ଭାରି ବର୍ଷାରେ ରାସ୍ତାରେ ଗାଡ଼ି ନେଇ ଯାଉଥିବା ଯବାନ ହଠାତ୍ ଗାଡ଼ି ଠିଆ କରି ବାହାରକୁ ଆସିବା ସହ ସାବଧାନ୍ ମୁଦ୍ରାରେ ଠିଆ ହୋଇଗଲେ, ଫଟୋ ଉଠାଇ ପୋଷ୍ଟ କରିବା ସହ କାରଣ ଜଣାଇଲେ ମହିଳା
ନୂଆଦିଲ୍ଲୀ : ଆମେରିକାରେ ଖୁବ୍ ଜୋରରେ ବର୍ଷା ଲାଗି ରହିଥିବା ବେଳେ ଲୋକମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବ୍ୟସ୍ତ ହେଉଥାନ୍ତି । ଖୁବ୍ ଶୀଘ୍ର ଗାଡ଼ି ନେଇ ଅଫିସ ଯିବା ପାଇଁ ରାସ୍ତାରେ ଗାଡ଼ି ପଛକୁ ଗାଡ଼ି ଲାଗି ରହିଥାଏ। କିନ୍ତୁ ଏହି ସମୟରେ ହଠାତ୍ ଜଣେ ଯବାନଙ୍କ ଗାଡ଼ି ଆସି ରାସ୍ତା କଡ଼ରେ ଅଟକି ଥିଲା । ଯବାନ ଗାଡ଼ି ରଖିବା ସହ ଗାଡ଼ିରୁ ବାହାରି ସାବଧାନ୍ ହୋଇ ଠିଆ ହୋଇ ଯାଇଥିଲେ । ଯବାନଙ୍କୁ ଏ ସବୁ କରୁଥିବାର ଦେଖୁଥିଲେ ପଛ ଗାଡ଼ିରେ ଥିବା ମହିଳା । ପ୍ରଥମେ ଯବାନ ଏପରି ହଠାତ୍ ଗାଡ଼ି ଅଟାକାଇ ଥିବାରୁ ସେ ରାଗି ଯାଇଥିବା ବେଳେ ପରେ ଏହା ପଛର କାରଣ ଜାଣି ତାଙ୍କୁ ସଲାମ କରିଥିଲେ ।
ସୂଚନା ମୁତାବକ, ଯବାନ ଯାଉଥିବା ବାଟରେ ଏକ ଶବଯାତ୍ରା ଯାଉଥିବାରୁ ସେ ଠିଆ ହୋଇ ଯାଇଥିଲେ ବୋଲି ଜଣା ପଡ଼ିଥିଲା । ମହିଳା ଜଣଙ୍କ ରାଗରେ ନିଜର ବାମ ପଟକୁ ଦେଖିବା ପରେ ରାସ୍ତାରେ ଜଣଙ୍କର ମୃତଦେହ ଅନ୍ତିମସଂସ୍କାର ପାଇଁ ଯାଉଥିବା ଦେଖିଥିଲେ । ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିବାକୁ ଯବାନ ଗାଡ଼ିରୁ ବାହାରି ରାସ୍ତାରେ ଠିଆ ହୋଇଥିଲେ ବୋଲି ମହିଳା ଜାଣି ପାରିଥିଲେ । ଆଜିକାଲି ଲୋକମାନେ ରାସ୍ତାରେ ଶବଯାତ୍ରା ଦେଖି ନ ଅଟକି ଆଗକୁ ବଢ଼ିଯିବା ସହ ଅନ୍ୟ ବାଟ ଦେଇ ଚାଲି ଯାଇଥାନ୍ତି । କିନ୍ତୁ ଏଭଳି ପରିସ୍ଥିତିରେ ଯବାନଙ୍କ ଏହି କାମ ମହିଳାଙ୍କୁ ଖୁସି କରାଇବାରୁ ସେ ଯବାନଙ୍କ ଫଟୋ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।