ମାର୍ଗଶିର ମାସ ସୁସ୍ୱାସ୍ଥ୍ୟ ପ୍ରାପ୍ତି ନିମନ୍ତେ ସବୁଠାରୁ ଅନୁକୂଳ ସମୟ

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- “ମାସାନାଂ ମାର୍ଗଶୀର୍ଷୋଽହମ୍‌”। ଅର୍ଥାତ୍‌, ମାସମାନଙ୍କ ମଧ୍ୟରେ ମୁଁ ମାର୍ଗଶୀର୍ଷ (ମାର୍ଗଶିର)। ଧାର୍ମିକ ତଥା ପାରମ୍ପରିକ ଦୃଷ୍ଟିକୋଣରୁ ଏହି ମାସର ଯଥେଷ୍ଟ ଗୁରୁତ୍ୱ ରହିଛି। ତେବେ ଆୟୁର୍ବେଦ ଅନୁଯାୟୀ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ନିମନ୍ତେ ଏହା ସବୁଠାରୁ ଅନୁକୂଳ ସମୟ। କାରଣ, ଏହି ସମୟରେ ସ୍ୱାଭାବିକ ରୂପେ ଶରୀରର ବଳ ଓ ଜଠରାଗ୍ନି ବର୍ଷର ଅନ୍ୟ ସମୟ ଅପେକ୍ଷା ଉତ୍ତମ ଅବସ୍ଥାରେ ରହିଥାଏ।

ମାର୍ଗଶିର ମାସ ହେମନ୍ତ ଋତୁର ଅଂଶବିଶେଷ। ହେମନ୍ତ ଋତୁରେ କିପରି ଆହାର ବିହାର କଲେ ସ୍ୱାସ୍ଥ୍ୟ ଭଲ ରହେ, ତାହାର ବର୍ଣ୍ଣନା ଆୟୁର୍ବେଦରେ ବିଶଦ ଭାବରେ ଅଛି। ଏହି ଋତୁଚର୍ଯ୍ୟା ପାଳନ କରିବା ଦ୍ୱାରା ଆମେ ନିଜର ବଳ ତଥା ବ୍ୟାଧି ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଋତୁର ପ୍ରତିକୂଳ ପ୍ରଭାବରୁ ନିଜକୁ ରକ୍ଷା କରିପାରିବା। ହେମନ୍ତ ଋତୁରେ ଜଠରାଗ୍ନି ପ୍ରବଳ ଥାଏ। ସେଥି ଯୋଗୁଁ ଘୃତ, ତୈଳ ଓ ଚର୍ବି ଜାତୀୟ ସ୍ନିଗ୍‌ଧ ପଦାର୍ଥ ସେବନ ଆବଶ୍ୟକ। ଯେଉଁମାନେ ଆମିଷାଶୀ, ସେମାନେ ମାଛ ଏବଂ ଅଧିକ ଚର୍ବିଯୁକ୍ତ ପଶୁପକ୍ଷୀଙ୍କର ମାଂସ ଭୋଜନ କରିପାରିବେ। ଶାକାହାରୀ ବ୍ୟକ୍ତିମାନେ ଦୁଗ୍‌ଧ ତଥା ଦୁଗ୍‌ଧଜାତ ପଦାର୍ଥ, ଆଖୁରୁ ପ୍ରସ୍ତୁତ ଖାଦ୍ୟପଦାର୍ଥ, ରାଶି, ବିରି ଓ ଗହମରୁ ପ୍ରସ୍ତୁତ ଖାଦ୍ୟ ଭୋଜନ କରିପାରିବେ। ଏହି ସମୟରେ ନୂତନ ଚାଉଳର ଭାତ, ଏବଂ ମଧୁର, ଅମ୍ଳ ଓ ଲବଣ ରସଯୁକ୍ତ ପଦାର୍ଥର ଭୋଜନ ହିତକର ହୋଇଥାଏ।

ମାର୍ଗଶିର ମାସରେ ଶୀତର ପ୍ରାଦୁର୍ଭାବ ହେତୁ ଶରୀରରେ ରୁକ୍ଷତା ଦେଖାଦେଇଥାଏ। ଏଣୁ ଏହି ମାସରେ ମୁଣ୍ଡ ଓ ଦେହରେ ତେଲ ମାଲିସ କରିବା ଆବଶ୍ୟକ। ଏଥିପାଇଁ ଆମେ ରାଶିତେଲର ବ୍ୟବହାର କରିପାରିବା। ଏହି ଋତୁରେ ସୂର୍ଯ୍ୟକିରଣ ଶରୀର ପାଇଁ ହିତକର। ଏଣୁ ମାଲିସ ପରେ କିଛି ସମୟ ସୂର୍ଯ୍ୟସ୍ନାନ କରି ତା’ପରେ ଉଷୁମ ଜଳରେ ସ୍ନାନ କରିବା ଆବଶ୍ୟକ। ଉଷ୍ମ ବସ୍ତ୍ର ଧାରଣ, ନିବାତ ଉଷ୍ମଗୃହରେ ବାସ, ଗୁଡ଼ ନିର୍ମିତ ସୁରା ସେବନ, ବ୍ୟାୟାମ ତଥା ଯଥାଶକ୍ତି ସହବାସ ଏହି ସମୟରେ ସୁଖଦାୟକ ହୋଇଥାଏ। ମାର୍ଗଶିର ମାସ ଉଭୟ ଧର୍ମ ଅର୍ଜନ ଓ ସୁଖ ପ୍ରାପ୍ତିର ସମୟ। ବିଧି ଓ ନିୟମ ଅନୁସାରେ ଏହା ପ୍ରାପ୍ତ କଲେ ଆମେ ସୁସ୍ଥ, ସୁଖୀ ଓ ନିରାମୟ ରହିପାରିବା।

-ଡା. କୁମାର ଅରୋଜ୍ୟୋତି

ସମ୍ବନ୍ଧିତ ଖବର