ଦୁନିଆରେ ମହୁ ହେଉଛି କୀଟ ଦ୍ବାରା ପ୍ରସ୍ତୁତ ଏକମାତ୍ର ଖାଦ୍ୟ ଯାହାକୁ ମଣିଷ ଖାଏ। ଫୁଲରୁ ମକରନ୍ଦ ବା ନିର୍ଯ୍ୟାସ ଶୋଷି ଆଣି ମହୁମାଛି ଏହି ସୁନେଲି ରଙ୍ଗର ତରଳ ପଦାର୍ଥ ପ୍ରସ୍ତୁତ କରି ଫେଣାରେ ଗଚ୍ଛିତ ରଖିଥାଏ ଆବଶ୍ୟକ ବେଳେ ଖାଇବା ଲାଗି। ପ୍ରାଚୀନ ଗ୍ରୀସ୍ରେ ମହୁକୁ ଦେବତାମାନଙ୍କ ଆହାର ବୋଲି କୁହାଯାଉଥିଲା। ଭାରତରେ ଦେବପୂଜାରେ ମହୁ ବ୍ୟବହାର କରାଯାଏ। ନୈବେଦ୍ୟ ଭାବେ ବ୍ୟବହୃତ ପଞ୍ଚାମୃତରେ ମହୁ ଏକ ଉପାଦାନ।
ପାଟିକୁ ସୁଆଦ, ଦେହକୁ ହିତ
ସ୍ବାସ୍ଥ୍ୟପକ୍ଷେ ମହୁ ଖୁବ୍ ଉପକାରୀ। ବିଶୋଧିତ ମହୁରେ ଅଧିକ ଶର୍କରା ଓ ସାମାନ୍ୟ ପୁଷ୍ଟିସାର ଥାଏ। କିନ୍ତୁ, ତା ପୂର୍ବରୁ ଏଥିେର ସ୍ବଳ୍ପ ପରିମାଣର ପୋଷକତତ୍ତ୍ବ ରହିଥାଏ। ଅଶୋଧିତ, ବିଶେଷକରି କଳାଚିଆ ଦିଶୁଥିବା ମହୁରେ ‘ପଲିଫେନଲ୍’ ନାମକ କେତେକ ଉଦ୍ଭିଜ୍ଜ ଉପାଦାନ ଅଧିକ ଥାଏ। ସେଥିରୁ ଗୋଟିଏ ହେଉଛି ‘େଫ୍ଲଭୋନଏଡ୍’। ଏଥିରେ ବ୍ୟାକ୍ଟେରିଆ ଓ ଭୂତାଣୁ ଏବଂ ପ୍ରଦାହ ଓ ଆଲର୍ଜି ନିରୋଧୀ ଗୁଣ ରହିଛି। ଗ୍ଲୁକୋଜ୍ ଓ ଫ୍ରୁକ୍ଟୋଜ୍ ରୂପକ ପ୍ରାକୃତିକ ଶକ୍ତି ଦେଇ ମହୁ ଶରୀରକୁ ଇନ୍ଧନ ଯୋଗାଏ। ମହୁରେ ଆଣ୍ଟିସେପ୍ଟିକ୍ ଗୁଣ ଅଛି ବୋଲି ବୈଦ୍ୟମାନେ କହନ୍ତି। ଶରୀରରେ ହେଉଥିବା ଛୋଟ ଧରଣର କ୍ଷତ, ଘା’ ଓ ପୋଡ଼ା ଘା’ ଶୁଖାଇବାରେ ମହୁ ସହାୟକ ହୁଏ। କାଶ ଓ ତଣ୍ଟି ଦରଜ ଉପଶମ ପାଇଁ ମହୁ ଖାଇବାକୁ ପରାମର୍ଶ ଦିଆଯାଏ। ପିଲାମାନଙ୍କୁ ସର୍ଦ୍ଦି, କାଶ, ଜ୍ବର ଆଦି ହୋଇଥିଲେ ମହୁ ଖୁଆଇବାକୁ ଚିକିତ୍ସକ ପରାମର୍ଶ ଦିଅନ୍ତି। କେତେକ ପଲିଫିନଲ୍ ଥିବାରୁ ମହୁ ରୋଗ ପ୍ରତିରୋଧକ ବ୍ୟବସ୍ଥା ପ୍ରତି ସହାୟକ ହୁଏ। ମହୁରେ ଥିବା ୨୫ଟି ଭିନ୍ନ ଭିନ୍ନ ‘ଆଲିଗୋସାକାରାଇଜ୍’ ପ୍ରିବାୟୋଟିକ୍ ହୋଇ ଅନ୍ତଃନଳୀରେ ଉପକାରୀ ବ୍ୟାକ୍ଟେରିଆ ବୃଦ୍ଧି କରି ପାଚନ ବ୍ୟବସ୍ଥା ସୁସ୍ଥ ରଖେ। ସମସ୍ତଙ୍କ ପାଇଁ ନିରାପଦ ହୋଇଥିଲେ ବି ସ୍ବାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦେଇ ମହୁ ଖାଇବା ଉଚିତ। ରକ୍ତଶର୍କରା ସ୍ତରକୁ ପ୍ରଭାବିତ କରୁଥିବାରୁ ମଧୁମେହ ରୋଗରେ ପୀଡ଼ିତ ଲୋକେ ମହୁ ନ ଖାଇବା ଉଚିତ। ସେହିପରି ୧୨ ମାସରୁ କମ୍ ବୟସ୍କ ଶିଶୁ ମଧ୍ୟ ପ୍ରକ୍ରିୟାକୃତ ଅଥବା ନିରୁତା ମହୁ ଖାଇବା ଅନୁଚିତ। ଏହା ସେମାନଙ୍କ ଶରୀରରେ ଖାଦ୍ୟ ବିଷକ୍ରିୟା କରାଇପାରେ।
ନିରୁତା ମହୁରେ ଆମିନୋ ଏସିଡ୍, ସୁରକ୍ଷାପ୍ରଦାୟୀ ଉଦ୍ଭିଜ୍ଜ ଉପାଦାନ, ଭିଟାମିନ୍, ଖଣିଜ ଲବଣ ଓ ଶର୍କରା ଥାଏ। ବିଶେଷକରି, ଏଥିରେ ବିପୁଳ ପରିମାଣର ଫ୍ରୁକ୍ଟୋଜ୍ ଥିବାରୁ ଏହା ଚିନିଠାରୁ ଅଧିକ ମିଠାଲାଗେ। ବିଶ୍ଳେଷଣ କରି ଦେଖାଯାଇଛି- ୨୦ ଗ୍ରାମ୍ ମହୁରେ ୫୮ କିଲୋକ୍ୟାଲୋରି, ୧୫.୩ ଗ୍ରାମ୍ ଶ୍ବେତସାର, ୧୫.୩ ଗ୍ରାମ୍ ଶର୍କରା, ୦.୧ ଗ୍ରାମ୍ ପୁଷ୍ଟିସାର ଥାଏ। କିନ୍ତୁ, ଏଥିରେ ଆଦୌ ତୈଳାମ୍ଳ ନ ଥାଏ।
ବ୍ୟବସାୟ ନିମନ୍ତେ ଉଦ୍ଦିଷ୍ଟ ମହୁ ପରିଷ୍କରଣ ବା ଫିଲ୍ଟର୍ କରାଯାଇଥାଏ। ତା’ଛଡ଼ା ମହୁରେ ଥିବା ଶର୍କରା ସ୍ଫଟିକ ନ ପାଲଟିବା ପାଇଁ ଏବଂ ସେଥିରେ ଥିବା ଅଣୁଜୀବଗୁଡ଼ିକୁ ନିପାତ କରିବା ପାଇଁ ତାହାକୁ ଉତ୍ତପ୍ତ କରାଯାଏ। ଏସବୁ ପ୍ରକ୍ରିୟା ଯୋଗୁଁ କାଚ ବୋତଲରେ ପଶି ବିକ୍ରି ହେଉଥିବା ମହୁ ବିଶୁଦ୍ଧ ଓ ଆକର୍ଷଣୀୟ ଦେଖାଯାଏ। କିନ୍ତୁ, ଏସବୁ ପ୍ରକ୍ରିୟା ଯୋଗୁଁ ମହୁରେ ଥିବା ସ୍ବାସ୍ଥ୍ୟପ୍ରଦ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ୍ ନଷ୍ଟ ହୋଇଯାଏ। ମୂଳତଃ ନିଉଜିଲାଣ୍ଡ୍ ଓ ଅଷ୍ଟ୍ରେଲିଆ ଅଞ୍ଚଳରେ ଥିବା ମନୁକା ଗଛ ଫୁଲ ନିର୍ଯ୍ୟାସରୁ ପ୍ରସ୍ତୁତ ମହୁ ସବୁଠୁ ଭଲ ବୋଲି ବିଶେଷଜ୍ଞମାନେ କହନ୍ତି। ଏହା ଯେତିକି ଲୋକପ୍ରିୟ ସେତିକି ମହଙ୍ଗା ମଧ୍ୟ। ଏଥିରେ ମିଥାଇଲ୍ଗ୍ଲାଇଅକ୍ସାଲ୍ ନାମକ ରାସାୟନିକ ପଦାର୍ଥ ପର୍ଯ୍ୟାପ୍ତ ପରିମାଣରେ ଥାଏ। କେତେକ ଗବେଷକ କହନ୍ତି ଏହା ହେଉଛି ସେ ମହୁର ବ୍ୟାକ୍ଟେରିଆ ନିରୋଧୀ ଉପାଦାନ।