ଆମେମାନେ ଅନେକ ପ୍ରକାର ଦୁଗ୍ଧଜାତ ସାମଗ୍ରୀ ସମ୍ପର୍କରେ ଜାଣିଛନ୍ତି, ଯାହା ସ୍ବାସ୍ଥ୍ୟପ୍ରଦ ହୋଇଥାଏ। ତେବେ ହିମାଳୟ ଚୁର୍ପି ହେଉଛି ଦୁଗ୍ଧରୁ ତିଆରି ଏକ ସାମଗ୍ରୀ ଯାହା ସ୍ବାସ୍ଥ୍ୟପ୍ରଦ ହେବା ସହ ହାନିକାରକ ଆସକ୍ତି ମଧ୍ୟ ସୃଷ୍ଟି କରିଥାଏ। ହିମାଳୟୀ ଚୁର୍ପି ହେଉଛି ଏକ ପ୍ରକାର ଛେନା ଯାହା କଠିନ ଏବଂ ଚର୍ବଣଯୋଗ୍ୟ। ସିକ୍କିମର ଗଳିକନ୍ଦିରେ ଉପଲବ୍ଧ ଏହି ଛେନା ମିଠା ଏବଂ ଖଟାଳିଆ ଲାଗିଥାଏ। ତେବେ ନିୟମିତ ଖାଇଲେ ତାହା ଧୀରେ ଧୀରେ ଏକ ନିଶା ପାଲଟିବାର ଆଶଙ୍କା ସୃଷ୍ଟି ହୋଇଥାଏ। ଗାଈ, ଛେଳି ବା ଚମରୀ ଗାଈର କ୍ଷୀରକୁ ଛିଣ୍ଡାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ।
ଏଥିରେ ଉଚ୍ଚମାନର ପୁଷ୍ଟିସାର ସମେତ ଓମେଗା-୩ ଚର୍ବିଳାମ୍ଳ ଓ ଉଚ୍ଚମାନର ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏଥି ସହିତ ଏହା କାଲସିଅମ୍, ମାଗ୍ନେସିଅମ୍, ଫସ୍ଫରସ୍ ଓ ଜିଙ୍କ୍ ପରି ଖଣିଜସାର ସମେତ ଏ, ଡି ଓ ଇ ଆଦି ଖାଦ୍ୟସାରର ଗନ୍ତାଘର ମଧ୍ୟ। ଏହା ଶରୀରକୁ ଉଷ୍ମ ରଖିଥାଏ, ଯାହା ହିମାଳୟ ଅଞ୍ଚଳ ପାଇଁ ବରଦାନ ସଦୃଶ। ହିମାଳୟ ଇଲାକାର ଏହି ପୁରାତନ ସାମଗ୍ରୀର ଚାହିଦା ଏବେ ଭାରତର ବିଭିନ୍ନ ଅଞ୍ଚଳ ସମେତ ଆମେରିକା, କାନାଡା, ବ୍ରିଟେନ୍ ଓ ଜାପାନ ଆଦି ଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଏହାର ଆସକ୍ତି ଗୁଣ ପାଇଁ ବିଶେଷ କରି ପୋଷା କୁକୁର ଖାଦ୍ୟ ଭାବେ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି।