ଭୁବନେଶ୍ବର: ଏବେ ବି ଓଡ଼ିଶାରେ ହୃଦ୍ରୋଗ ଚିକିତ୍ସାର ବାଧକ ସାଜିଛି ଦୁର୍ବଳ ଭିତ୍ତିଭୂମି। ଶିଶୁ ହୃଦ୍ରୋଗୀଙ୍କ ଅସ୍ତ୍ରୋପଚାର, ହୃତ୍ପିଣ୍ଡ ପ୍ରତିରୋପଣ, ହୃତ୍ପିଣ୍ଡରେ ଟ୍ୟୁମର, ହୃତ୍ପିଣ୍ଡରେ ମାଂସବୃଦ୍ଧି ଭଳି ବିଭିନ୍ନ ପ୍ରକାର ହୃଦ୍ରୋଗର ଚିକିତ୍ସା ସମ୍ବଲପୁରସ୍ଥିତ ଭିମ୍ସାର, ବ୍ରହ୍ମପୁରସ୍ଥିତ ଏମ୍କେସିଜି କଥା ଦୂରେ ଥାଉ; ଏମ୍ସ ଭୁବନେଶ୍ବର ଏବଂ କଟକ ଏସସିବିରେ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟରେ ଥିବା ଘରୋଇ ଡାକ୍ତରଖାନାଗୁଡ଼ିକରେ ଏସବୁର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାବେଳେ ଚିକିତ୍ସା ଫଳ ସନ୍ତୋଷଜନକ ନୁହେଁ। ଏଥିଯୋଗୁଁ ରୋଗୀ ଦିଲ୍ଲୀ କିମ୍ବା ବେଙ୍ଗାଲୁରୁ ଯାଇ ଚିକିତ୍ସିତ ହେଉଛନ୍ତି ଏବଂ ଲକ୍ଷଲକ୍ଷ ଟଙ୍କା ଖର୍ଚ କରିବାକୁ ବାଧ୍ୟ ହେଉଛନ୍ତି। ଏଣେ କୋଭିଡ୍ ଯୋଗୁଁ ଗତ ପ୍ରାୟ ଦେଢ଼ ବର୍ଷ ହେଲା ଏଭଳି ଗୁରୁତର ରୋଗର ଚିକିତ୍ସା ପ୍ରଭାବିତ ହୋଇଛି।
ରକ୍ତ ସମ୍ପର୍କୀୟଙ୍କ ସହିତ ବିବାହ ସମେତ ଅନ୍ୟ କେତେକ କାରଣରୁ ଓଡ଼ିଶାରେ ଶିଶୁ ହୃଦ୍ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ନବଜାତଙ୍କଠାରୁ ଆରମ୍ଭ କରି ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ହୃତ୍ପିଣ୍ଡରେ କଣା, ହୃତ୍ପିଣ୍ଡ ଅବସ୍ଥିତିରେ ପରିବର୍ତ୍ତନ ଭଳି ବିଭିନ୍ନ ପ୍ରକାର ସମସ୍ୟା ଚିହ୍ନଟ ହେଉଛି। ଏମାନଙ୍କ ମଧ୍ୟରୁ ୫ ପ୍ରତିଶତ ଶିଶୁ ସାମାନ୍ୟ ଏବଂ ୫ ପ୍ରତିଶତ ଗୁରୁତର ହୃଦ୍ରୋଗର ଶିକାର ହୋଇ ଥାଆନ୍ତି। ଗୁରୁତର ଶିଶୁଙ୍କୁ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକ ହୁଏ। ମାତ୍ର ଆମ ରାଜ୍ୟରେ ଶିଶୁ ହୃଦ୍ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାଟିଏ ନାହିଁ। ଏମ୍ସ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସ୍ଥିତ ନାରାୟଣ ହୃଦୟାଳୟରେ ଏହି ଚିକିତ୍ସା ସୁବିଧା ରହିଛି। ଅବଶ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ନାରାୟଣ ହୃଦୟାଳୟ ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ପ୍ରତିବର୍ଷ କିଛି ଶିଶୁଙ୍କୁ ନାରାୟଣ ହୃଦୟାଳୟକୁ ପଠାଯାଏ। ମାତ୍ର ଅନେକଙ୍କ ପାଇଁ ଏହି ସୁବିଧା ପାଇବା ସହଜ ନୁହେଁ। ଏହି ପ୍ରକ୍ରିୟାରେ ଅନେକ ଶିଶୁ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହୁଅନ୍ତି। କୋଭିଡ୍ ସ୍ଥିତି ଯୋଗୁଁ ଦୁଇ ବର୍ଷ ହେଲା ଏହା ବାଧାପ୍ରାପ୍ତ ମଧ୍ୟ ହୋଇଛି।
୨୦୧୯ ମସିହାରେ ଏମ୍ସ ଭୁବନେଶ୍ବରରେ ଶିଶୁ ହୃଦ୍ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ କିଛି ଡାକ୍ତର ପ୍ରଚେଷ୍ଟା କରିଥିଲେ। ମାତ୍ର ଭିତ୍ତିଭୂମି ଅଭାବ ଦର୍ଶାଇ ନିର୍ଦେଶକ ଏହାକୁ ବନ୍ଦ କରିଦେଲେ। ଏହା ପରେ ଭିତ୍ତିଭୂମି ପୂରଣ ପାଇଁ ଏମ୍ସ କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାର ଦୃଷ୍ଟି ଦେଇ ନାହାନ୍ତି। ବର୍ତ୍ତମାନ ଯେଉଁଭଳି ଅବସ୍ଥା ସୃଷ୍ଟି ହୋଇଛି; ରାଜ୍ୟରେ ଶିଶୁ ହୃଦ୍ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ସ୍ବତନ୍ତ୍ର କେନ୍ଦ୍ରର ନିହାତି ଆବଶ୍ୟକ ବୋଲି କୁହାଯାଉଛି। ଏମ୍ସ ହୃଦ୍ରୋଗ ବିଭାଗ ବିଶେଷଜ୍ଞ ଡାକ୍ତର ରାମଚନ୍ଦ୍ର ବାରିକ କହନ୍ତି, ପ୍ରତିଦିନ ପ୍ରାୟ ୧୫୦ରୁ ୨୦୦ ହୃଦ୍ରୋଗୀ ଏମ୍ସ ଓପିଡିକୁ ଆସିଥାଆନ୍ତି; ଯାହାକି ଡାକ୍ତରଖାନାକୁ ଆସୁଥିବା ସମୁଦାୟ ରୋଗୀଙ୍କ ୧୫ ପ୍ରତିଶତ। ଏଥିମଧ୍ୟରେ ରକ୍ତନଳୀ ବନ୍ଦ ହେବା, ଜନ୍ମଗତ କାରଣ, ଭାଲ୍ଭ ଲିକ୍ କିମ୍ବା ବ୍ଲକେଜ୍, ହୃତ୍ପିଣ୍ଡରେ କଣା, ମାଂସପେଶୀ ବୃଦ୍ଧି, କୋଲେଷ୍ଟୋରେଲ ଆଦି ସମ୍ପର୍କିତ ବିଭିନ୍ନ ପ୍ରକାର ହୃଦ୍ରୋଗ ସମସ୍ୟାରେ ପୀଡ଼ିତ ଥାଆନ୍ତି। ଏଠାକୁ ଆସୁଥିବା ସମୁଦାୟ ହୃଦ୍ରୋଗୀଙ୍କ ମଧ୍ୟରୁ ୧୦ ପ୍ରତିଶତ ଶିଶୁ ରୋଗୀ ଥାଆନ୍ତି; ଯେଉଁମାନଙ୍କ ଅବସ୍ଥା ଏଭଳି ଥାଏ ଯେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ। କିନ୍ତୁ ଏଠାରେ ଏହି ସୁବିଧା ନଥିବାରୁ ଏହି ଶିଶୁରୋଗୀଙ୍କୁ ଏମ୍ସ ନୂଆଦିଲ୍ଲୀକୁ ରେଫର୍ କରାଯାଏ। ଏଭଳି ରୋଗୀଙ୍କ ସଂଖ୍ୟା ମାସକୁ ପ୍ରାୟ ୨୦୦ ହୋଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସ୍ଥିତିରେ ବ୍ୟାୟାମର ଅଭାବ, ଧୂମପାନ, ମଦ୍ୟପାନ, ଜଙ୍କ୍ଫୁଡ୍ ଖାଇବା ଅଭ୍ୟାସ, କାର୍ଯ୍ୟଚାପ ସହିତ ଅଧିକ ବୟସ, ମହିଳାଙ୍କ ଋତୁସ୍ରାବ ବନ୍ଦ ଆଦି ଯୋଗୁଁ ହୃଦ୍ରୋଗର ବଢ଼ିବାରେ ଲାଗିଛି।
ଡା. ବାରିକଙ୍କ କହିବା ଅନୁଯାୟୀ ହୃଦ୍ରୋଗୀଙ୍କ ମଧ୍ୟରେ ୨ ପ୍ରତିଶତ ଏଭଳି ରୋଗୀ ଅଛନ୍ତି; ଯାହାଙ୍କ ହୃତପିଣ୍ଡର ପମ୍ପିଂ ଖରାପ ହୋଇଗଲେ, ଷ୍ଟଣ୍ଟ୍ କିମ୍ବା ବାଇପାସ୍ କରାଯାଇ ନପାରିଲେ, ଭାଲ୍ଭ ରିପ୍ଲେସ କରି ହେଉନଥିଲେ, ହୃତପିଣ୍ଡ ମାଂସପେଶୀ ଦୁର୍ବଳ ହୋଇଗଲେ; ହୃତପିଣ୍ଡ ପ୍ରତିରୋପଣର ଆବଶ୍ୟକ ହୁଏ। ଏଥିରେ ନବଜାତଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସବୁ ରୋଗୀ ଅଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ଏଭଳି ରୋଗୀଙ୍କ ଚିକିତ୍ସା ଲାଗି ରାଜ୍ୟରେ ହୃତ୍ପିଣ୍ଡ ପ୍ରତିରୋପଣ ସୁବିଧା ହୋଇ ପାରିନାହିଁ। ତେଣୁ ରୋଗୀ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଇ ପ୍ରାୟ ୧୦ରୁ ୧୨ ଲକ୍ଷ ଟଙ୍କା ଚିକିତ୍ସା ଖର୍ଚ କରି ହଇରାଣ ହେଉଛନ୍ତି। କେବଳ ଓଡ଼ିଶା ନୁହେଁ; ଦେଶର ସୀମିତ ଡାକ୍ତରଖାନାରେ ଏହି ଅସ୍ତ୍ରୋପଚାର ସୁବିଧା ରହିଛି। ହୃତ୍ପିଣ୍ଡରେ ମାଂସ ବଢିଲେ ବା ହାଇପୋଟ୍ରୋପିକ କାଡିଓମାଫେଥିକ, ହୃତ୍ପିଣ୍ଡରେ ଟ୍ୟୁମର ଭଳି ଅସ୍ତ୍ରୋପଚାର ମଧ୍ୟ ଏଠାରେ ହେଉ ନାହିଁ। ହୃତ୍ପିଣ୍ଡରେ ଟ୍ୟୁମର ବେଶି ଜଟିଳ ହୋଇନଥିଲେ ଏମ୍ସରେ ଏହାର ଚିକିତ୍ସା ହୋଇ ପାରୁଛି।
ଏ ବର୍ଷର ସ୍ଲୋଗାନ ‘ହାର୍ଟ ଟୁ ହାର୍ଟ କନେକ୍ଟ’
ଚଳିତ ବର୍ଷ ବିଶ୍ବ ହୃତ୍ପିଣ୍ଡ ଦିବସର ସ୍ଲୋଗାନ ହେଲା, ହାର୍ଟ ଟୁ ହାର୍ଟ କନେକ୍ଟ (ହୃଦୟ ସହିତ ହୃଦୟର ସଂଯୋଗ)। ଏହାକୁ ନେଇ ଏମ୍ସ ହୃଦ୍ରୋଗ ସର୍ଜରି ବିଭାଗ ଡାକ୍ତର ରୁଦ୍ର ମହାପାତ୍ର କହିଛନ୍ତି, କୋଭିଡ୍ ଯୋଗୁଁ ହୃଦ୍ରୋଗୀଙ୍କ ସମସ୍ୟା ବୃଦ୍ଧି ପାଇଛି। ପ୍ରଥମତଃ ଲୋକେ ଘରେ ରହିବାରୁ ଶାରୀରିକ କାର୍ଯ୍ୟାଭ୍ୟାସ ଏକ ପ୍ରକାର ବନ୍ଦ ହୋଇଯାଇଛି। ବିଶେଷକରି ଛୁଆମାନଙ୍କ ଓଜନ ବୃଦ୍ଧି ପାଇଛି। ସାଧାରଣ ଲୋକ ମଧ୍ୟ ବିପଜ୍ଜନକ ଜୋନ୍କୁ ଚାଲି ଆସିଲେ। ଦ୍ବିତୀୟତଃ କରୋନା ଯୋଗୁଁ ହୃଦରୋଗୀଙ୍କ ଚିକିତ୍ସା ବ୍ୟାହତ ହେଲା। ଏଥିଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଗଲା। ସବୁ ଡାକ୍ତରଖାନାରେ ଅଣକୋଭିଡ୍ ଚିକିତ୍ସା ବନ୍ଦ କିମ୍ବା ଲକ୍ଡାଉନ୍ ଯୋଗୁଁ ହୃଦରୋଗୀ ଭୟଭୀତ ହୋଇ ଡାକ୍ତରଖାନା ଯାଇପାରିଲେ ନାହିଁ। ଏହାଛଡ଼ା ବେଳେବେଳେ ରୋଗୀଙ୍କ ହୃଦ୍ରୋଗ ଅସ୍ତ୍ରୋପଚାର ବେଳେ କୋଭିଡ୍ ଚିହ୍ନଟ ଯୋଗୁଁ ଅସ୍ତ୍ରୋପଚାର ବିଳମ୍ବିତ ହୋଇଛି। ତୃତୀୟତଃ କୋଭିଡ୍ ଆକ୍ରାନ୍ତଙ୍କ ହୃଦ୍ରୋଗ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି। କୋଭିଡ୍ ସମୟରେ ସାମାଜିକ ଦୂରତ୍ବର ସ୍ଲୋଗାନ ଦିଆଯାଉଥିଲା। ମାତ୍ର ହୃଦ୍ରୋଗ ଦିବସରେ ବ୍ୟବସ୍ଥା ସହିତ ଯୋଡ଼ି ହେବାକୁ ଆହ୍ବାନ ଦିଆଯାଉଛି।