ସମ୍ପ୍ରତି ବିଶ୍ବରେ ଯକ୍ଷ୍ମା ରୋଗ ବା ଟିବି (ଟ୍ୟୁବରକ୍ୟୁଲୋସିସ) ଏକ ଚିନ୍ତାଜନକ ସଂକ୍ରାମକ ରୋଗ ହୋଇ ରହିଛି, ଯାହାର ମୃତ୍ୟୁ ହାର ମଧ୍ୟ ଚିନ୍ତାଜନକ। ତେବେ ଆଗୁଆ ଚିକିତ୍ସା ଦ୍ବାରା ଏହାର ପ୍ରସାରକୁ ରୋକିବା ପାଇଁ ଯକ୍ଷ୍ମାର ଲକ୍ଷଣଗୁଡ଼ିକୁ ଶୀଘ୍ର ଚିହ୍ନଟ କରିବା ନିହାତି ଜରୁରି। ଥଣ୍ଡା ସର୍ଦ୍ଦି ଜନିତ କାଶଠାରୁ ଯକ୍ଷ୍ମା ଜନିତ କାଶକୁ ଠଉରେଇବା ଏ ଦିଗରେ ନିର୍ଣ୍ଣାୟକ ହୋଇପାରିବ।
l ଯକ୍ଷ୍ମାର ପ୍ରାଥମିକ ଲକ୍ଷଣ ହେଉଛି କାଶ ଅତି କମ୍ରେ ତିନି ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥାଏ। ସାଧାରଣ କାଶ ପ୍ରାୟତଃ ସପ୍ତାହେ କି ଦୁଇ ସପ୍ତାହ ଭିତରେ ବନ୍ଦ ହୋଇଯାଉଥିବା ବେଳେ ଯକ୍ଷ୍ମା କାଶ ସମୟ ସହିତ ବଢ଼େ।
l ସାଧାରଣ କାଶରେ ବେଳେ ବେଳେ କଫ ବା ଖଙ୍କାର ପଡ଼ିଥାଏ, ମାତ୍ର ଯକ୍ଷ୍ମା କାଶରେ କଫରେ ରକ୍ତ (ହେମୋପ୍ଟାଇସିସ୍) ପଡ଼ିଥାଏ।
l ଯକ୍ଷ୍ମା କାଶ ବେଳେ ଦେହ ଅତ୍ୟନ୍ତ କ୍ଳାନ୍ତ ବା ଅବଶ ଲାଗିବା, ବିନା କାରଣରେ ଓଜନ କମିଯିବା, ରାତିରେ ଝାଳ ବାହାରିବା ଓ ଛାତିରେ ଯନ୍ତ୍ରଣା ପରି ଆହୁରି ଅନେକ ଶାରୀରିକ ବ୍ୟତିକ୍ରମ ଦେଖାଯାଇଥାଏ ଯାହା ସାଧାରଣ କାଶରେ ନଥାଏ।
l ଯେତେ ବିଶ୍ରାମ ନେଲେ ବି ଯକ୍ଷ୍ମାଜନିତ ଅବଶତା ବା ଦୁର୍ବଳତା ଆଦୌ କମିନଥାଏ। ଆଶ୍ଚର୍ଯ୍ୟଜନକ ଭାବେ ଅତର୍କିତ ଭୋକ କମିଯିବା ସହ ମାଂସପେଶୀ ସଂରଚନା ସମେତ ଶାରୀରିକ ଓଜନ ମଧ୍ୟ ଦ୍ରୁତ ହ୍ରାସ ହୋଇଥାଏ।
l ନିୟମିତ ଅପରାହ୍ଣ ଓ ସନ୍ଧ୍ୟାରେ ଜ୍ବର ଆସିବା ଯକ୍ଷ୍ମାର ଏକ ବିଶେଷ ଲକ୍ଷଣ। ରାତିରେ ବିଶେଷ କରି ଶୋଇଥିଲା ବେଳେ ଝାଳ ବାହାରି କନ୍ଥାପଟା ଓଦା ହୋଇଯିବା, ଆଉ ଏକ ଲକ୍ଷଣ।
l ଗଭୀର ପ୍ରଶ୍ବାସ ନେଲା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ମଧ୍ୟ ଅନ୍ୟତମ ଲକ୍ଷଣ। ଫୁସ୍ଫୁସ୍ର ପାରିପାର୍ଶ୍ବିକ ତନ୍ତୁଗୁଡ଼ିକ ଫୁଲି ଯାଇଥିବା ଯୋଗୁଁ ଏପରି କଷ୍ଟ ହୋଇଥାଏ।
ଉପରୋକ୍ତ ଲକ୍ଷଣମାନ ଦେଖିବାମାତ୍ରେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ଉଚିତ।