ଜାନୁଆରି ୩ ତାରିଖରେ ଇରାନ୍ର କମାଣ୍ଡର୍ କାଶିମ ସୁଲେମାନିଙ୍କୁ ଡ୍ରୋନ୍ ଆକ୍ରମଣରେ ହତ୍ୟା କରାଯିବା ପରେ ଇରାନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବିବାଦ ତୀବ୍ର ହୋଇ ଉଠିଲା। ଇରାନ୍ ସୁଲେମାନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଘୋଷଣା କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଲେ କି, ସେ ଏକକାଳୀନ ଇରାନ୍ର ୫୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଆକ୍ରମଣ କରିବେ। ସେ ୫୨ଟି ସ୍ଥାନରେ ରହିଛି ଇରାନ୍ ବହୁ ପ୍ରାଚୀନ ଐତିହ୍ୟସ୍ଥଳୀ। କିନ୍ତୁ, ଏହାକୁ ଆକ୍ରମଣ ନ କରିବାକୁ ‘ୟୁନେସ୍କୋ’ ଆମେରିକାକୁ କହିଛି।
ଗତ ସପ୍ତାହରେ ଏହି ଐତିହ୍ୟସ୍ଥଳୀଗୁଡ଼ିକରୁ କେତୋଟିର ବର୍ଣ୍ଣନା ଦିଆଯାଇଥିଲା। ଆଜି ଅବଶିଷ୍ଟ କେତୋଟି ଐତିହ୍ୟସ୍ଥଳୀ ବିଷୟରେ ଦିଆଯାଇଛି।
Image Source: USA Todayପର୍ସିପୋଲିସ୍: ରାଜକୀୟ ସହର ପର୍ସିପୋଲିସ୍ ସମକକ୍ଷ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ କ୍ୱଚିତ୍ ଦେଖାଯାଏ। ଏହା ସର୍ବପ୍ରାଚୀନ ସଭ୍ୟତାର ନିଆରା ସାକ୍ଷୀ। ଖ୍ରୀଷ୍ଟପୂର୍ବ ୫୧୮ରେ ଇରାନ୍ର ଦକ୍ଷିଣପଶ୍ଚିମରେ ପ୍ରଥମ ଡାରିୟସ୍ ଏହାକୁ ସ୍ଥାପନ କରିଥିଲେ। ସ୍ଥାପତ୍ୟ. ନଗରାଞ୍ଚଳ ଯୋଜନା, ନିର୍ମାଣ ବୈଷୟିକ ଜ୍ଞାନକୌଶଳ ଏବଂ କଳାକୀର୍ତ୍ତି ପାଇଁ ଏହାକୁ ପାରସ୍ୟର ମୁକ୍ତା କୁହାଯାଏ।
Image Source: USA Todayଫାର୍ସ୍ ଅଞ୍ଚଳର ସାସାନିଦ୍ ପ୍ରତ୍ନତାତ୍ତ୍ୱିକ ଭୂମି: ଫାର୍ସ ପ୍ରଦେଶର ତିନିଟି ଅଞ୍ଚଳରେ ରହିଛି ଆଠଟି ପ୍ରତ୍ନତାତ୍ତ୍ୱିକ ସ୍ଥଳୀ। ଏଠାରେ ଥିବା ନଗର, ଅଟ୍ଟାଳିକା ଏବଂ ରାଜପ୍ରାସାଦରେ ପାରସ୍ୟ, ପାର୍ଥନନ୍ର ସାଂସ୍କୃତିକ ପରମ୍ପରା ସହ ରୋମ୍ କଳାର ଛାପ ଦେଖାଯାଏ।
Image Source: USA Todayଶାହର-ଇ-ସୋଖ୍ତା: କାଦୁଅ ଇଟାରେ ତିଆରି ଏହି ନଗରୀକୁ ‘ପୋଡ଼ା ସହର’ କୁହାଯାଏ। ଏହା ପୂର୍ବ ଇରାନ୍ର ପ୍ରଥମ ‘କମ୍ପ୍ଲେକ୍ସ ସୋସାଇଟି’ର ସାକ୍ଷୀ।
Image Source: USA Todayଶେଖ୍ ସାଫି ଅଲ୍-ଦିନ୍ ଖାନେଗାହ ଓ ଅର୍ଦାବିଲ୍ର ପବିତ୍ର ପୀଠ: ସୁଫି ପରମ୍ପରାର ଯଥେଷ୍ଟ ଗୁରୁତ୍ୱ ଥିବା ଶେଖ୍ ସାଫି ଅଲ୍-ଦିନ୍ ଖାନେଗାହ ଓ ଅର୍ଦାବିଲ୍ର ପବିତ୍ର ପୀଠ ହେଉଛି କଳା ଓ ସ୍ଥାପତ୍ୟର ନିଖୁଣ ନମୁନା। ଏଥିରେ ବଜାର ଥିବା ଛୋଟ ସହର, ସାର୍ବଜନୀନ ସ୍ନାନାଗାର, ଛକ, ଧାର୍ମିକ ଅଟ୍ଟାଳିକା, ଘର ଓ କାର୍ଯ୍ୟାଳୟ ଆଦି ରହିଛି।
Image Source: USA Todayଶୁସ୍ତାରର ଐତିହାସିକ ଜଳ ଯୋଗାଣ ସ୍ରୋତ: ଖ୍ରୀଷ୍ଟପୂର୍ବ ୫୦୦ରେ ମହାନ୍ ଡାରିୟସ୍ଙ୍କ ଅମଳରୁ ଏହାଦ୍ୱାରା ଶୁସ୍ତାର ସହରକୁ ଜଳ ଯୋଗାଣ ହେଉଥିଲା। ଏଥିରେ ଏଲ୍ମାତୀୟ, ମେସୋପଟାମିଆ, ନବତୀୟ ଏବଂ ରୋମୀୟ ଅଟ୍ଟାଳିକା ନିର୍ମାଣର ପ୍ରଭାବ ଦେଖିବାକୁ ମିଳେ।
Image Source: USA Todayସୋଲ୍ତାନିଆ: ଏହା ହେଉଛି ଫିରୋଜା ନୀଳ ରଙ୍ଗର ଗମ୍ବୁଜ ଥିବା ଇଲ୍ଖାନିଦ୍ ବଂଶର ଶାସକ ଓଲ୍ଜେତୁଙ୍କର ସମାଧି। ଏହା ପାରସ୍ୟ ସ୍ଥାପତ୍ୟର ଏକ ପ୍ରମୁଖ ସ୍ମାରକୀ ଯେଉଁଥିରେ ଇସ୍ଲାମୀୟ ସ୍ଥାପତ୍ୟର ପ୍ରଭାବ ଦେଖିବାକୁ ମିଳେ।
Image Source: USA Todayସୁସା: ଇରାନ୍ର ଦକ୍ଷିଣପଶ୍ଚିମ ସୁସାରେ ରହିଛି ପତ୍ନତାତ୍ତ୍ୱିକ ମୁଣ୍ଡିଆ ଏବଂ ପ୍ରାସାଦ ଭଳି କେତେକ ଢାଞ୍ଚା। ଏହା ପ୍ରାଗ୍ଐତିହାସିକ ଓ ଐତିହାସିକ ସମୟର ତଥ୍ୟ ପ୍ରଦାନ କରେ।
Image Source: USA Todayତବ୍ରିଜ୍ର ଐତିହାସିକ ବଜାର ପରିସର: ଏହା ହେଉଛି ‘ସିଲ୍କ୍ ରୋଡ୍’ରେ ଥିବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ କେନ୍ଦ୍ର। ଏବେ ମଧ୍ୟ ଏହା ଅର୍ଥନୈତିକ, ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକଳାପର କେନ୍ଦ୍ର ଭାବେ କାର୍ଯ୍ୟ କରୁଛି।
Image Source: USA Todayତାକ୍ତ୍-ଏ-ସୁଲେମନ୍: ପଶ୍ଚିମ ଆଜରବୈଜାନ୍ ପ୍ରଦେଶର ପର୍ବତ ଘେରା ସମତଳ ଭୂଇଁରେ ଅବସ୍ଥିତ ତାକ୍ତ୍-ଏ-ସୁଲେମନ୍ର ଅଧ୍ୟାତ୍ମିକ ଗୁରୁତ୍ୱ ରହିଛି। ପ୍ରାୟ ୨୫୦୦୦ ବର୍ଷ ହେବ ଏହା ‘ଅଗ୍ନି ଓ ଜଳ’ ସମ୍ପର୍କୀୟ ଅଧ୍ୟାତ୍ମିକ ଭାବନାର କେନ୍ଦ୍ର ହୋଇ ରହି ଆସିଛି।
Image Source: USA Todayଚୋଘା ଜାନ୍ବିଲ୍: ଏହା ହେଉଛି ଆଦିମ ଇରାନୀୟ ଲୋକମାନଙ୍କର ସଂସ୍କୃତି, ବିଶ୍ୱାସ ଏବଂ ଧାର୍ମିକ ପରମ୍ପରାର ଅଭିନବ ପରିପ୍ରକାଶ। ଖ୍ରୀଷ୍ଟପୂର୍ବ ୧୨୫୦ରେ ଏହାକୁ ସ୍ଥାପନ କରିଥିଲେ ଇଲାମିତୀୟ ରାଜା ଉନ୍ତାସ୍ ନପିର୍ଶାହ।
Image Source: USA Todayପାରସ୍ୟର ଉଦ୍ୟାନ ସମୂହ: ଇରାନ୍ ବିଭିନ୍ନ ଅଞ୍ଚଳରେ ଥିବା ୯ଟି ଉଦ୍ୟାନକୁ ପାରସ୍ୟର ଉଦ୍ୟାନସମୂହ କୁହାଯାଏ। ଭିନ୍ନ ଭିନ୍ନ ଜଳବାୟୁ ଅନୁସାରେ ଗଢ଼ାଯାଇଥିବା ଭିନ୍ନ ଭିନ୍ନ ବଗିଚାର ଏହା ଏକ ସମଷ୍ଟି। ଏହା ସ୍ୱର୍ଗର ନନ୍ଦନକାନନ ବା ଇଡେନ୍ର ଚିନ୍ତାଧାରାର ପରିପ୍ରକାଶ।
ପାରସ୍ୟର କ୍ୱାନାତ୍: ଇରାନ୍ ଭଳି ଟାଙ୍ଗର ଭୂଇଁରେ ଏହା କୃଷି ଓ ଜନବସତିକୁ ସହାୟତା କରୁଥିଲା। ମରୁ ଓ ଶୁଷ୍କ ଜଳବାୟୁରେ ସାଂସ୍କୃତିକ ଏବଂ ସଭ୍ୟତାର ଏହା ଏକ ନିଆରା ନମୁନା। (ଏସ୍ପି)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Historical-Places-of-Iran_Thumbnail.jpg)