‘ରାମାୟଣ’ର ବର୍ଣ୍ଣନା ଅନୁସାରେ, ବାନରରାଜ ସୁଗ୍ରୀବଙ୍କର ରାଜ୍ୟ ଥିଲା କିସ୍କିନ୍ଧା। ଏହି ରାଜ୍ୟର ରାଜଧାନୀ ଥିଲା ଅତୀବ ରମଣୀୟ। ଆର୍ଯ୍ୟାବର୍ତ୍ତର ଅନ୍ୟାନ୍ୟ ବିତ୍ତଶାଳୀ ରାଜ୍ୟର ରାଜଧାନୀ ସଦୃଶ, ବିଶାଳ ଅଟ୍ଟାଳିକା, ରମଣୀୟ ସ୍ତମ୍ଭ, ସୁଦୀର୍ଘ ପ୍ରାଚୀର ଆଦିରେ ଏହା ସୁଶୋଭିତ ହୋଇଥିଲା। ସୁଉଚ୍ଚ ଶ୍ୟାମଳ ପର୍ବତଶ୍ରେଣୀ, କଳନାଦିନୀ ପ୍ରସ୍ରବଣ, ପୁଷ୍ପଶୋଭିତ ଉଦ୍ୟାନ, କଳହଂସବିମଣ୍ଡିତ କମଳ, କୁମୁଦ ସୁଶୋଭିତ ସରୋବର ମାଳାରେ ମଧ୍ୟ ଏହା ସୁନ୍ଦର ଥିଲା। ବହୁ ଶତାବ୍ଦୀ ପରେ ତାହା ହୋଇଥିଲା ବିଜୟନଗରର ରାଜା କୃଷ୍ଣ ଦେବରାୟଙ୍କର ରାଜଧାନୀ ହାମ୍ପି। ବହୁ ଯୁଗ ଅତିକ୍ରାନ୍ତ ହେଲା ପରେ ମଧ୍ୟ, ଏହି ନଗରୀ ବେଦକାଳ, ରାମାୟଣ କାଳ, ମହାଭାରତ କାଳର ବହୁ ସ୍ମୃତିକୁ ନିଜ ଭିତରେ ସାଇତି ରଖିଛି। ପ୍ରାଚୀନ କାଳର ବହୁ ପୌରାଣିକ ତଥ୍ୟ ସହିତ ଅନେକ କଥା, ଉପକଥା ଓ କିଂବଦନ୍ତିର ସ୍ମାରକୀ ଭାବରେ ଏହାର ନଦୀ, ବନ, ପର୍ବତ, ଝରଣା, ଉପବନ ଓ ମନ୍ଦିରମାନେ ଠିଆହୋଇ ରହିଛନ୍ତି। ସ୍ମୃତିବିଜଡ଼ିତ ବିଜୟନଗର ସାମ୍ରାଜ୍ୟର ଧ୍ୱଂସାବଶେଷ ମଧ୍ୟରେ ସତ୍ୟ, ତ୍ରେତୟା ଓ ଦ୍ୱାପରର ସ୍ମୃତିଚାରଣ କରିବାପାଇଁ ଆଜି ମଧ୍ୟ ସେଠାରେ ରହିଛି ଋଷ୍ୟମୂକ ପର୍ବତ, ପମ୍ପା ସରୋବର, ଅଞ୍ଜନେୟ ପର୍ବତ ଏବଂ ହେମକୂଟ ପର୍ବତ। ‘ମହାଭାରତ’ରେ ଏହାର ନାମ ହେମଗିରି ବା ସ୍ୱର୍ଣ୍ଣଗିରି। ଏହି ପର୍ବତକୁ ନେଇ ଏକ ସୁନ୍ଦର ଲୋକକଥା ରହିଛି।

Advertisment

ସବୁଜିମାରେ ପରିପୂର୍ଣ୍ଣ ସ୍ୱର୍ଣ୍ଣଗିରି ଥିଲା ଦେବଦେବ ମହାଦେବଙ୍କର ତପସ୍ୟା ସ୍ଥଳ। ଏହି ପର୍ବତରେ ମହାଦେବ ଉଗ୍ର ତପସ୍ୟାରେ ନିମଗ୍ନ ହୋଇଥିଲେ। ସେହି ସମୟରେ ମା’ ପାର୍ବତୀ ପର୍ବତ ପାଦଦେଶରେ ଥିବା ଏକ ବନବାସୀ ଗୃହରେ ପମ୍ପା ନାମରେ ଜନ୍ମଗ୍ରହଣ କରି ମହାଦେବଙ୍କୁ ପତିରୂପେ ପାଇବା ପାଇଁ କଠୋର ତପସ୍ୟା କରିବାକୁ ଲାଗିଲେ। ପମ୍ପାଙ୍କ ତପସ୍ୟାକୁ ସଫଳ କରିବାପାଇଁ ସ୍ୱୟଂ କାମଦେବ ଆସି ମହାଦେବଙ୍କର ତପଭଙ୍ଗ କରିବା ନିମିତ୍ତ ତାଙ୍କ ହୃଦୟକୁ ପୁଷ୍ପଧନୁରେ ଶର ସନ୍ଧାନ କଲେ। ମହାଦେବଙ୍କର ତପଭଙ୍ଗ ହେଲା; କିନ୍ତୁ କ୍ରୋଧରେ ତାଙ୍କର ତୃତୀୟ ନୟନ ଖୋଲିଗଲା ଏବଂ ସେଥିରୁ ଅଗ୍ନି ନିର୍ଗତ ହୋଇ କାମଦେବଙ୍କୁ ଭସ୍ମ କରିଦେଲା। କାମଦେବଙ୍କ ଶରୀର ବିନଷ୍ଟ ହୋଇଯିବା ଦେଖି ତାଙ୍କର ପତ୍ନୀ ରତି ଶୋକ ଜର୍ଜରିତା ହୋଇ ପତିଙ୍କୁ ଫେରାଇଦେବାପାଇଁ ମହାଦେବଙ୍କୁ ପ୍ରାର୍ଥନା କଲେ। କାମଦେବ ଏ ସବୁ ପମ୍ପାଙ୍କ ପାଇଁ କରୁଛନ୍ତି ଜାଣି ମହାଦେବ ସନ୍ତୁଷ୍ଟ ହେଲେ ଏବଂ ପମ୍ପାଙ୍କୁ ବିବାହ କରିବାପାଇଁ ସ୍ୱୀକୃତି ଦେଲେ। ଏହି ସମୟରେ ଆକାଶରୁ ସ୍ୱର୍ଣ୍ଣ ବର୍ଷା ହେବାକୁ ଲାଗିଲା। ଏଠାରେ ସ୍ୱର୍ଣ୍ଣ ବର୍ଷା ହେବାରୁ ଏ ପର୍ବତର ବାମ ହେଲା ସ୍ୱର୍ଣ୍ଣକୂଟ। ଏବଂ ମହାଦେବଙ୍କର ତୃତୀୟ ଚକ୍ଷୁ ବିରୂପ ହୋଇ ଅଗ୍ନି ବର୍ଷା କରିଥିବାରୁ ମହାଦେବଙ୍କର ନାମ ହେଲା ବିରୂପାକ୍ଷ।

ହେମକୂଟର ଶିଖର ଚଟାଣ ଉପରେ ରହିଛି ବିରୂପାକ୍ଷ ମନ୍ଦିର। ନିକଟରେ ପମ୍ପାଦେବୀଙ୍କ ମନ୍ଦିର। ଏହି ପର୍ବତର ଉପରିଭାଗରେ ଅନେକଗୁଡ଼ିଏ ଶିବମନ୍ଦିର ରହିଛି। ଏହି ମନ୍ଦିରଗୁଡ଼ିକର ବିଶେଷତ୍ୱ ଏହି, ଯେ ଏଗୁଡ଼ିକ ପ୍ରାୟ ଜୈନ କଳାକୃତି ସ୍ୱରୂପ ଏବଂ ଦ୍ରାବିଡ଼ ଶୈଳୀର ମନ୍ଦିରଠାରୁ ସଂପୂର୍ଣ୍ଣ ଭିନ୍ନ। ଏହା ଦୂରରୁ ପ୍ରାୟ ପିରାମିଡ଼୍ ଭଳି ଦେଖାଯାଏ। ହେମକୂଟର ପର୍ବତ ଚଟାଣ ଉପରୁ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍‌ଧକର।

-ଡକ୍ଟର ତୁଳସୀ ଓଝା