ବର ବେଶରେ ସଜେଇ ହୋଇ ସାରିବା ପରେ ଯୁବକଙ୍କ ହେଲା ମୃତ୍ୟୁ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବହରାଇଚରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠା‌ରେ ଜଣେ ଯୁବକ ବର ବେଶରେ ସଜାଇ ହେବାପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ଖବର ମିଳିଛି। ସଙ୍ଗେସଙ୍ଗେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଉକ୍ତ ଯୁବକଙ୍କ ମୃତ୍ୟୁ ହୃଦଘାତରେ ହୋଇଛି ବୋଲି ଡାକ୍ତର ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜରବଲ ରୋଡ ନିକଟରେ  ଥିବା ଅଟୱା  ଗ୍ରାମରେ ରାମଲାଲ ନାମକ ବ୍ୟକ୍ତିଙ୍କ ପୁଅ ରାଜକମଲଙ୍କ ବିବାହ ପ୍ରସ୍ତୁତି ଚାଲିଥିଲା। ବରଯାତ୍ରୀ ବାହାରିବାକୁ ଥାଏ। ଏଥିପାଇଁ ପରିବାର ଲୋକ ବ୍ୟସ୍ତରେ ଥାଆନ୍ତି। ବରକୁ ସଜେଇବାରେ ତାଙ୍କ ଭଉଣୀମାନେ ଓ ସମ୍ପର୍କୀୟମାନେ ଲାଗି ପଡ଼ି ଥାଆନ୍ତି।

ରାଜକମଲ ବର ବେଶରେ ସଜେଇ ହୋଇ ସାରିଥାଆନ୍ତି। ଏହାପରେ ପଗଡ଼ି ବନ୍ଧା ଚାଲିଥ‌ାଏ। ଯେମିତି ରାଜକମଲଙ୍କ ମଥାରେ ପଗଡ଼ି ବନ୍ଧା ସରିଥିଲା ତାଙ୍କର ଛାତିରେ ଯନ୍ତ୍ରଣା ହେବାର ସେ କହିଥିଲେ। ଏହାପରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଁ ଯାଇଥିଲେ ହେଁ ଡାକ୍ତର ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଛନ୍ତି ବୋଲି କହିଥିଲେ।

ଏହି ଖବର ଜଣାପଡ଼ିବା ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା। କେହି କିଛି କହିବା ଅବସ୍ଥାରେ ନାହାନ୍ତି। ଏପଟେ କନ୍ୟା ଘର ବି ବିବାହ ପାଇଁ ପୂରା ପ୍ରସ୍ତୁତି କରି ସାରିଥିଲେ। ଏହି ସମୟରେ  ଏଭଳି ଏକ ଦୁଃଖଦ ଘଟଣାର ଖବର ପାଇବା ପରେ ସମ୍ପୂର୍ଣ୍ଣ ପରିବାର ସ୍ତବ୍ଧ ହୋଇଯାଇଥିବା ବେଳେ କନ୍ୟା ବି କାନ୍ଦିକ‌ାନ୍ଦି ଚେତା ହରାଇ ଦେଉଛନ୍ତି।

ରାଜକମଲଙ୍କ ବରଯାତ୍ରୀରେ ସାମିଲ ହେବାକୁ ଯାଇଥିବା ଲୋକେ ତାଙ୍କ  ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ।  ଏହି ଘଟଣା ଟି ଅତ୍ୟନ୍ତ ହୃଦୟବିଦାରକ ଥିଲା।  ସମସ୍ତଙ୍କ ଆଖିରେ ଲୁହ ଭରି ରହିଥିଲା।

ସମ୍ବନ୍ଧିତ ଖବର