ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି। ‘ନେଚର’ ପତ୍ରିକାରେ ପ୍ରକାଶିତ ସନ୍ଦର୍ଭ ଅନୁଯାୟୀ, ଜଳବାୟୁ-ପରିବର୍ତ୍ତନ-ଚାଳିତ ଗ୍ରୀଷ୍ମ ଲହରିର ସଂଖ୍ୟା ଓ ତୀବ୍ରତା ବୃଦ୍ଧି ପାଇଁ ଜୀବାଶ୍ମ ଇନ୍ଧନ ଓ ସିମେଣ୍ଟ ଉତ୍ପାଦନ ଶିଳ୍ପର ଉଲ୍ଲେଖନୀୟ ଅବଦାନ ରହିଛି। ଗବେଷକମାନେ ଅଧ୍ୟୟନକୁ ଆଉ ଏକ ପାଦ ଆଗକୁ ନେଇ ତେଲ, ଗ୍ୟାସ, କୋଇଲା ଓ ସିମେଣ୍ଟ ଉତ୍ପାଦନ ଦ୍ବାରା ପ୍ରଦୂଷଣ ସୃଷ୍ଟି କରୁଥିବା ୧୮୦ଟି ପ୍ରମୁଖ ଉତ୍ପାଦକଙ୍କ ଭୂମିକା ଉପରେ ଅଙ୍ଗୁଳି ଉଠାଇଛନ୍ତି। ପ୍ରାକ୍-ଶିଳ୍ପ ଯୁଗ ତୁଳନାରେ ଗ୍ରୀଷ୍ମ ଲହରି ତୀବ୍ରତା ବୃଦ୍ଧିର ଅର୍ଦ୍ଧେକ ପାଇଁ ଏହି ବିଶାଳ କମ୍ପାନିଗୁଡ଼ିକ ଦାୟୀ ବୋଲି କୁହାଯାଇଛି।
ଏ ପରିପ୍ରେକ୍ଷୀରେ ସାଉଦି ଆରାମକୋ, ଗାଜପ୍ରମ୍, ଚେଭ୍ରନ୍ ଓ ବିପି ସମେତ ୧୪ଟି ବୃହତ୍ତମ ‘ଅଙ୍ଗାର ବହୁଳ’ କମ୍ପାନିର ପ୍ରଦୂଷଣ ଅବଦାନ ଯେତିକି ତାହା ଅବଶିଷ୍ଟ ୧୬୬ଟି କମ୍ପାନିର ଅବଦାନ ସହ ସମାନ। ଗବେଷକମାନଙ୍କ ମତରେ ଏହି ତାଲିକାରେ ଥିବା ପ୍ରତ୍ୟେକ ଉତ୍ପାଦକ କମ୍ପାନି ଏଭଳି ଗ୍ରୀଷ୍ମ ଲହରି ସମ୍ଭବ କରିପାରିବେ, ଯାହା ଜଳବାୟୁ ପରିବର୍ତ୍ତନ ବିନା ପ୍ରାୟତଃ ସୃଷ୍ଟି ହୁଅନ୍ତା ନାହିଁ। ୨୦୦୦ରୁ ୨୦୦୯ ମଧ୍ୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହାରାହାରି ୨୦ ଗୁଣ ବୃଦ୍ଧି ପାଇଛି ଏବଂ ୨୦୧୦ରୁ ୨୦୧୯ ମଧ୍ୟରେ ୨୦୦ ଗୁଣ ଅଧିକ ଗ୍ରୀଷ୍ମ ଲହରି ସୃଷ୍ଟି କରିଥିବା ଜଣାପଡ଼ିଛି।
ଏହି ଗବେଷଣାର ବାର୍ତ୍ତା ହେଉଛି ମାନବକୃତ ଜଳବାୟୁ ପରିବର୍ତ୍ତନକୁ ଅସ୍ୱୀକାର ଓ ବିଜ୍ଞାନ ବିରୋଧୀ ବୟାନବାଜି କେବେହେଲେ ଉତ୍ତରଦାୟିତ୍ୱକୁ ଦୂର କରିପାରିବ ନାହିଁ, କିମ୍ବା ଆମ ଗ୍ରହରେ ଗୀଷ୍ମ ଲହରିଜନିତ ଜୀବନ ପ୍ରତି ବଢୁଥିବା ବିପଦକୁ ହ୍ରାସ କରିବ ନାହିଁ। ତେଣୁ ଏହି ଗବେଷଣା ଆଗକୁ ପରିବେଶ ସମ୍ପର୍କିତ କୋର୍ଟ ମାମଲା ଓ କୂଟନୀତିରେ ଉତ୍ତରଦାୟିତ୍ବ ସ୍ଥିର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ ପାଇଛି।