ଏକ ପୁଷ୍ଟିକର ଶୁଷ୍କ ଫଳ ଭାବେ ଅଖ୍ରୋଟ୍ର ସ୍ବତନ୍ତ୍ର ପରିଚିତି ରହିଛି। ଏହାର ଉପକାର ବାବଦରେ ବିଜ୍ଞାନସମ୍ମତ ପ୍ରାମାଣିକ ତଥ୍ୟ ଅଛି। ବିଭିନ୍ନ ଖଣିଜ ଓ ଖାଦ୍ୟସାରରେ ଭରପୂର ଅଖରୋଟର ବିଭିନ୍ନ ଉପକାରିତା ବାବଦରେ ଜାଣିବା। ଏହି ସାନ୍ଦ୍ର ପୁଷ୍ଟିକର ଫଳରେ ଓମେଗା-୩ ଚର୍ବିଳାମ୍ଳ ପରି ଉପକାରୀ ଅପରିପୃକ୍ତ ଚର୍ବି ରହିଛି, ଯାହା ଶରୀରରେ ପ୍ରଦାହ କ୍ରିୟାକୁ ହ୍ରାସ କରିବା ସହ ହୃଦ୍ସ୍ବାସ୍ଥ୍ୟକୁ ଉନ୍ନତ ରଖିଥାଏ। ସୂଚନାଯୋଗ୍ୟ, ଗୋଟିଏ ଆଉନ୍ସ (୨୮.୩ ଗ୍ରାମ) ଅଖରୋଟରୁ ୧୮୫ କ୍ୟାଲୋରି ଶକ୍ତି ମିଳିଥାଏ ଯେଉଁଥିରେ ମୋଟ ୧୮.୫ ଗ୍ରାମ୍ ଚର୍ବି, ୨ ଗ୍ରାମ୍ ପରିପୃକ୍ତ ଚର୍ବି, ଶୂନ କୋେଲେଷ୍ଟରଲ୍, ୧ ମି.ଗ୍ରା. ସୋଡିଅମ୍, ୪ ଗ୍ରାମ୍ ମୋଟ ଶର୍କରା, ୨ ଗ୍ରାମ୍ ତନ୍ତୁ, ୨୮ ମି.ଗ୍ରା. ଭିଟାମିନ୍ ଡି, ୧ ଗ୍ରାମ୍ ଲୌହସାର, ୧୨୫ ମି.ଗ୍ରା. ପୋଟାସିଅମ୍ ଓ ୪ ଗ୍ରାମ୍ ପୁଷ୍ଟିସାର ରହିଛି। ଏଥିରେ ଥିବା ଭିଟାମିନ୍ ଇ, ମେଲାଟୋନିନ ଓ ପଲିଫିନଲ୍ ଯୋଗୁଁ ଏହା ଏକ ଉଚ୍ଚକୋଟିର ପ୍ରଦାହବିରୋଧୀ ଭାବେ ପରିଗଣିତ।
ଏହା ପାକସ୍ଥଳୀର ସ୍ବାସ୍ଥ୍ୟକୁ ଉନ୍ନତ ରଖିବା ସହ ମଧୁମେହ-୨, କର୍କଟ ଓ ହୃଦ୍ରୋଗ ଦୂରେଇବାରେ ସହାୟକ ହୋଇଥାଏ। ଏଥିରେ ଥିବା ଘନ ଶର୍କରା ସତ୍ତ୍ବେ ଏହା କ୍ଷୁଧା ନିୟନ୍ତ୍ରଣ କରି ଓଜନବୃଦ୍ଧିକୁ ମଧ୍ୟ ରୋକିଥାଏ। ଏହା ରକ୍ତଚାପକୁ କମାଇ ଧାର୍ଯ୍ୟସ୍ତରରେ ରଖିବା ସହ ହୃଦ୍ଘାତ ଆଶଙ୍କା କମାଇଥାଏ। ଏହା ଆମର ମସ୍ତିଷ୍କକୁ ସକ୍ରିୟ ରଖିବା ସହ ସ୍ମରଣଶକ୍ତି ବଢ଼ାଇଥାଏ। ଏହାର ଆଉ ଏକ ବିଶେଷ ଗୁଣ ହେଲା ଏହା ପୁରୁଷମାନଙ୍କର ପ୍ରଜନନ କ୍ଷମତା ବଢ଼ାଇଥାଏ। ଅଖରୋଟ ଖାଇବା ଦ୍ବାରା ପୁରୁଷଙ୍କର ଶୁକ୍ରାଣୁ ସାନ୍ଦ୍ରତା ବଢ଼ିବା ସହ ସେମାନଙ୍କର ଆକାରରେ ଦୃଢ଼ତା ଆସି ଗତିଶୀଳତା ବଢ଼ିଥାଏ। ସେହିପରି ନିୟମିତ ଅଖରୋଟ ଖାଇଲେ ରକ୍ତରେ କ୍ଷତିକାରକ କୋେଲେଷ୍ଟରଲ୍ ସ୍ତର କମିବା ସହ ହୃଦ୍ରୋଗର ଅନ୍ୟତମ ପ୍ରମୁଖ କାରଣ ଆପୋଲିପୋପ୍ରୋଟିନ୍-ବି ପରିମାଣରେ ହ୍ରାସ ହୋଇଥାଏ।