ଭୁବନେଶ୍ବର : ଥରେ ଚିନ୍ତା କରନ୍ତୁ ତ ସେଓ କାଟି, ପରିବାର ସହିତ ଦୀର୍ଘ ଯାତ୍ରା କରି ରାତିରେ ସାଲାଡ୍ ଖାଇ କାହାର ଜନ୍ମଦିନ ଉତ୍ସବ ପାଳନ ହୋଇପାରିବ କି! ନିଶ୍ଚିତ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ମୁହଁ ଆମ୍ବିଳା ହୋଇସାରିଥିବ। ଆମ ଜୀବନ ଏଭଳି ଯେ ମିଠାରେ ହିଁ ଖୁସିର ପାଳନ ହୁଏ।
ଜନ୍ମଦିନରେ ସନ୍ତାନଙ୍କୁ କେକ୍, ଆଇସ୍କ୍ରିମ୍, ଥଣ୍ଡାପାନୀୟ ଗୋଟିଏ ସାଧାରଣ କଥା। କେବଳ ଏତିକି ନୁହେଁ, ଅନ୍ୟ ଖାଦ୍ୟ ଯାହାକୁ ଶିଶୁ ପାଇଁ ସ୍ବାସ୍ଥ୍ୟକର ବୋଲି ଚିନ୍ତା କରି ଅଭିଭାବକ ଦେଇଥାନ୍ତି, ସେଥିରେ ଯେତେ ପରିମାଣରେ ମିଠାର ଉପାଦାନ ଭର୍ତ୍ତି ହୋଇରହିଥାଏ, ତାହା ଜାଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ।
କିଛି ଦିନ ପୂର୍ବରୁ ଲୋକପ୍ରିୟ ଶିଶୁ ପାନୀୟରେ ମିଠାର ଉପାଦାନ ଅଧିକ ପରିମାଣରେ ଥିବା ନେଇ ସାମାଜିକ ଗଣମାଧ୍ୟମରେ ଗୋଟିଏ ବଡ଼ ବିବାଦ ସୃଷ୍ଟି ହେଲା। ପ୍ୟାକେଟ୍ ଜୁସ୍, ତତ୍କ୍ଷଣାତ ତିଆରି ହେଉଥିବା ସୁପ୍, ପ୍ୟାକେଟ୍ ମିଲ୍କସେକ୍, ଶୀଘ୍ର ମିଳେଇ ଯାଉଥିବା ପାନୀୟ, ସିରିଏଲ୍, ପାଉଁରୁଟି ଆଦିରେ ଯେତେ ଚିନିର ଉପାଦାନ ରହିଛି, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଖାଦ୍ୟର ତାଲିକା ମଧ୍ୟ ଖୁବ ଲମ୍ବା। ସଂକ୍ଷେପରେ କହିବାକୁ ଗଲେ ମିଠାର ଉପାଦାନ ସବୁଠି ଅଛି, ଯେଉଁଠି ସବୁଠାରୁ କମ ଥିବା ନେଇ ଆପଣ ଆଶା କରୁଥିବେ, ସେଠାରେ ଆହୁରି ଅଧିକ ରହିଛି।
ଆମେରିକାର ହୃଦ୍ରୋଗ ସଂଘ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ ପ୍ରତ୍ୟେକ ଶିଶୁ ଦୈନିକ ୨୪ ଗ୍ରାମରୁ ଅଧିକ ମାତ୍ରାର ଚିନି ଖାଇବା ଉଚିତ ନୁହେଁ। ବୟସ୍କ ବ୍ୟକ୍ତିମାନେ ଏହାଠାରୁ ଦୁଇ ଗୁଣ ଅଧିକ ଖାଇପାରିବେ। ବର୍ତ୍ତମାନ ଲୋକପ୍ରିୟ ପ୍ୟାକେଟ୍ ଜୁସ୍, ଚକ୍ଲେଟ, ମିଲ୍କସେକ୍ କଥା ଚିନ୍ତା କରନ୍ତୁ। ଏଥିରେ ଅଧିକ ପରିମାଣରେ ଆଇରନ୍, କ୍ୟାଲ୍ସିୟମ୍ ଏବଂ ୩୦.୨ ଗ୍ରାମ୍ର ଚିନି ଥିବା ନେଇ ଉଲ୍ଲେଖ ରହିଥାଏ। ମେଦ ବହୁଳତା ଶୂନ୍ୟ ଥିବା କ୍ୟାଚ୍ଅପ୍ରେ ମଧ୍ୟ ୧୬.୨ ଗ୍ରାମ୍ର ଚିନି ରହିଛି। ହେଲ୍ଥ ଡ୍ରିଙ୍କ୍ସଗୁଡ଼ିକ ଶିଶୁଙ୍କ ମଧ୍ୟରେ ଏକାଗ୍ରତା, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଏବଂ ଅଭିବୃଦ୍ଧିର କଥା କୁହନ୍ତି। କିନ୍ତୁ ସେହି ପାନୀୟରେ ସମୁଦାୟ ମିଠାର ଉପାଦାନ ୨୧.୮ ଗ୍ରାମ୍ରୁ ୪୯.୮ ଗ୍ରାମ୍ ରହିଥାଏ। ପ୍ୟାକେଟ୍ ଫଳରସରେ ଫଳଠାରୁ ୧୦୦ ମିଲିଲିଟର ଅଧିକ ଚିନି ରହିଛି। ବିଭିନ୍ନ ଖାଦ୍ୟ ପ୍ୟାକେଟ୍ରେ ବିଭିନ୍ନ ଉପାଦାନର ଲମ୍ବା ତାଲିକା ଥାଏ। କିନ୍ତୁ ବାସ୍ତବତା ଭିନ୍ନ ଅଟେ।
ଉଦାହରଣ ସ୍ବରୂପ, ବିସ୍କୁଟ୍ ପ୍ୟାକେଟ୍ରେ ବାଦାମ, କ୍ଷୀର, କମଳା ଥିବା ନେଇ ଉଲ୍ଲେଖ ରହିଥାଏ। ପ୍ରକୃତରେ ଏଥିରେ ବିଭିନ୍ନ ପ୍ରକାର ଚିନିର ରସାୟନ ଉପାଦାନ ଥାଏ। ଯେଉଁଥିରେ କେବଳ ଫଳର ବାସ୍ନା ତ ଥାଏ, କିନ୍ତୁ ଗୁଣ ନଥାଏ। ୟୁନିସେଫ୍ ଅନୁସାରେ, ଭାରତରେ ୨.୭ କୋଟି ଶିଶୁ ପୃଥଳକାୟ ଅଟନ୍ତି। ସ୍ଥିତି ଏଭଳି ଯେ ୨୦୩୦ ସୁଦ୍ଧା ବିଶ୍ବର ୧୦ ମୋଟା ଶିଶୁଙ୍କ ମଧ୍ୟରୁ ଜଣେ ଭାରତୀୟ ହୋଇଥିବେ। ଓଜନଜନିତ କାରଣରୁ ୩ ବର୍ଷ ବୟସର ଶିଶୁ ଚାଲିପାରୁ ନାହାନ୍ତି। ଯେଉଁ ଶିଶୁଙ୍କ ଓଜନ ୧୨ରୁ ୧୫ କେଜି ରହିବା ଉଚିତ, ତାଙ୍କ ଓଜନ ୨୫ କେଜି ରହୁଛି। ଖାଦ୍ୟରେ ଚିନି ଏବଂ ଲୁଣର ମାତ୍ରାଧିକ ପରିମାଣ ଯୋଗୁଁ ଶିଶୁଙ୍କ ଓଜନ ଏଭଳି ବଢୁଛି। ସେମାନେ ମଧୁମେହ-୨, ମେଦବହୁଳ ଯକୃତ ଏବଂ କୋଲେଷ୍ଟ୍ରୋଲ୍ରେ ପୀଡ଼ିତ ହେଉଛନ୍ତି। ଥାଇରଏଡ୍ର ଶିକାର ହେଉଛନ୍ତି।
ବିଶେଷଜ୍ଞଙ୍କ ଅନୁସାରେ, ସହରୀ ଶିଶୁଙ୍କ କ୍ଷେତ୍ରରେ ମାତ୍ରାଧିକ ପୁଷ୍ଟି ସମସ୍ୟା ସୃଷ୍ଟି କରୁଛି। ମହାମାରୀରେ ଏହା ଜଟିଳ ହୋଇ ପଡ଼ିଥିଲା। ଏହି ସମୟରେ ଶାରୀରିକ ବ୍ୟାୟାମ ହ୍ରାସ ପାଇଥିଲା ଏବଂ ପ୍ୟାକେଟ୍ ଖାଦ୍ୟ ଖାଇବା ବଢ଼ିଯାଇଥିଲା। ମେଦବହୁଳତା ଯୋଗୁଁ ୧୦ ମାସର ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ୁଛି। ଯାହା ବର୍ତ୍ତମାନ ଚ୍ୟାଲେଞ୍ଜ ହେଲାଣି। ସ୍କୁଲଗୁଡ଼ିକ ମଧ୍ୟ ଏଥିରେ ସହାୟତା କରୁନାହାନ୍ତି। କାରଣ ଅଧିକାଂଶ ସ୍କୁଲ କ୍ୟାଣ୍ଟିନ୍ରେ ମିଲ୍କସେକ୍ ଭଳି ବିଭିନ୍ନ ପ୍ରକାର ପ୍ୟାକେଟ୍ ଖାଦ୍ୟ ମିଳୁଛି। ତେଣୁ ଆଗାମୀ ଦିନରେ ସମସ୍ୟା ଆହୁରି ବଢ଼ିବ। ସ୍ଥିତି ବଦଳାଇବାକୁ ପଡ଼ିବ। ଏହି ଖାଦ୍ୟର ବିକଳ୍ପ ଦେଖିବାକୁ ପଡ଼ିବ। ରନ୍ଧା ଖାଦ୍ୟକୁ ଗୁରୁତ୍ବ ଦେବାକୁ ପଡ଼ିବ। ସମୟର ଅଭାବ ଯୋଗୁଁ ଅଭିଭାବକ ରାନ୍ଧିବାକୁ ସମୟ ପାଉନାହାନ୍ତି। କିନ୍ତୁ ସେମାନଙ୍କୁ ବୁଝିବାକୁ ପଡ଼ିବ। ପ୍ୟାକେଟ୍ ଖାଦ୍ୟ ନେଇ ଆଲୋଚନା କରିବାକୁ ପଡ଼ିବ। ପୁଷ୍ଟିବଜ୍ଞାନୀଙ୍କ ଅନୁସାରେ, ବର୍ତ୍ତମାନ ଅଧିକାଂଶ ଲୋକ ସ୍ବାସ୍ଥ୍ୟକର ଖାଦ୍ୟ ତ ଖୋଜୁଛନ୍ତି, କିନ୍ତୁ ଦୋକାନରେ। ଗ୍ରାହକଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟର ଭ୍ରମ ଦେଖାଇବା ପାଇଁ ଖାଦ୍ୟର ବାରମ୍ବାର ପ୍ୟାକେଜିଂ କରାଯାଉଛି। ଆକର୍ଷଣୀୟ ପ୍ୟାକେଜିଂ କିମ୍ବା ଲେଖାଯାଇଥିବାରୁ ଉପାଦାନରେ ଭାସିଯାଆନ୍ତୁ ନାହିଁ, ବରଂ ଚିନିଠାରୁ ଦୂରେଇ ରହି ରନ୍ଧା ଖାଦ୍ୟ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଉଛି।