ପ୍ରତିବର୍ଷ ବିଶ୍ୱରେ କୋଟି କୋଟି ଲୋକ ହେପାଟାଇଟିସ୍ ରୋଗରେ ପୀଡ଼ିତ ହୋଇ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି। ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ସାରା ବିଶ୍ୱରେ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। ରୋଗ ସଂପର୍କରେ ଡାକ୍ତରଙ୍କ ସହ ପ୍ରଶ୍ନୋତ୍ତରୀ।
ହେପାଟାଇଟିସ୍ କ’ଣ? ଏହା େକତେ ପ୍ରକାରର?
ଯକୃତ୍ ସଂକ୍ରମଣ ଜନିତ ସମସ୍ୟାରୁ ହେପାଟାଇଟିସ୍ ହୋଇଥାଏ। ସାଧାରଣତଃ ହେପାଟାଇଟିସ୍ ୫ ପ୍ରକାରର-ଏ, ବି, ସି, ଡି ଓ ଇ। ଏହାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ- ଆକ୍ୟୁଟ୍ ଓ କ୍ରନିକ୍ ହେପାଟାଇଟିସ୍। ଆକ୍ୟୁଟ୍ ହେଉଛି, ଯାହାର ଲକ୍ଷଣ ସଙ୍ଗେ ସଙ୍ଗେ ଜଣାପଡ଼େ ଏବଂ ଚିକିତ୍ସା ମଧ୍ୟ ହୋଇପାରେ। କିନ୍ତୁ କ୍ରୋନିକ୍ ହେପାଟାଇଟିସ୍ରେ ଲକ୍ଷଣ ଶୀଘ୍ର ଜଣାପଡ଼େ ନାହିଁ। ତେଣୁ ଏହାର ଚିକିତ୍ସାରେ ବିଳମ୍ବ ହୋଇ ଘାତକ ସାବ୍ୟସ୍ତ ହୋଇଥାଏ। ହେପାଟାଇଟିସ୍ ବି ଓ ସି କ୍ରନିକ୍ ଶ୍ରେଣୀୟ। ହେପାଟାଇଟିସ୍ ଏ, ଇ ଓ ଟାଇଫଏଡ୍ ହେପାଟାଇଟିସ୍ ଓଡ଼ିଶାରେ ଅଧିକ।
ଏହି ରୋଗର ଲକ୍ଷଣ କ’ଣ?
ହେପାଟାଇଟିସ୍ ବି ଓ ସି ସଂକ୍ରମଣର ପ୍ରାୟ ଦେଢ଼ରୁ ଦୁଇ ମାସ ପରେ ରୋଗର ଲକ୍ଷଣ ପ୍ରକାଶ ପାଏ। ଭୋକ ନହେବା, ଓଜନ କମିବା, ଜଣ୍ଡିସ୍, ଜ୍ୱର, ଦୁର୍ବଳ ଲାଗିବା, ବାନ୍ତି, ପେଟରେ ପାଣି ଜମିଯିବା, ରକ୍ତବାନ୍ତି ହେବା, ଦେହର ରଙ୍ଗ ହଳଦିଆ ପଡ଼ିଯିବା, ପରିସ୍ରାର ରଙ୍ଗ ଗାଢ଼ ହୋଇଯିବା ଇତ୍ୟାଦି ଏହାର ଲକ୍ଷଣ। ସଂକ୍ରମଣ ଅଧିକ ଥିଲେ ଦେହ ପ୍ରବଳ କୁଣ୍ଡାଇ ହୁଏ ଓ ଲିଭର ନଷ୍ଟ ହୋଇଯାଏ।
ହେପାଟାଟଇସ୍ର ପ୍ରତିଷେଧକ ଟିକା ରହିଛି। ଟିକା ନେବା ପରେ ବି ରୋଗ ହେବାର ଆଶଙ୍କା ଅଛି କି?
ସବୁ ଶ୍ରେଣୀର ହେପାଟାଇଟିସ୍ ପାଇଁ ଟିକା ନାହିଁ। କେବଳ ହେପାଟାଇଟିସ୍ ବି ଓ ଏ ପାଇଁ ଟିକା ରହିଛି। ଛୋଟପିଲାଙ୍କୁ ପ୍ରଥମେ ଜନ୍ମ ପରେ ଏବଂ ୧ ମାସରେ ଓ ୬ ମାସରେ ହେପାଟାଇଟିସ୍-ବି ଟିକା ଦିଆଯାଇଥାଏ। ବୟସ୍କଙ୍କ କ୍ଷେତ୍ରରେ ଏହି ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର କିମ୍ବା ନର୍ସମାନଙ୍କୁ ଏହି ଟିକା ଦିଆଯାଇଥାଏ। ଟିକା ନେବା ପରେ ହେପାଟାଇଟିସ୍ ହେବାର ଆଶଙ୍କା ପ୍ରାୟ ନଥାଏ।
କେଉଁ ବୟସର ବ୍ୟକ୍ତିଙ୍କୁ ହେପାଟାଇଟିସ୍ ହେବା ଆଶଙ୍କା ଅଧିକ?
ଯୁବପିଢ଼ିଙ୍କୁ ହେପାଟାଇଟିସ୍ ହେବାର ଆଶଙ୍କା ଅଧିକ। ହେପାଟାଇଟିସ୍- ସି, ବି, ଡି ଡ୍ରଗ୍ସ୍ ସେବନ, ରକ୍ତ ଜନିତ ସଂକ୍ରମଣ, େଯୗନ ସମ୍ପର୍କ ମାଧ୍ୟମରେ ହୋଇଥାଏ। ସେଥିପାଇଁ ଏହି ବର୍ଗଠାରେ ଏହା ଅଧିକ ଦେଖାଯାଏ।
ଏହା କେଉଁ କାରଣରୁ ହୋଇଥାଏ ଓ ଉପଚାର କ’ଣ?
ହେପାଟାଇଟିସ୍ ଏ ଓ ଇ ଭୂତାଣୁ ସାଧାରଣତଃ ପାଣି ଓ ଖାଦ୍ୟ ଦ୍ବାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ବି, ସି, ଡି ରକ୍ତ ଦ୍ୱାରା ସଂକ୍ରମିତ ହୋଇଥାଏ। ଯେମିତିକି ଇଞ୍ଜେକ୍ସନ୍, ରକ୍ତ ପରୀକ୍ଷା, ଅପରେସନ ସମୟରେ ବ୍ୟବହାର ହେଉଥିବା ଯନ୍ତ୍ରପାତି, ସେଲୁନ୍ରେ ବାଳ କାଟୁଥିବା ବ୍ଲେଡ୍ ମାଧ୍ୟମରେ ଏବଂ ଏକାଧିକଙ୍କ ସହ ଶାରୀରିକ ସଂପର୍କ ରଖିଲେ ଏହା ହେବାର ଆଶଙ୍କା ଥାଏ। ଚିକିତ୍ସା ଜରିଆରେ ହେପାଟାଇଟିସ୍ରୁ ଆରୋଗ୍ୟ ସମ୍ଭବ।