବସ ଅବସରରେ କଟକ ବଡ଼ଡାକ୍ତରଖାନାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡାକ୍ତର ମାନସ ରଞ୍ଜନ ସାହୁ ଏହି ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଯୋଗଦେଇ ନିଜେ ଅଙ୍ଗଦାନ କରିବାକୁ ସ୍ବୀକୃତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟରେ ଅଙ୍ଗଦାନ କରିଥିବା ସମସ୍ତ ୧୭ଜଣ ଅଙ୍ଗଦାତାଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଆମ୍ବଟାକୁଆ ନେଲା ଜିତାଙ୍କ ଜୀବନ ଘରକୁ ଫେରିଲେ ଟୁନି
ଆମ୍ବଟାକୁଆ ଖାଇ ସଙ୍କଟାପନ୍ନ ଅବସ୍ଥାରେ ଏସ୍ସିବିରେ ଚିକିତ୍ସିତ ହୋଇଥିଲେ କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁର ଟୁନି ମାଝୀ ଓ ଜିତା ମାଝୀ। ଚିକିତ୍ସା ପରେ ଟୁନି ନୂଆ ଜୀବନ ନେଇ ଘରକୁ ଫେରିଛନ୍ତି। ତାଙ୍କର ହୋମୋ ଡାଏଲିସିସ୍ କରାଯିବା ସହ ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା କରାଯିବାପରେ ସେ ସୁସ୍ଥ ହୋଇଥିଲେ। ଜିତାଙ୍କୁ କିନ୍ତୁ ବଞ୍ଚାଇ ପାରି ନଥିଲେ ଡାକ୍ତର।
ଓମ୍ ଶିବୁ ଓ ବୀରେନ୍ଦ୍ରଙ୍କ ଅଙ୍ଗଦାନ, ୪ଜଣ ପାଇଲେ ନୂଆ ଜୀବନ
ଏସ୍ସିବିରେ ମାର୍ଚ୍ଚ ୧ରେ ୧୭ବର୍ଷୀୟ ଓମ୍ ଶିବୁ ଓ ଜୁଲାଇ ୧୬ରେ ଜଗତ୍ସିଂହପୁର ଜିଲ୍ଲାର ବୀରେନ୍ଦ୍ର କୁମାର ସ୍ବାଇଁ ଅଙ୍ଗଦାନ କରି ନୂଆ ଇତିହାସ ସୃଷ୍ଟି କରିଥିଲେ। ଏସ୍ସିବିରେ ସେମାନଙ୍କ ମୃତ୍ୟୁ ପରେ ଉଭୟଙ୍କ କିଡ୍ନି ଏସ୍ସିବିରେ କଢ଼ାଯାଇଥିଲା। ଯାହାକି ୪ଜଣଙ୍କୁ ନୂଆ ଜୀବନ ଦେଇଥିଲା। ଓମ୍ ଶିବୁ ମାଟ୍ରିକ୍ରେ ରଖିଥିଲେ ୯୧ ପ୍ରତିଶତ ନମ୍ବର। ଆଇଆଇଟି ପଢ଼ିବାର ଲକ୍ଷ୍ୟ ନେଇ ପ୍ରସ୍ତୁତି କରୁଥିଲେ। କିନ୍ତୁ କ୍ୟାନସରରେ ପୀଡ଼ିତ ହୋଇ ସବୁ ଦିନ ପାଇଁ ଆଖି ବୁଜିଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକଟର ଚାଷୀ ରମେଶ ଦାସଙ୍କ ପୁଅ ଓମ୍ ଶିବୁ। ମୃତ୍ୟୁ ପରେ ଓମ୍ ଶିବୁଙ୍କ ଅଙ୍ଗଦାନ ପ୍ରକ୍ରିୟାରେ ଦୁଇଜଣ ନୂଆ ଜୀବନ ପାଇଛନ୍ତି। ପୁରୀର ୨୧ ବର୍ଷୀୟା ସୁନିତା ମହାପାତ୍ରଙ୍କ ଶରୀରରେ ଓମ୍ ଶିବୁଙ୍କର ଗୋଟିଏ କିଡ୍ନି ପ୍ରତିରୋପଣ ହୋଇଥିବା ବେଳେ ଆଉ ଗୋଟିଏ କିଡ୍ନିକୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲକୁ ନିଆଯାଇ ସେଠରେ ପ୍ରତିରୋପଣ କରାଯାଇଛି। ଅଙ୍ଗଦାନ ପରେ ୧୭ ବର୍ଷୀୟ ଓମ୍ଶିବୁଙ୍କ ମରଶରୀରକୁ ଏସ୍ସିବି ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ସେହିପରି ଜଗତ୍ସିଂହପୁର ଜିଲ୍ଲା ବୀରେନ୍ଦ୍ର ପ୍ରସାଦ ସ୍ବାଇଁଙ୍କ ପାଇଁ ନୂଆ ଜୀବନ ପାଇଲେ ଯାଜପୁରର ଶ୍ରଦ୍ଧାଞ୍ଜଳି ପରିଡ଼ା(୫୨) ଓ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ତୁଷାରକାନ୍ତ ବାରିକ(୨୭)। କଟକ ବଡ଼ ଡାକ୍ତରଖାନା ସେଣ୍ଟ୍ରାଲ ଆଇସିୟୁରେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ(୫୮)ଙ୍କୁ ମସ୍ତିଷ୍କ ମୃତ ଘୋଷଣା କରାଯିବା ପରେ ତାଙ୍କ ପରିବାର ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିଲେ। ଫଳରେ ବୀରେନ୍ଦ୍ରଙ୍କ ଶରୀରରୁ ଦୁଇଟି ଯାକ କିଡ୍ନିକୁ କଢ଼ାଯାଇ ଗୋଟିଏ ଏସ୍ସିବିରେ ଜଣେ ମହିଳାଙ୍କ ଶରୀରରେ ଓ ଅନ୍ୟଟି ଭୁବନେଶ୍ବର ଏମ୍ସରେ ଜଣେ ଯୁବକଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା