ମୁଖ ପରିଚ୍ଛନ୍ନତା କଥା ଉଠିଲେ ସାଧାରଣତଃ ଦାନ୍ତ ହିଁ ଦୃଷ୍ଟି ଆକର୍ଷଣ କରିଥାଏ। ତେବେ ପାଟିର ଏକ ସମାନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମାଢ଼ି। ତେଣୁ ତା’ ପ୍ରତି ଉପଯୁକ୍ତ ଧ୍ୟାନ ଦେବାକୁ ଦନ୍ତ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି। ଆମର ମାଢ଼ି କେବଳ ଆମ ଦାନ୍ତକୁ ଘେରି ରହିଥିବା ଗୋଲାପୀ ତନ୍ତୁ ନୁହେଁ, ଏହା ଏକ ଜୀବନ୍ତ ଓ ଶ୍ୱାସକ୍ରିୟାଶୀଳ ଗଠନ। ମାଢ଼ି ଦାନ୍ତର ମୂଳ ଏବଂ ଦାନ୍ତକୁ ଠିକ୍ ସ୍ଥାନରେ ଧରି ରଖୁଥିବା ହାଡ଼କୁ ସୁରକ୍ଷା ଦିଏ। ସୁସ୍ଥ ମାଢ଼ି ଦାନ୍ତ ଚାରିପାଖରେ ଏକ ସଙ୍କୁଚିତ ଆବରଣ ସୃଷ୍ଟି କରେ, ଯାହା ଜୀବାଣୁ ଏବଂ ଖାଦ୍ୟ କଣିକାଗୁଡ଼ିକୁ ଚର୍ମ ଅଭ୍ୟନ୍ତରକୁ ଯିବାରୁ ରୋକିଥାଏ ଏବଂ ସମଗ୍ର ଦାନ୍ତ ସ୍ୱାସ୍ଥ୍ୟକୁ ଅକ୍ଷୁଣ୍ଣ ରଖିଥାଏ।
ଅଧିକାଂଶ ଲୋକ ସାଧାରଣତଃ ଦାନ୍ତ ଘଷିବା ସମୟରେ ରକ୍ତସ୍ରାବ, ଫୁଲା, ସମ୍ବେଦନଶୀଳତା, କିମ୍ବା ଲଗାତାର ଦୁର୍ଗନ୍ଧ ହେଲା ଭଳି ଅସ୍ବସ୍ତି ଲାଗିଲେ ହିଁ ମାଢ଼ି ପ୍ରତି ଧ୍ୟାନ ଦେବା ଆରମ୍ଭ କରନ୍ତି। ପାଟି ଶରୀରର ଅନ୍ୟାନ୍ୟ ଅଂଶକୁ ଯିବାର ପ୍ରବେଶ ପଥ, ଏବଂ ମାଢ଼ିରେ ପ୍ରଦାହ କିମ୍ବା ସଂକ୍ରମଣ ଅନ୍ୟ ଅଙ୍ଗରେ ପ୍ରଭାବ ପକାଇପାରେ। ଏହା ଜିଞ୍ଜିଭାଇଟିସ୍ ଓ ପିରିଓଡୋଣ୍ଟାଇଟିସ୍ ଭଳି ମାଢ଼ି ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଖରାପ ମାଢ଼ି ସ୍ୱାସ୍ଥ୍ୟ ହୃଦ୍ରୋଗ, ମଧୁମେହ, ଶ୍ୱାସକ୍ରିୟା ରୋଗ ଓ ଗର୍ଭାବସ୍ଥାରେ ଜଟିଳତା ଭଳି ରୋଗର ଆଶଙ୍କା ବଢ଼ାଇପାରେ। ମାଢ଼ି ରୋଗର ଉପସ୍ଥିତି ମଧୁମେହ ରୋଗୀଙ୍କ ପାଇଁ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିବା କଷ୍ଟକର କରିପାରେ ବୋଲି କୁହାଯାଏ। ସେହିପରି ଅସ୍ୱାସ୍ଥ୍ୟକର ମାଢ଼ିରେ ବଢୁଥିବା ଜୀବାଣୁ ରକ୍ତପ୍ରବାହରେ ପ୍ରବେଶ କରି ହୃଦ୍ରୋଗ ସମସ୍ୟା ସୃଷ୍ଟି କରିପାରନ୍ତି। ଜିଞ୍ଜିଭାଇଟିସ୍ ଭାବରେ ଆରମ୍ଭ ହେଉଥିବା ରୋଗକୁ ଅଣଦେଖା କଲେ ତାହା ପିରିଓଡୋଣ୍ଟାଇଟିସ୍ରେ ପରିଣତ ହୋଇପାରେ, ଯାହା ଦାନ୍ତ କ୍ଷୟ, ହାଡ଼ ଓ ସଂଯୋଜକ ଟିସୁକୁ କ୍ଷତି ପହଞ୍ଚାଉଥିବା ଏକ ଦୀର୍ଘକାଳୀନ ରୋଗ।
ଦାନ୍ତ ଘଷିବା କି କୁଳୁକୁଚା କରିବା ସମୟରେ ସାମାନ୍ୟ ରକ୍ତସ୍ରାବ, ଲାଲ ପଡ଼ିଥିବା କିମ୍ବା ଫୁଲିଯାଇଥିବା ମାଢ଼ି ଟିସୁ, କୋମଳତା ଏବଂ ଲଗାତାର ଦୁର୍ଗନ୍ଧ ମାଢ଼ି ରୋଗର ସଂକେତ। ସାହାଡ଼ା, ନିମ ଓ ଡାଳିମ୍ବ ଭଳି ପାରମ୍ପରିକ ଔଷଧି ମାଢ଼ି ଯତ୍ନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରନ୍ତି।