ସୁରକ୍ଷା ଦୃଷ୍ଟିରୁ ସାଇକେଲ ଚାଳକମାନେ ହେଲମେଟ୍‌ ପିନ୍ଧିବା ଅପରିହାର୍ଯ୍ୟ। ମାତ୍ର ସାଇକେଲରୁ ଓହ୍ଲାଇଲା ପରେ ହେଲମେଟ୍‌ ପରି ଏକ ବିଶାଳ ବସ୍ତୁକୁ ନେବା ଆଣିବା କରିବା ଏକ ଅସୁଖକର ବ୍ୟାପାର ହୋଇଥାଏ। ତେବେ ତାହାର ସମାଧାନ ସ୍ବରୂପ ଏକ ବିଶେଷ ଧରଣର ହେଲମେଟ୍‌ ବାହାରିଛି, ଯାହାକୁ ମୋଡ଼ିମାଡ଼ି ପକେଟ୍‌ରେ ରଖିହେବ। ଜର୍ମାନୀର ଇନ୍‌ଫ୍ଲାବି କମ୍ପାନି ଦ୍ବାରା ପ୍ରସ୍ତୁତ ଏହି ହେଲମେଟ୍‌କୁ ଫୁଙ୍କି ବେଲୁନ୍‌ ପରି ଫୁଲାଇହେବ ଯାହା ମୁଣ୍ଡକୁ ଧାତବ-ଫୋମ୍‌ ହେଲମେଟ୍‌ଠାରୁ ବି ଅଧିକ ସୁରକ୍ଷା ଦେଇପାରିବ ବୋଲି କମ୍ପାନି ଦାବି କରିଛି।

Advertisment

ଯାବତୀୟ ଆକାରର ମୁଣ୍ଡକୁ ଖାପ ଖାଇପାରୁଥିବା ଏହି ହେଲମେଟ୍‌କୁ ଚାପି ଅନାୟାସରେ ସେଥିରୁ ପବନ ବାହାର କରିହେବ ଏବଂ ସଂକୁଚିତ କରି ପକେଟ୍‌ରେ ନେଇହେବ। ତେଣୁ ଗୋଟିଏ ଗୁଳିରେ ଦୁଇଟି ଶିକାର କଲା ଭଳି ଏହା ମୁଣ୍ଡକୁ ସୁରକ୍ଷା ଦେବା ସହ ସହଜରେ ସାଙ୍ଗରେ ନେଇହେବ। ଅବଶ୍ୟ ବର୍ତ୍ତମାନ ସୁଦ୍ଧା ଉକ୍ତ ଅଭିନବ ହେଲମେଟ୍‌ ବଜାରକୁ ଆସିନାହିଁ। ତେବେ ପରୀକ୍ଷାମୂଳକ ଭାବେ ଏହାର ପ୍ୟାଟେଣ୍ଟ ସରିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।