ଆଗାମୀ ଦୁଇରୁ ତିନି ସପ୍ତାହ ମଧ୍ୟରେ ଶୀତ ଆସିବା ସହିତ ସୁସ୍ଥତା ବଜାୟ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଗ୍ରହଣ କରିବା ଜରୁରି ହୋଇପଡ଼ିବ। ଆୟୁର୍ବେଦ ଅନୁସାରେ, ଏକ ଉପଯୁକ୍ତ ଖାଦ୍ୟାଭ୍ୟାସ ରୋଗ ପ୍ରତିରୋଧକ ଶକ୍ତିକୁ ଉଲ୍ଲେଖନୀୟ ଭାବେ ବଢ଼ାଇ ଶାରୀରିକ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିଥାଏ। ତେବେ ଶୀତରେ ଆବଶ୍ୟକ ଉଷ୍ମତା ପ୍ରଦାନ କରୁଥିବା, ପାଚନ ଶକ୍ତି ଉନ୍ନତ କରୁଥିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଜରୁରି। 

Advertisment

ଏ ପରିପ୍ରେକ୍ଷୀରେ ଉଷୁମ କ୍ଷୀର, ଘିଅ, ମସଲାଯୁକ୍ତ ସୁପ୍, ଶୁଷ୍କ ଫଳ, ହଳଦୀ ଓ ଅଦା ଭଳି ଉଷ୍ମ ଏବଂ ପୁଷ୍ଟିକର ଖାଦ୍ୟ ବିଶେଷ ଲାଭଦାୟକ। ସେହିପରି ଡାଳଚିନି, ଗୋଲମରିଚ ଓ ପାନମହୁରି ଭଳି ମସଲା ଶରୀରର ଆଭ୍ୟନ୍ତରୀଣ ଉତ୍ତାପ ବୃଦ୍ଧି କରିବା ସହ ପାଚନ ଶକ୍ତି ମଧ୍ୟ ବଢ଼ାଇଥାଏ। ଏଥି ସହିତ, ରାଶି, ମଟର, ଚଣା ଓ ଗହମ ଭଳି ଖାଦ୍ୟ ପ୍ରଚୁର ଶକ୍ତି ଯୋଗାଇଥାଏ। ଶୀତ ଋତୁରେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ କିଛି ଋତୁକାଳୀନ ଫଳ ଓ ପନିପରିବା ମଧ୍ୟ ଆପଣେଇବା ଜରୁରି। ସେଥିପାଇଁ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରୁଥିବା ଭିଟାମିନ୍ ଓ ଖଣିଜ ପଦାର୍ଥରେ ଭରପୂର ଥିବା ଗାଜର, କନ୍ଦମୂଳ, ପାଳଙ୍ଗ ଓ ମୂଳା ପରି ପନିପରିବା ସମେତ ସେଓ ପରି ଫଳ ଖୁବ୍‌ ଉପାଦେୟ। ଉଷ୍ମତା ସୁନିଶ୍ଚିତ କରିବା ଏବଂ ହଜମରେ ସାହାଯ୍ୟ କରିବା ପାଇଁ ଶୁଷ୍କ ଓ ରନ୍ଧା ଫଳ ଓ ପନିପରିବା ଖାଇବାକୁ ମଧ୍ୟ ଆୟୁର୍ବେଦ ପରାମର୍ଶ ଦେଇଥାଏ। ତେବେ ଶୀତଦିନେ ଥଣ୍ଡା ଓ ଭାରୀ ଖାଦ୍ୟ ଖାଇବାକୁ ବିଶେଷଜ୍ଞମାନେ ବାରଣ କରନ୍ତି।

ଥଣ୍ଡା ପାଣି, ବରଫ ପାନୀୟ, କଞ୍ଚା ପନିପରିବା, ସାଲାଡ ଓ ଅଧିକ ଭଜା ଖାଦ୍ୟ ଶରୀରକୁ ଥଣ୍ଡା କରିପାରେ ଏବଂ ହଜମକୁ ଖରାପ କରିପାରେ। ଅତ୍ୟଧିକ ଚିନି ଓ ପ୍ରକ୍ରିୟାକୃତ ଖାଦ୍ୟ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ, ତେଣୁ ସେସବୁ ବର୍ଜନୀୟ। ଏଥି ସହିତ ଭଲ ନିଦ ପାଇଁ ହାଲୁକା ତଥା ପୁଷ୍ଟିକର ରାତ୍ରୀ ଭୋଜନର ଆବଶ୍ୟକତା ରହିଛି। ହଜମ କ୍ରିୟାକୁ ସୁଗମ କରିବା ପାଇଁ ଖାଇବା ପରେ ଅଳ୍ପ ଚାଲିବା ଓ ଉଷୁମ ପାଣି ପିଇବା ଆବଶ୍ୟକ। ସେହିପରି ଶୀତଦିନେ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଶରୀରକୁ ଆର୍ଦ୍ର  ରଖିବା, ବ୍ୟାୟାମ କରିବା ଏବଂ ମାନସିକ ଚାପକୁ ଏଡ଼ାଇବା ହେଉଛି ଅତିରିକ୍ତ ପ୍ରମୁଖ ଉପାୟ।