ଜାନୁଆରିରୁ କଡ଼ାକଡ଼ି : ବାଇକ୍‌ରେ ଉଭୟ ଚାଳକ ଓ ସହଯାତ୍ରୀଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ

ହେଲ୍‌ମେଟ୍‌ ନିୟମ କଡ଼ାକଡ଼ି ହେବ, କାଗଜପତ୍ର ଯାଞ୍ଚ ବି
ପ୍ରଦୂଷଣ, ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପଞ୍ଜୀକରଣ ସବୁ ଦେଖାଯିବ
ହେଲ୍‌ମେଟ୍‌ ନ ପିନ୍ଧିବାରୁ ଦୁର୍ଘଟଣାରେ ଅଧିକ ଲୋକ ମରୁଛନ୍ତି

ଭୁବନେଶ୍ୱର : ବାଇକ୍ ଚାଳକ ଓ ସହଯାତ୍ରୀ ଉଭୟଙ୍କ ପାଇଁ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ। ନଚେତ୍‌ ଚାଳକଙ୍କଠାରୁ ଜରିମାନା ଆଦାୟ ସହ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯିବ। ଦୁଇ ଦିନ ତଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ଏହି ଟ୍ବିଟ୍‌ ପରେ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। କେବେଠାରୁ ଏହି ନିୟମ ଲାଗୁ ହେବ, ତାହାକୁ ନେଇ ଲୋକମାନେ ଦ୍ବନ୍ଦ୍ବରେ ଥିଲା ବେଳେ ଆଜି ପରିବହନ ମନ୍ତ୍ରୀ ନିଜେ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଏବେ ସଚେତନତା କରାଯିବ ଓ ଜାନୁଆରିରୁ କଡ଼ାକଡ଼ି ଲାଗୁ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ପରିବହନ ମନ୍ତ୍ରୀ ପଦ୍ମନାଭ ‌େବହେରା ଗଣମାଧ୍ୟମକୁ କହିଛନ୍ତି ଯେ ୨୦୧୯ ମସିହାରୁ କେନ୍ଦ୍ର ସରକାର ଏହି ଆଇନ ପ୍ରଣୟନ କରିଛନ୍ତି। କରୋନା ପାଇଁ ଓଡ଼ିଶାରେ ଏହାକୁ କୋହଳ କରାଯାଇଥିଲା। ମାତ୍ର ସଡ଼କ ଦୁର୍ଘଟଣା ରୋକିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏ ଦିଗରେ କଠୋର ହୋଇଛନ୍ତି। ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଚେକିଂ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ୨୦୨୧ ଜାନୁଆରିରୁ ଚେକିଂ ଜୋରଦାର ହେବା ସହ ନିୟମ ଖିଲାପକାରୀଙ୍କୁ ଜରିମାନା ଓ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସଡ଼କ ଦୁର୍ଘଟଣା ରୋକିବାକୁ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ବେହେରା କହିଛନ୍ତି।

ପରିବହନ କମିସନର୍‌ ସଞ୍ଜୀବ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଜାନୁଆରିରୁ ବାଇକ୍‌ ଚାଳକ ଓ ସହଯାତ୍ରୀଙ୍କ ହେଲ୍‌ମେଟ୍‌ ଚେକିଂ ତ କଡ଼ାକଡ଼ି କରାଯିବ; ଏହା ସହ ପ୍ରଦୂଷଣ, ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପଞ୍ଜୀକରଣ କାଗଜପତ୍ର ଚେକିଂ ପୂର୍ବ ପରି ପୁଣି ଆରମ୍ଭ ହେବ। କରୋନା ପାଇଁ ଏସବୁ କୋହଳ କରାଯାଇଥିଲା। ମଦ୍ୟପାନ କରି ଗାଡ଼ି ଚଳାଇବା, ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇବା, ବାଇକ୍‌ରେ ତିନିଜଣ ବସିବା ଆଦି କ୍ଷେତ୍ରରେ ଯାଞ୍ଚ ଏବେ ଜାରି ରହିଛି ଓ ଆଗକୁ ମଧ୍ୟ ଚାଲିବ। ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମକୋର୍ଟ କମିଟି ଏ ସଂକ୍ରାନ୍ତରେ ଥିବା ନିୟମକୁ କୌଣସି ପରିସ୍ଥିତିରେ କୋହଳ ନ ହେବାକୁ ତାଗିଦ୍ କରିଛନ୍ତି। ଯେହେତୁ ବାଇକ୍‌ରେ ହେଲ୍‌ମେଟ୍‌ ନପିନ୍ଧିବା ଯୋଗୁଁ ଦୁର୍ଘଟଣାରେ ଅଧିକ ଲୋକ ମୃତାହତ ହେଉଛନ୍ତି, ତେଣୁ ଏହାକୁ କଡ଼ାକଡ଼ି ଯାଞ୍ଚ କରିବାର ଆବଶ୍ୟକତା ରହିଛି।

indiatimes.com

ବର୍ତ୍ତମାନ ବାଇକ୍ ଚାଳକଙ୍କ ପାଇଁ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଓଡ଼ିଶାରେ ଏହା ମଧ୍ୟ ଶତପ୍ରତିଶତ ସଫଳ ହୋଇ ନଥିଲା ବେଳେ ଏବେ ସହଯାତ୍ରୀଙ୍କୁ ହେଲ୍‌ମେଟ୍‌ ପିନ୍ଧାଇବାରେ ସରକାର କେତେ ଦୂର ସଫଳ ହେବେ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ରାଜ୍ୟର କିଛି ସହରାଞ୍ଚଳକୁ ବାଦ୍ ଦେଲେ ଅନ୍ୟ ସ୍ଥାନରେ ନା ବାଇକ୍ ଚାଳକମାନେ ହେଲ୍‌ମେଟ୍‌ ପିନ୍ଧୁଛନ୍ତି ନା ଏଥିପାଇଁ ଚେକିଂ କଡ଼ାକଡ଼ି ହେଉଛି। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ଏହା ଏକ ପ୍ରମୁଖ କାରଣ ପାଲଟିଛି। ପୁଲିସ୍‌ ଏ ଦିଗରେ ମଧ୍ୟ ‌େକାହଳ ଆଭିମୁଖ୍ୟ ଗ୍ରହଣ କରୁଥିବା ଅଭିଯୋଗ ହେଉଛି। ପରିବହନ ସଚିବ କିଛି ଦିନ ତଳେ ପୁଲିସ୍‌ ଡିଜି ଓ ପରିବହନ କମିସନର୍‌ଙ୍କ ଚିଠି ଲେଖି ହେଲ୍‌ମେଟ୍‌ ଆଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ କେତେ ଜଣଙ୍କର ଡ୍ରାଇଭିଂ ଲାଇ‌େସନ୍ସ ବାତିଲ୍‌ ହୋଇଛି, ତାହାର ଜିଲାୱାରି ହିସାବ ମାଗିଥିଲେ।

ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ରେ ରାଜ୍ୟରେ ୧୧,୦୬୪ଟି ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରୁ ୪,୬୮୮ଟି ଦୁର୍ଘଟଣାରେ ଦୁଇଚକିଆ ଯାନର ସଂପୃକ୍ତି ଥିଲା। ଦୁର୍ଘଟଣାର ଶିକାର ହୋଇଥିବା ମୋଟ ୫,୩୩୩ ଜଣଙ୍କ ମଧ୍ୟରୁ ୨,୩୯୮ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୨,୧୫୬ଜଣ ହେଲ୍‌ମେଟ୍‌ ପିନ୍ଧି ନଥିଲେ। ହେଲ୍‌ମେଟ ପିନ୍ଧିଥିଲେ ଅନେକଙ୍କ ଜୀବନ ରକ୍ଷା ହୋଇପାରିଥା’ନ୍ତା। ଗତବର୍ଷ ବିନା ହେଲ୍‌ମେଟ୍‌ରେ ମୋଟର୍‌ ସାଇକେଲ୍‌ ଚଳାଇ ରାଜ୍ୟରେ ୮ ଲକ୍ଷ ୫୦ ହଜାର ଲୋକ ଧରା ପଡ଼ିଥିଲେ। ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ, ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଳାଇଲେ ଓ ବିନା ହେଲ୍‌ମେଟ୍‌ରେ ପଛରେ ବସିଲେ, ଏକ ହଜାର ଟଙ୍କା ଜରିମାନା ସହ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରାଯିବ।

ସମ୍ବନ୍ଧିତ ଖବର