ଲକ୍ଷ୍ନୌ: ଏବେ ଉତ୍ତରପ୍ରଦେଶ ପୁଲିସ କରିଥିବା କାମକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଘରୁ ଲୁଚି ପଳାଇଥିବା ପ୍ରେମୀଯୁଗଳଙ୍କୁ ପ୍ରଥମେ ଖୋଜିବା ପରେ ମହୋବା ପୁଲିସ ଷ୍ଟେସନର ପୁଲିସକର୍ମୀ ଦୁହିଁଙ୍କ ବିବାହ କରାଇଥିଲେ। ଯାହାକୁ ନେଇ ଏବେ ଲୋକେ ମହୋବା ପୁଲିସ ଷ୍ଟେସନର ପୁଲିସକର୍ମୀଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି।
ଗତ କିଛି ଦିନ ହେଲାଣି ଉତ୍ତରପ୍ରଦେଶ ପୁଲିସ ଅନେକ ନକାରାତ୍ମକ କାରଣକୁ ନେଇ ବିବାଦରେ ରହିଥିବା ବେଳେ ଏହି ଘଟଣା ଏବେ ଉତ୍ତରପ୍ରଦେଶ ପୁଲିସକର୍ମୀଙ୍କ ଛବିକୁ ବଦଳାଇଛି। ନାଗରିକତା ସଂଶୋଧନ ଆଇନ ଓ ରାଜ୍ୟରେ ଅପରାଧର ସଂଖ୍ୟା କମ କରିବା ପାଇଁ ଉତ୍ତରପ୍ରଦେଶ ପୁଲିସ ବିଫଳ ହୋଇଥିବା କହି ଲୋକେ ନିନ୍ଦା କରୁୁଥିବା ବେଳେ ମହୋବାରେ ଘଟିଥିବା ଘଟଣା ଲୋକଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରିଛି।
ସୂଚନା ମୁତାବକ, ଆରତୀ ଓ ଚନ୍ଦ୍ରଶେଖର ପରସ୍ପରକୁ ଭଲ ପାଉଥିଲେ ମଧ୍ୟ ଦୁହିଁଙ୍କ ପରିବାର ଲୋକେ ବିବାହ ପାଇଁ ରାଜି ହୋଇ ନଥିଲେ। ଯାହା ପାଇଁ ଆରତୀ ଓ ଚନ୍ଦ୍ରଶେଖର ଘରୁ ଲୁଚି ପଳାଇଥିଲେ। ଆରତୀଙ୍କ ପରିବାର ଲୋକେ ମହୋବା ପୁଲିସ ଷ୍ଟେସନରେ ନିଖୋଜ ଅଭିଯୋଗ ଲେଖାଇବା ପରେ ପୁଲିସ ଆରତୀଙ୍କୁ ଖୋଜିବା ଆରମ୍ଭ କରିଥିଲା। କିଛି ଘଣ୍ଟା ମଧ୍ୟରେ ଦୁହିଁଙ୍କ ପତ୍ତା ମିଳିବା ପରେ ପ୍ରେମ ସଂପର୍କକୁ ସ୍ବୀକାର ନ କରାଯିବାରୁ ଦୁହେଁ ଏଭଳି କରିଥିବା ଜାଣିବାକୁ ପାଇଲେ ପୁଲିସକର୍ମୀ। ଏହା ପରେ ଦୁହିଁଙ୍କ ପରିବାର ଲୋକଙ୍କୁ ଡ଼ାକି ବୁଝାଇବା ସହ ପୁଲିସ ଷ୍ଟେସନରେ ହିଁ ଦୁହିଁଙ୍କ ବିବାହ କରାଇଥିଲେ।