ନିୟମିତ ଖଟାଦହି ଖାଇଲେ ମଧୁମେହ-୨ ଆଶଙ୍କା କମ୍ ରହିବ ବୋଲି ଏକ ଗବେଷଣାରୁ ଜଣାଯାଇଛି। ବିଶେଷ କରି ସପ୍ତାହକୁ ଅତି କମ୍ରେ ଦୁଇରୁ ତିନି କପ୍ ସରବିହୀନ ଖଟାଦହି ଖାଇଲେ ଏହି ସୁଫଳ ମିଳିପାରିବ ବୋଲି ଆମେରିକୀୟ ଗବେଷକମାନେ ସ୍ପଷ୍ଟ କରିଛନ୍ତି। ଆମର ଦୈନନ୍ଦିନ ଖାଦ୍ୟରେ ଖଟାଦହିକୁ ସାମିଲ କଲେ ମଧୁମେହ-୨ ଆଶଙ୍କା ୧୮ ପ୍ରତିଶତ କମିଥାଏ ବୋଲି ପୂର୍ବରୁ ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା। ମିଠାଦହିରେ ମଧ୍ୟ ମଧୁମେହ ବିରୋଧୀ ଗୁଣ ଅକ୍ଷୁଣ୍ଣ ରହିଥାଏ ବୋଲି ଗବେଷକମାନେ କହିଛନ୍ତି। କ୍ଷୀରରୁ ପ୍ରସ୍ତୁତ ଅନ୍ୟାନ୍ୟ ସାମଗ୍ରୀ ଅପେକ୍ଷା ଖଟାଦହିର ଏପରି ସ୍ବତନ୍ତ୍ର ଗୁଣ ରହିଛି ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ତେବେ ଖଟାଦହି କାହିଁକି ମଧୁମେହବିରୋଧୀ ବୋଲି ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିଲେ ହେଁ କ୍ଷୀରକୁ ପ୍ରାକୃତିକ ଉପାୟରେ ବୀଜାଣୁ ଦ୍ବାରା ବିଘଟନ କରି ପ୍ରସ୍ତୁତ ହେଉଥିବା ଦହିରେ ଥିବା ଅଣୁଜୀବ ମଙ୍ଗଳକାରୀ ବୋଲି ଅନୁମାନ କରାଯାଏ।
ପ୍ରୋବାୟୋଟିକ୍ସ ଭାବେ ପରିଚିତ ଏହି ଉପକାରୀ ଅଣୁଜୀବଗୁଡ଼ିକ ପାକପ୍ରଣାଳୀର ସ୍ବାସ୍ଥ୍ୟ ଠିକ୍ ରଖିବା ସହ ମେଦବହୁଳତା ଓ ମଧୁମେହ ବିରୋଧରେ ସକ୍ରିୟ ରହିଥା’ନ୍ତି। ବିଶେଷ କରି ଖଟାଦହିରେ ପୁଷ୍ଟିସାର ପରିମାଣ ଯଥେଷ୍ଟ ଅଧିକ ରହିବା ସହ ଶର୍କରା ପରିମାଣ ଢେର କମ୍ ରହିଥାଏ, ଯାହା ମଧୁମେହ ବିରୋଧୀ ଇନ୍ସୁଲିନ୍ କ୍ଷରଣକୁ ପ୍ରୋତ୍ସାହିତ କରିଥାଏ। ଅପରପକ୍ଷେ, ବାଦାମ, ନଡ଼ିଆ ଓ ସୋୟାରୁ ପ୍ରସ୍ତୁତ ଦୁଗ୍ଧରହିତ ଦହି ଯଦିଓ ପାଟିକୁ ସୁଆଦିଆ ଲାଗେ, ସେଥିରେ ମଧୁମେହବିରୋଧୀ ଗୁଣ ନଥାଏ।