‘ବିଧବା ଧମନୀ’ କ’ଣ? ବାଇପାସ୍ ସର୍ଜରି ଏହି ଧମନୀରେ କରାଯାଏ କି?
ହୃତ୍ପିଣ୍ଡକୁ ରକ୍ତ ଯୋଗାଇବା ପାଇଁ ‘କରୋନାରି ଆର୍ଟେରି’ ବା ଧମନୀ ସବୁ ରହିଥାଏ। ବାମ ପାଖର ମୁଖ୍ୟ କରୋନାରି ଆର୍ଟେରିର ଦୁଇଟି ଶାଖା ‘ଲେଫ୍ଟ ଆଣ୍ଟେରିୟର୍ ଡିସେଣ୍ଡିଂ ଆର୍ଟେରି (ଏଲ୍ଏଡି)’ ଓ ‘ଲେଫ୍ଟ ସର୍କମ୍ପ୍ଲେକ୍ସ (ଏଲ୍ସିଏକ୍ସ)’ ରହିଛି। ଏହି ଦୁଇ ଶାଖା ହୃତ୍ପିଣ୍ଡର ୬୦ରୁ ୭୦% ମାଂସପେଶୀକୁ ରକ୍ତ ଯୋଗାଇଥାଏ। ଏଥିରେ ବ୍ଲକେଜ୍ ଆସିଲେ ହୃଦ୍ଘାତ ହୁଏ। ପୂର୍ବରୁ ଅଧିକାଂଶ ପୁରୁଷ ହୃଦ୍ଘାତରେ ପ୍ରାଣ ହରାଇ ମହିଳାମାନେ ବିଧବା ହେଉଥିବାରୁ କୌତୁକିଆ ଡାକ୍ତରୀ ଭାଷାରେ ଏହାକୁ ‘ବିଧବା ଧମନୀ’ କୁହାଯାଏ। ବାଇପାସ୍ ସର୍ଜରିରେ ଶରୀରର ଅନ୍ୟ କୌଣସି ଅଂଶରୁ ରକ୍ତନଳୀ ନେଇ ଉକ୍ତ ବ୍ଲକେଜ୍ରେ ବାଇପାସ୍ କରି ଲଗାଇ ଦିଆଯାଏ। ଏହି ସର୍ଜରିରେ ହୃତ୍ପିଣ୍ଡକୁ ବନ୍ଦ କରାଯାଏ ନାହିଁ। ହୃଦ୍ସ୍ପନ୍ଦନ ଚାଲୁ ରହିଥିବା ବେଳେ ସର୍ଜରି ହୁଏ।
କେଉଁ ପରିସ୍ଥିତିରେ ଓ କେଉଁ ବୟସରେ ଏହି ସର୍ଜରି କରାଯାଇପାରେ?
କରୋନାରି ଆର୍ଟେରି ବ୍ଲକେଜ୍କୁ କିଛି ବର୍ଷ ପୂର୍ବରୁ ବାର୍ଦ୍ଧକ୍ୟ ସମୟର ରୋଗ ବୋଲି କୁହାଯାଉଥିଲା। ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କଠାରେ ଏହି ରୋଗ ଦେଖାଯାଉଥିଲା। ଏବେ ବି ଜାପାନରେ ବୟସ୍କ ଲୋକଙ୍କୁ ହିଁ ଏହି ରୋଗ ଧରିଥାଏ। କିନ୍ତୁ ଭାରତରେ ଯୁବାବସ୍ଥାରେ ବି ଏହା ଦେଖାଦେଲାଣି। କରୋନା ପରେ ଏହି ରୋଗ ଆହୁରି ମାରାତ୍ମକ ରୂପ ନେଇଛି। ଏବେ ୩୦ ବର୍ଷ ବୟସରେ ବି ଏହି ସର୍ଜରି ହେଉଛି। ଯେକୌଣସି ବୟସରେ ଶାରୀରିକ ସ୍ଥିତିକୁ ଦେଖି ଏହି ସର୍ଜରି ହୋଇପାରିବ।
ହୃଦ୍ଘାତ ଭୟଙ୍କର ରୂପ କାହିଁକି ନେଇଛି?
ଦେଶରେ ବର୍ତ୍ତମାନ ଯୁବପିଢ଼ିର ସଂଖ୍ୟା ଅଧିକ। ସେମାନେ ଜୀବିକାନିର୍ବାହ ପାଇଁ ସଂଘର୍ଷ କରୁଛନ୍ତି ଓ ବୃତ୍ତିଗତ ଚାପରେ ରହୁଛନ୍ତି। ଅତ୍ୟଧିକ ଚାପରୁ ମଧୁମେହ, ରକ୍ତଚାପ, ନିଦ୍ରାହୀନତା ଆଦି ରୋଗ ବଢୁଛି। ଜଙ୍କ୍ଫୁଡ୍ ଖାଇବା ସହ ଧୂମପାନ ବି ବଢୁଛି। ପୁଣି କରୋନାର ପ୍ରଭାବ ରହିଛି। ଏସବୁ କାରଣରୁ ଯୁବପିଢ଼ି ମଧ୍ୟରେ ହୃଦ୍ଘାତ ସମସ୍ୟା ବଢ଼ିବାରେ ଲାଗିଛି।
ବାଇପାସ୍ ସର୍ଜରି କେତେ ସୁରକ୍ଷିତ ଓ ସର୍ଜରି ପରେ ଏକ ସାଧାରଣ ଜୀବନ ବଞ୍ଚିବା ସମ୍ଭବ କି?
ବାଇପାସ୍ ସର୍ଜରି ୯୯.୯% ସଫଳ। ସର୍ଜରି ପରେ ରୋଗୀ ସୁସ୍ଥ ହୋଇ ସାଧାରଣ ଜୀବନ ବଞ୍ଚିପାରିବ। ସର୍ଜରିର ୪ରୁ ୬ ସପ୍ତାହ ପରେ ରୋଗୀ ନିଜ କର୍ମକ୍ଷେତ୍ରକୁ ଫେରିପାରିବ। ଏଥିସହ ଖେଳିବା, ସାଇକେଲିଂ କରିବା ସବୁ ସମ୍ଭବ। କିନ୍ତୁ ନଇଁକରି ଭାରୀ ଜିନିଷ ନ ଉଠାଇବାକୁ ତଥା ଜଙ୍କ୍ଫୁଡ୍, ଛଣାଛଣି, ମସଲାଯୁକ୍ତ ଖାଦ୍ୟ ନ ଖାଇବାକୁ ଓ ଧୂମପାନ ବନ୍ଦ କରିବାକୁ ପରାମର୍ଶ ଦିଆଯାଏ।
ବାଇପାସ ସର୍ଜରିରେ ଓଡ଼ିଶାର ସ୍ଥିତି କ’ଣ?
ବାଇପାସ୍ ସର୍ଜରି ବିଶ୍ବ ସ୍ତରରେ ୧୯୬୯ରୁ ପ୍ରୟୋଗାତ୍ମକ ସ୍ତରରେ ରହିଥିଲା। ସପ୍ତମ ଦଶକର ଶେଷ ଆଡ଼କୁ ଏହା ଭାରତକୁ ଆସିଲା। ୧୯୯୭ ମସିହାରେ ଓଡ଼ିଶାରେ ପ୍ରଥମେ ବାଇପାସ୍ ସର୍ଜରି ହୋଇଥିଲା। ଓଡ଼ିଶାରେ ଏବେ ମାସକୁ ପ୍ରାୟ ୨୫୦ରୁ ୩୦୦ ବାଇପାସ୍ ସର୍ଜରି ହେଉଛି। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ତୁଳନାରେ ଓଡ଼ିଶା ହାର୍ଟ ସର୍ଜରିରେ ବହୁ ଆଗରେ ରହିଛି।
‘ବିଧବା ଧମନୀ’କୁ ସଜାଡୁଛି ବାଇପାସ୍ ସର୍ଜରି
/sambad/media/post_attachments/wp-content/uploads/2024/08/fshfshhfshs.jpg)