ପ୍ରୟାଗରାଜ: ସେପଟେ ଆସ୍ଥାର ବୁଡ, ଏପଟେ ଅସମ୍ଭାଳ ଭିଡ... ଭକ୍ତି ପାଇଁ ଲାଗିଥିବା ଭିଡ ଭିତରେ ଆକ୍ତାମାକ୍ତା ଜୀବନ । ଶହ ଶହ କିଲୋମିଟର ଯାଏଁ ଲମ୍ବିଛି ଭିଡ । ନା ଜାମ୍ କମୁଛି ନା ଜୀବନକୁ ଶାନ୍ତି ମିଳୁଛି । ଅଣନିଶ୍ବାସୀ ମଣିଷ ପ୍ରୟାଗରାଜ ଯାଇ ପୂରା ଫଶିଯାଇଛି । ନା ଆଗକୁ ଯାଇ ପାରୁଛି ନା ପଛକୁ ଫେରି ପାରୁଛି । ନା କଡ ବୁଲାଇ ହେଉଛି ନା କେଉଁ ଗଳିରେ ଗାଡି ପୂରେଇ ଆଗକୁ ଯିବାର ସମ୍ଭାବନା ଅଛି... ସବୁ ବନ୍ଦ, ସବୁ ରାସ୍ତା ଜାମ୍, ସବୁ ଗଳି ଠପ୍... ପୂରା ସହରରେ ହାହାକାର... କହିବାକୁ ଗଲେ ଯିଏ ସେ ଭିଡରେ ଫଶିଛି ସିଏ ହିଁ ଜାଣିଛି କେତେ କଷ୍ଟଦାୟକ ସେ ସମୟ, କେତେ ଯନ୍ତ୍ରଣାଦାୟକ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଛିଡା ହେବା ।

Advertisment

ମହାକୁମ୍ଭରେ ବୁଡ ପକାଇବା ପାଇଁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ମହାକୁମ୍ଭ ଆରମ୍ଭ ହେବା ଦିନରୁ ଆଜି ଯାଏଁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂଗମରେ ସ୍ନାନ କରୁଛନ୍ତି । ସବୁଦିନ ଲୋକ ବୁଡ ପକାଇବାକୁ ଆସୁଛନ୍ତି ଆଉ ଆଜି ମାଘ ପୂର୍ଣ୍ଣିମା ଅବସରରେ ବୁଡ ପକାଇବାକୁ ଅଧିକ ଭିଡ ଜମିଛି । ପ୍ରୟାଗରାଜ ସହରକୁ ଯୋଡୁଥିବା ଆଖପାଖ ଜିଲ୍ଲାର ସବୁ ରାସ୍ତାରେ ଲୋକଙ୍କ ଗହଳି ଲାଗିଛି ।

ମହାକୁମ୍ଭରେ ବୁଡ ପକାଇବାକୁ ସାରା ଦେଶରୁ ଲୋକ ପ୍ରୟାଗରାଜ ଆସୁଛନ୍ତି । ଗାଁ ଗାଁରୁ ଲୋକ ଯାଉଛନ୍ତି । ଦେଶର କୋଣ ଅନୁକୋଣରୁ ଲୋକ ଗାଡି କରି ପ୍ରୟାଗରାଜ ଆସୁଛନ୍ତି । କିଏ ବସରେ ଆସୁଛି ତ କିଏ ଟ୍ରେନରେ ତ କିଏ ପୁଣି ନିଜ କାରରେ । ଗୋଟେ ଗୋଟେ ଗାଁର ଲୋକେ ବସ କରି ଆସୁଛନ୍ତି । ସାରା ଦେଶରୁ ଲୋକଙ୍କ ଆଗମନ ଗୋଟିଏ ସହରକୁ ହେଉଥିବାରୁ ଏଠାରେ ଭିଡ ବଢୁଛି । ରାସ୍ତା ସାରା ବ୍ୟାରିକେଡ୍ ଲଗାଇବା ବି ଭିଡର ମାତ୍ରାକୁ ବଢାଉଛି । ଏତେ ଜାମ୍ ଦେଖା ଦେଉଛି ଯେ 2 କିମି ରାସ୍ତା ଅତିକ୍ରମ କରିବାକୁ 10 ଘଣ୍ଟା ଲାଗି ଯାଉଛି । ଏଥିରୁ ଅନୁମାନ କରନ୍ତୁ ପ୍ରୟାଗରାଜରେ ଭିଡ କେଉଁ ମାତ୍ରାରେ ହେଉଥିବ । ଗୋଟେ ପଟେ ଭକ୍ତି ପାଇଁ ବୁଡ ପଡୁଥିବା ବେଳେ ଅନ୍ୟପଟେ ଭିଡ ଜୀବନକୁ ଯନ୍ତ୍ରଣାମୟ କରି ଦେଉଛି । ଥରେ ଭାବିଲେ ଏ ଭିଡ ପାଇଁ କଣ କଣ ସମସ୍ଯା ନହେଉଥିବ ।

ବାହାରି ପାରୁନି ଆମ୍ବୁଲାନ୍ସ
ପ୍ରୟାଗରାଜ ରାସ୍ତାରେ ଯେ ଖାଲି ଶ୍ରଦ୍ଧାଳୁ ବୁଡ ପକାଇବାକୁ ଯାଉଛନ୍ତି ତା ନୁହେଁ । ସେଇ ରାସ୍ତାରେ ଅନେକ ଲୋକ ମୃତ୍ୟୁ ସହ ସଂଗ୍ରାମ କରି ଯାଉଛନ୍ତି । ଅନେକ ରୋଗୀ ମେଡିକାଲ ଯାଉଛନ୍ତି, ହେଲେ ଏଇ ଭିଡ ପାଇଁ ସେମାନଙ୍କ ଜୀବନ ବାଜିରେ ଲାଗୁଛି । ଲମ୍ବା ଜାମରେ ଆମ୍ବୁଲାନ୍ସ ବି ଫଶି ଯାଉଛି । ଗୁରୁତର ରୋଗୀଙ୍କୁ ନେଇ ଯିବା ବେଳେ ଯେତେ ସାଇରନ୍ ବଜେଇଲେ ବି କେହି ଶୁଣିବାକୁ ନାରାଜ । କେହି ଚାହିଁଲେ ବି ଆମ୍ବୁଲାନ୍ସକୁ ବାଟ ଛାଡି ପାରିବେନି କାରଣ ସମସ୍ତଙ୍କ ଆଗରେ ପଛରେ ହିଁ ତ ଭିଡ ଥିବ... ଥରେ ଭାବିଲେ ସହରରେ କାହାରି ଯଦି କଣ ହଠାତ୍ ହୋଇଗଲା, ତାହାଲେ ସେ କେମିତି ମେଡିକାଲରେ ପହଞ୍ଚିବ । ଯେଉଁଠି ଘରୁ ଗୋଡ କାଢିଲେ ଭିଡର ସାମ୍ନା କରିବାକୁ ପଡୁଛି ସେଠି ଏ ଭିଡ କଣ ଜୀବନ ନେଇଯିବନି ?

ଘରୁ ବାହାରି ପାରୁ ନାହାନ୍ତି ଲୋକେ
ପ୍ରୟାଗରାଜକୁ ତ ସାରା ଦେଶରୁ ଲୋକ ଆସୁଛନ୍ତି କିନ୍ତୁ ପ୍ରୟାଗରାଜ ସହରର ଲୋକ କିନ୍ତୁ କୁଆଡେ ବାହାରି ପାରୁ ନାହାନ୍ତି । ଅସମ୍ଭାଳ ଭିଡ ପାଇଁ ଘରେ ଅହରହ ବନ୍ଦୀ ହେଇ ରହୁଛନ୍ତି । ସ୍ଥିତି ଏମିତି ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାକୁ ଯିବା ବି କଷ୍ଟକର ହୋଇ ପଡୁଛି ।

ଭିଡକୁ ଦେଖି ଭୟ ଲାଗୁଛି
ଯୁଆଡେ ଚାହିଁଲେ ସିଆଡେ ଭିଡ । ଏ ଭିଡ ଜୀବନ ନେଲା ଭଳି, ତେଣୁ ଭୟଙ୍କର ଭିଡକୁ ଦେଖି ଲୋକେ ଭକ୍ତିକୁ ପଛ କରି ଜୀବନକୁ ଆଗ ଭାବି ସୁରକ୍ଷିତ ରହିବାକୁ ମହାକୁମ୍ଭ ନଯିବାର ନିଷ୍ପତ୍ତି ନେଉଛନ୍ତି । ଆଉ ଲୋକେ ଜାମକୁ ବାହାରିବାକୁ ମଙ୍ଗୁ ନାହାନ୍ତି, କଣ ପାଇଁ ଜାମକୁ ଯିବା କଣ ପାଇଁ ଜୀବନକୁ ବିପଦରେ ପକେଇବା ବୋଲି ଭାବୁଛନ୍ତି ।

ବାଟରେ ସରି ଯାଉଛି ପେଟ୍ରୋଲ
ଶହ ଶହ କିଲୋମିଟର ଯାଏଁ ଲମ୍ବିଥିବା ଗାଡି ଧିରେଧିରେ ଆଗକୁ ଯାଉଛି । ଗୋଟେ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ 5 ଘଣ୍ଟା ଲାଗୁଥିବା ବେଳେ ରାସ୍ତାରେ ଛିଡା ହେଇ ହେଇ ଅନେକ ଗାଡିର ତେଲ ବି ସରିଯାଉଛି । ଆଖପାଖରେ ପେଟ୍ରୋଲ ପମ୍ପ ନଥିବାରୁ ନାହିଁ ନଥିବା ସମସ୍ଯା ଭୋଗିବାକୁ ପଡୁଛି । ଆଉ ସହରର 50ଟି ପେଟ୍ରୋଲ ପମ୍ପକୁ ଟ୍ୟାଙ୍କର ଆସି ପାରୁନଥିବାରୁ ପେଟ୍ରୋଲ ପମ୍ପ ଖାଲି ପଡିଛି ।

ରାସ୍ତାରେ ପାଣି ଟୋପେ ବି ମିଳୁନି
ଏତେ ବଡ ରାସ୍ତା, ଏତେ ବଡ ଭିଡ । ଆଗକୁ ଚାହିଁଲେ ବି ଭିଡ... ପଛକୁ ଚାହିଁଲେ ବି ଭିଡ । ଯୁଆଡେ ଚାହିଁଲେ ଖାଲି ଗାଡି ଆଉ ଗାଡି । ମାଳମାଳ ମଣିଷ ହେଲେ ପାଣିର ବ୍ୟବସ୍ଥା ନାହିଁ । ଖରାକୁ ଅସମ୍ଭାଳ ଭିଡରେ ଯଦି ୟାରି ଭିତରେ କାହାକୁ ଶୋଷ ଲାଗେ ତାହାଲେ ରାସ୍ତାରେ ପାଣି ଟୋପେ ମିଳିବା ବି କଷ୍ଟ ହେଇ ପଡୁଛି । ଯିଏ ଗାଡିରେ ଯାଉଛି ଅଲଗା କଥା ମାତ୍ର ଯିଏ ଚାଲିଚାଲି ଯାଉଛି ତାର ଭେଳା ବୁଡିଲା । ପାଣି ନମିଳିବା କାରଣରୁ ଅନେକ ଗୁରୁତର ହେଉଥିବା ଖବର ଆସୁଛି ।

ତେଣୁ ମହାକୁମ୍ଭର ଏ ଭିଡକୁ ନେଇ ଗୋଟେ କଥା କୁହାଯାଇପାରେ ଭକ୍ତି ପାଇଁ ବୁଡ ପଡୁଛି, ଭିଡକୁ ଦେଖିଲେ ଜୀବନ ଯିବାର ଭୟ ଘାରୁଛି ।