ଅନେକ ଉତ୍ତମ ପୋଷଣ, ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି ଓ ସାମୂହିକ ସୁସ୍ଥତା ପାଇଁ ହେଲ୍ଥ ସପ୍ଲିମେଣ୍ଟ୍ ବା ସ୍ବାସ୍ଥ୍ୟ ପରିପୂରକ ଗ୍ରହଣ କରିଥା’ନ୍ତି। ହେଲ୍ଥ ସପ୍ଲିମେଣ୍ଟ୍ ଖୁବ୍ ଲୋକପ୍ରିୟତା ହାସଲ କରିବା ସତ୍ତ୍ବେ ତାହା ସମ୍ପର୍କରେ ଅନେକ ଭ୍ରାନ୍ତ ଧାରଣା ରହିଛି। ଏହା ହେଲ୍ଥ ସପ୍ଲିମେଣ୍ଟ୍ର ନିରାପତ୍ତା ଓ ପ୍ରଭାବ ବାବଦରେ ଦ୍ବନ୍ଦ୍ବ ସୃଷ୍ଟି କରିଥାଏ। ଅନେକଙ୍କର ବିଶ୍ବାସ ଯେ ଏହା ସନ୍ତୁଳିତ ଖାଦ୍ୟର ସ୍ଥାନ ନେଇପାରେ। ହେଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା ଅନୁଯାୟୀ, ଆବଶ୍ୟକ ପଡ଼ିଲେ ହେଲ୍ଥ ସପ୍ଲିମେଣ୍ଟ ନେବା ଠିକ୍, ମାତ୍ର ତାହା ଖାଦ୍ୟର ବିକଳ୍ପ ଭାବରେ ଗ୍ରହଣୀୟ ନୁହେଁ। ତେଣୁ ହେଲ୍ଥ ସପ୍ଲିମେଣ୍ଟ୍ ସମ୍ପର୍କିତ ଭ୍ରାନ୍ତ ଧାରଣା ଦୂରହେବା ଜରୁରି।
ସନ୍ତୁଳିତ ଖାଦ୍ୟ ନ ଖାଇ ହେଲ୍ଥ ସପ୍ଲିମେଣ୍ଟ ଦ୍ବାରା ତାହାର ଭରଣ କରିବାକୁ ଚେଷ୍ଟା କରୁଛନ୍ତି କି? ଏହା ବିପଜ୍ଜନକ ହୋଇପାରେ। ଅତ୍ୟଧିକ ସପ୍ଲିମେଣ୍ଟ ସେବନ ଫୁଡ୍ ପଏଜନିଙ୍ଗ୍, ପାର୍ଶ୍ବ ପ୍ରତିକ୍ରିୟା ସମେତ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ଆମନ୍ତ୍ରଣ କରିପାରେ।
ପ୍ରଥମତଃ ହେଲ୍ଥ ସପ୍ଲିମେଣ୍ଟ୍ ସ୍ବାସ୍ଥ୍ୟପ୍ରଦ ଭୋଜନର ଏକ ବିକଳ୍ପ ବୋଲି ଯେଉଁ ଧାରଣା ରହିଛି, ତାହା ଆଦୌ ଠିକ୍ ନୁହେଁ। କାରଣ ସନ୍ତୁଳିତ ଆହାର ଖାଦ୍ୟସାର, ଖଣିଜସାର, ତନ୍ତୁସାର ଓ ଆଣ୍ଟିଅକ୍ସିଡାଣ୍ଟ୍ର ଏକ ଉତ୍ତମ ମିଶ୍ରଣ, ଯାହା ପୋଷକର ଶୋଷଣ ତଥା ସାମୂହିକ ସ୍ବାସ୍ଥ୍ୟ ପାଇଁ ଏକାଠି କାମ କରେ। ଅପରପକ୍ଷେ, ହେଲ୍ଥ ସପ୍ଲିମେଣ୍ଟ୍ ପୋଷକର ଅଭାବ ପୂରଣ କରିପାରେ, ମାତ୍ର ପ୍ରକୃତ ଖାଦ୍ୟର ସ୍ଥାନ ନେଇପାରି ନଥାଏ। ଅଧିକ ହେଲ୍ଥ ସପ୍ଲିମେଣ୍ଟ୍ ଗ୍ରହଣ କରିବା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଲାଭ ହୋଇଥାଏ ବୋଲି ଧାରଣା ରହିଛି। ମାତ୍ର ବାସ୍ତବତା ହେଉଛି, ବିଶେଷ କରି ଭିଟାମିନ୍ ଏ, ଡି, ଇ ଓ କେ ପରି ଚର୍ବି ଦ୍ରବଣୀୟ ଖାଦ୍ୟସାରଗୁଡ଼ିକର ଅତ୍ୟଧିକ ସେବନ ଶରୀରରେ ଫୁଡ୍ ପଏଜନିଙ୍ଗ୍ ସମେତ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। କିଛି ହେଲ୍ଥ ସପ୍ଲିମେଣ୍ଟ୍ ଯକୃତ କ୍ଷତି, ସ୍ନାୟୁ ସମସ୍ୟା ଏବଂ ହଜମ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହେଲ୍ଥ ସପ୍ଲିମେଣ୍ଟ୍ର ଧାର୍ଯ୍ୟ ମାତ୍ରା ସେବନ କରିବା ଉଚିତ।
ପ୍ରାକୃତିକ ହେଲ୍ଥ ସପ୍ଲିମେଣ୍ଟ୍ଗୁଡ଼ିକ ସର୍ବଦା ନିରାପଦ ବୋଲି ଅନେକଙ୍କର ଧାରଣା। ମାତ୍ର ସେଗୁଡ଼ିକ ସବୁବେଳେ ବିପଦମୁକ୍ତ ନୁହେଁ। କିଛି ଚେରମୂଳି ହେଲ୍ଥ ସପ୍ଲିମେଣ୍ଟକୁ ଅନ୍ୟ ଔଷଧ ସହ ଖାଇଲେ ନକାରାତ୍ମକ ପାର୍ଶ୍ବ ପ୍ରତିକ୍ରିୟାର ଆଶଙ୍କା ରହିଛି। ତେଣୁ ସେପରି କୌଣସି ହେଲ୍ଥ ସପ୍ଲିମେଣ୍ଟ୍ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରି। କେବଳ ବଡିବିଲ୍ଡର କି ଖେଳାଳିମାନଙ୍କ ପାଇଁ ପୁଷ୍ଟିସାର ବା ପ୍ରୋଟିନ୍ ସପ୍ଲିମେଣ୍ଟ୍ ଦରକାର ବୋଲି ଅନେକ ଭାବିଥା’ନ୍ତି। ମାତ୍ର ମାଂସପେଶୀ ମରାମତି, ରୋଗପ୍ରତିରୋଧକ ଶକ୍ତି ଓ ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ପୁଷ୍ଟିସାର ଅତ୍ୟାବଶ୍ୟକ। ବିଶେଷ କରି ନିରାମିଷାସୀ, ବୟସ୍କ ବ୍ୟକ୍ତି କିମ୍ବା ଅସୁସ୍ଥତାରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିମାନେ ସାଧାରଣ ଖାଦ୍ୟ ଉତ୍ସରୁ ପର୍ଯ୍ୟାପ୍ତ ପୁଷ୍ଟିସାର ପାଉନଥିବାରୁ ସେମାନେ ପୁଷ୍ଟିସାର ସପ୍ଲିମେଣ୍ଟରୁ ଉପକୃତ ହୋଇପାରିବେ।
େସହିପରି ହେଲ୍ଥ ସପ୍ଲିମେଣ୍ଟ୍ଗୁଡ଼ିକ ଔଷଧ ପରି ତୁରନ୍ତ ଫଳାଫଳ ପ୍ରଦାନ କରନ୍ତି ନାହିଁ। ସେଗୁଡ଼ିକ ପୁଷ୍ଟିସାର ଅଭାବକୁ ପୂରଣ କରି ସାମୂହିକ ସ୍ବାସ୍ଥ୍ୟକୁ ଧୀରେ ଧୀରେ ଉନ୍ନତ କରିଥା’ନ୍ତି। ତାହାର ଉଲ୍ଲେଖନୀୟ ଲାଭ ଦେଖିବା ପାଇଁ କିଛି ସପ୍ତାହ ବା ମାସ ଅପେକ୍ଷା କରିବାକୁ ପଡ଼ିପାରେ। ସମସ୍ତେ ହେଲ୍ଥ ସପ୍ଲିମେଣ୍ଟ୍ ଖାଇବା ଉଚିତ ବୋଲି ଅନେକଙ୍କର ଧାରଣା। ବାସ୍ତବରେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି ସପ୍ଲିମେଣ୍ଟ୍ ଖାଇବାର ଆବଶ୍ୟକତା ନାହିଁ। ତେବେ ଗର୍ଭବତୀ, ବୟସ୍କ ଓ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହେଲ୍ଥ ସପ୍ଲିମେଣ୍ଟ ଖାଇବାକୁ ପଡ଼ିପାରେ। ବିନା ଡାକ୍ତରୀ ପରାମର୍ଶରେ ଏହା ଗ୍ରହଣୀୟ ନୁହେଁ।